ଲକ୍ଷ୍ନୌ, ୧୭/୧୦ : ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀଙ୍କ ଘରେ କାମ କରୁଥିବା ଚାକରାଣୀ ତାଙ୍କ ରୋଷେଇ ଘରେ ଏକ ପାତ୍ରରେ ପରିସ୍ରା କରି ସେଥିରେ ଅଟା ଦଳି ରୁଟି ତିଆରି କରୁଥିବା ଅଭିଯୋଗ ହୋଇଛି । 

ଘଟଣାଟି କ୍ରସିଙ୍ଗ ରିପବ୍ଲିକ୍‌ ଥାନା କ୍ଷେତ୍ର ଅଞ୍ଚଳର । ବ୍ୟବସାୟୀଙ୍କ ପୂରା ପରିବାର ଲଗାତର ଅସୁସ୍ଥ ରହିବାରୁ ତାଙ୍କର ପତ୍ନୀଙ୍କୁ ସନ୍ଦେହ ହୋଇଥିଲା । ସେମାନେ ଲିଭର ସଂକ୍ରାନ୍ତ ରୋଗର ଶିକାର ହୋଇଥିଲେ । ଏହାପରେ ସେ ଚୁପ୍‌ଚାପ୍‌ ମୋବାଇଲ୍‌ କ୍ୟାମେରା ଅନ୍‌ କରି ରୋଷେଇ ଘରେ ରଖିଥିଲେ । ସେଥିରେ ଚାକରାଣୀର କାରନାମା ରେକର୍ଡ ହୋଇଥିଲା । ପରେ ବ୍ୟବସାୟୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବାରୁ ଚାକରାଣୀକୁ ଗିରଫ କରାଯାଇଛି । ସେ ୮ ବର୍ଷ ଧରି ବ୍ୟବସାୟୀଙ୍କ ଘରେ କାମ କରୁଥିଲା । ପୁଲିସର ପଚରାଉଚରା ସମୟରେ ସେ ପ୍ରଥମେ ଅଭିଯୋଗକୁ ଖଣ୍ଡନ କରିଥିଲା । କିନ୍ତୁ ରେକର୍ଡିଂ ଦେଖିବା ପରେ ସେ ଚୁପ୍‌ ହୋଇଯାଇଥିଲା । ସଂକ୍ରାମକ ରୋଗ ପ୍ରସାର ଅଭିଯୋଗରେ ପୁଲିସ ଚାକରାଣୀ ବିରୋଧରେ ମାମଲା ରୁଜୁ କରିଛି ।