ପୁରୀ,୨୫।୭ : ସୁନାବେଶରେ ଶ୍ରୀଜିଉ । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିଛନ୍ତି ଜଗତାଧିପତି। ରଥ ଉପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ାମାଳି, କଦମ୍ୱମାଳି, ବାଘନଖୀମାଳି, ସେବତୀମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଚନ୍ଦ୍ରିକା, ତଡ଼ଗି ଆଦି ରତ୍ନ ଅଳଙ୍କାରରେ ତିନି ଠାକୁର ସଜେଇ ହୋଇଛନ୍ତି। ମହାପ୍ରଭୁଙ୍କ ରଥ ଉପରେ ଦୁର୍ଲ୍ଲଭ ସୁନାବେଶକୁ ଭକ୍ତମାନେ ଦର୍ଶନ କରୁଛନ୍ତି। ମହାପ୍ରଭୁଙ୍କ ସୁନାବେଶରେ ଦେଖି ଭକ୍ତ ଆତ୍ମବିଭୋର ହୋଇପଡିଛନ୍ତି। ସୁନାବେଶ ଦେଖିବା ପାଇଁ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।