ନୂଆଦିଲ୍ଲୀ,୧୩/୧୨: ମହାରାଷ୍ଟ୍ରରେ ଡିସେମ୍ବର ୫ରେ ମହାୟୁତି ସରକାର ଗଠନ  ହୋଇଥିଲା । ଏହାର ୯ ଦିନ ପରେ  ଅର୍ଥାତ ୧୪ ତାରିଖରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି  ଏ ନେଇ ଆଲୋଚନା କରିଥିବା  ଜଣାପଡ଼ିଛି । 

ଉପମୁଖ୍ୟମନ୍ତ୍ରୀ  ଅଜିତ ପାୱାର କହିଛନ୍ତି, ଡିସେମ୍ବର  ୧୪ରେ କ୍ୟାବିନେଟ୍‌ ସମ୍ପ୍ରସାରଣ ହେବ । ମନ୍ତ୍ରୀମାନଙ୍କର ଶପଥ ଉତ୍ସବ ଅନୁଷ୍ଠିତ ହେବ । ତେବେ ବିଭାଗ ଆବଣ୍ଟନ ନେଇ ଏବେ  ନିଷ୍ପତ୍ତି ହୋଇନାହିଁ । କ୍ୟାବିନେଟ୍‌ ଗଠନ ଫର୍ମୁଲା ସ୍ଥିର ହୋଇସାରିଛି । ଏହା ପୂର୍ବରୁ ଫଡନବିସ୍‌ ବୁଧବାର ବିଳମ୍ବିତ ରାତିରେ ଶାହଙ୍କୁ  ଭେଟିଥିଲେ । ଅଜିତ ପାୱାର ଗୁରୁବାର  ଶାହଙ୍କୁ ସାକ୍ଷାତ କରିଛନ୍ତି । 

ସୂତ୍ର  ମୁତାବକ, ଶାହ-ଫଡନବିସ୍‌ଙ୍କ ସାକ୍ଷାତ  ବେଳେ ମନ୍ତ୍ରୀମଣ୍ଡଳ ଫର୍ମୁଲା ପ୍ରାୟତଃ  ସ୍ଥିର ହୋଇଯାଇଛି । ଏହା ଚୂଡ଼ାନ୍ତ ଅନୁମୋଦନ ହାସଲ କରିପାରେ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ପଦ  ଆବଣ୍ଟନ ଫର୍ମୁଲା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଏହା ଅନୁସାରେ ବିଜେପିକୁ ୨୦, ଶିବସେନାକୁ ୧୨ ଓ ଏନ୍‌ସିପିକୁ ୧୦ ମନ୍ତ୍ରୀ ପଦ ମିଳିପାରେ । ରାଜ୍ୟରେ  ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୪୩ ମନ୍ତ୍ରୀ ହୋଇପାରନ୍ତି । ଏହା ପୂର୍ବରୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଫଡନବିସ୍‌ଙ୍କ ପାଖରେ ଗୃହ ମନ୍ତ୍ରଣାଳୟ ରହିଥିଲା । ସେ ଏବେ ଏହାକୁ ଛାଡ଼ିବାକୁ ଚାହୁଁ ନ ଥିବା ବେଳେ ସିନ୍ଦେ ଏହାକୁ ଦାବି କରୁଛନ୍ତି । ତେଣୁ ଗୃହ ମନ୍ତ୍ରଣାଳୟକୁ ନେଇ ବିବାଦ ରହିଥାଇପାରେ । 

ବିଜେପି ଗୃହ, ରାଜସ୍ୱ, ଉଚ୍ଚଶିକ୍ଷା, ଆଇନ, ଶକ୍ତି, ଗ୍ରାମୀଣ ବିକାଶ  ବିଭାଗ ନିଜ ପାଖରେ ରଖିବାକୁ ଚାହୁଁଛି । ଦୁଇଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ଫଡନବିସ୍‌, ଦୁଇ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଓ ପାୱାର ପ୍ରାୟ  ଦେଢ଼ଘଣ୍ଟା ଧରି ବୈଠକ କରିଥିଲେ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ଗଠନ, ବିଭାଗ  ଆବଣ୍ଟନ, ବିଭିନ୍ନ ଜିଲ୍ଲା ପ୍ରଭାରୀ, ନିଗମ ଅଧ୍ୟକ୍ଷ ନିଯୁକ୍ତି ଉପରେ ଚର୍ଚ୍ଚା ହୋଇଥିଲା