ଭୁବନେଶ୍ବର,୩/୭ : ପୁରୀ ଜିଲ୍ଲାରେ ମଧୁ ବାବୁ ପେନସନ ଟଙ୍କା ଲୁଟ୍ ଘଟଣାରେ ୨ ପୂର୍ବତନ PEOଙ୍କୁ ଗିରଫ କଲା ଭିଜିଲାନ୍ସ । ଜମରସୁଆଁ ପଞ୍ଚାୟତ ପୂର୍ବତନ PEO ସୁଲମଣି ଜାନି ଓ ସାହୁପଡ଼ା ପଞ୍ଚାୟତ ପୂର୍ବତନ PEO ଟୁନା ପ୍ରଧାନ ଗିରଫ । ଉଭୟଙ୍କ ନାଁରେ ୩୦ ଲକ୍ଷ ୭୮ହଜାର ପେନସନ ଟଙ୍କା ହଡ଼ପ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପୁରୀ ସଦର ବ୍ଲକ୍ରେ କାମ କରୁଥିବା ସୁଲାମଣି ଜାନି ଓ ଗୋପ ବ୍ଲକ୍ରେ କାର୍ଯ୍ୟ କରୁଥିବା ଟୁନା ପ୍ରଧାନ ୩୦ଲକ୍ଷ ୭୮ ହଜାର ଟଙ୍କା ହଡ଼ପ କରିଛନ୍ତି । ୨୦୨୨ରୁ ୨୦୨୫ ମଧ୍ୟରେ ସୁଲମଣି ଗଡମରୁଗସିରା ଓ ଜାମରସୁଆଁରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ମଧୁବାବୁ ପେନ୍ସନ ଯୋଜନାର ହିତାଧିକାରୀ ତାଲିକା ଜାଲିଆତି କରିବା ସହ ଗରିବ ଅସହାୟଙ୍କ ପାଇଁ ଆସିଥିବା ୧୫ଲକ୍ଷ ୭୪ହଜାର ୮୨୦ ଟଙ୍କା ଆତ୍ମସାତ କରିଥିଲେ।

ସେହିଭଳି, କଣାସ ବ୍ଲକ ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତର ପିଇଓ ଥିବାବେଳେ ଅନୈତିକ ଉପାୟ ଅବଲମ୍ବନ କରି ଟୁନା ୧୫ଲକ୍ଷ ୩ହଜାର ୮ଶହ ଟଙ୍କା ଆତ୍ମସାତ କରିଛନ୍ତି । ଏ ନେଇ ଅଭିଯୋଗ ପରେ ଭିଜିଲାନ୍ସ ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ସେମାନଙ୍କ ଆୟବହିର୍ଭୁତ ସମ୍ପତ୍ତି ଆଦି ନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି ।