ନୂଆଦିଲ୍ଲୀ,୨୧/୦୯: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ । ହ୍ୟାକର୍ସମାନେ ଆକାଉଣ୍ଟରୁ ପାକିସ୍ତାନ ଏବଂ ତୁର୍କୀର ପତାକା ଥିବା ପୋଷ୍ଟ ସେୟାର କରିଥିଲେ, ହେଲେ ସମସ୍ତ ପୋଷ୍ଟ କିଛି ସମୟ ପରେ ହଟାଇ ଦିଆଯାଇଥିଲା। ଏକନାଥ ସିନ୍ଦେଙ୍କ କାର୍ଯ୍ୟାଳୟ କହିଛି ଯେ, ବୈଷୟିକ ଟିମ୍ ତୁରନ୍ତ କାର୍ଯ୍ୟ କରି ଆକାଉଣ୍ଟଟିକୁ ରିକୋଭରୀ କରିଛନ୍ତି। ବର୍ତ୍ତମାନ ଆକାଉଣ୍ଟଟି ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି। ଭାରତରେ ହ୍ୟାକିଂ ଏବଂ ସାଇବର ଅପରାଧ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରି ଘଟଣା ଯୋଗୁଁ ଦେଶ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ହରାଇ ଆସୁଛି।୨୦୨୪ ମସିହାରେ ହୋଇଥିବା ପ୍ରମୁଖ ଘଟଣାଗୁଡ଼ିକ ମଧ୍ୟରେ WazirX କ୍ରିପ୍ଟୋ ଏକ୍ସଚେଞ୍ଜରେ $୨୩୦ ନିୟୁତ ହ୍ୟାକିଂ, BSNL ଡାଟା ବ୍ରିଚ୍ ଏବଂ ଷ୍ଟାର ହେଲ୍ଥରେ ୭.୨୪ ଡାଟା ଲିକ ଅନ୍ତର୍ଭୁକ୍ତ । ଏହି ସାଇବର ଆଟାକ ମୁଖ୍ୟତ୍ଃ ଟେଲିକମ୍, ଫାଇନାନ୍ସ, ସ୍ୱାସ୍ଥ୍ୟସେବା ଏବଂ ଏନର୍ଜି ସେକ୍ଟର ଟାର୍ଗେଟ କରୁଛି । ୨୦୨୫ ରେ ଏଆଇ ଚାଳିତ ଠକେଇ ଆହୁରି ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି।

ଡିଜିଟାଲ୍ କାରବାର AIର ଅପବ୍ୟବହାର ଏବଂ ଭୂ-ରାଜନୈତିକ ଉତ୍ତେଜନା ସାଇବର ଅପରାଧର ମୁଖ୍ୟ କାରଣ। ତେଣୁ ଲୋକମାନଙ୍କୁ ସତର୍କ ରହିବା ଆବଶ୍ୟକ। ସନ୍ଦିଗ୍ଧ ଲିଙ୍କରେ କ୍ଲିକ୍ କରିବାରୁ ବଞ୍ଚନ୍ତୁ, ଦୃଢ଼ ପାସୱାର୍ଡ ବ୍ୟବହାର କରନ୍ତୁ, ଏବଂ ତୁରନ୍ତ ୧୯୩୦କୁ କଲ୍ କରନ୍ତୁ କିମ୍ବା cybercrime.gov.in ରେ ଠକେଇ ରିପୋର୍ଟ କରନ୍ତୁ। ସରକାର I4C ଏବଂ CERT-In ମାଧ୍ୟମରେ ପଦକ୍ଷେପ ନେଇଛନ୍ତି, କିନ୍ତୁ ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ହ୍ୟାକର୍ସମାନେ ଜଣେ ରାଜନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍ କରିଛନ୍ତି। ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଛି। ତେଣୁ, ରାଜନେତାମାନଙ୍କୁ ସେମାନଙ୍କର ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ବିଷୟବସ୍ତୁକୁ ହ୍ୟାକର୍ସଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ନୂତନ ଉପାୟ ଖୋଜିବାକୁ ପଡିବ।