କୋଲକାତା, ୧୦।୬: ପଶ୍ଚିମବଙ୍ଗରେ ସତ୍ତା ପରିବର୍ତ୍ତନ ପରେ ଏବେ ତୃଣମୂଳ କଂଗ୍ରେସ (ଟିଏମସି) ରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଦଳ ଏବେ ତାସ ଘର ଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସୂତ୍ର ଅନୁଯାୟୀ, ମମତା ବାନାର୍ଜୀଙ୍କ ଅତି ବିଶ୍ୱସ୍ତ ତଥା ଟିଏମସିର ଫାୟାରବ୍ରାଣ୍ଡ ନେତ୍ରୀ ସୟାନୀ ଘୋଷ ମଧ୍ୟ ଏବେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇଛନ୍ତି । ଆଗକୁ ଟିଏମସିର ୨୦ ଜଣ ଲୋକସଭା ସାଂସଦ ମମତାଙ୍କ ହାତ ଛାଡ଼ିବେ ବୋଲି ଖବର ମିଳିଛି, ଯେଉଁଥିରେ ସୟାନୀ ଘୋଷ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଭଳି ପ୍ରମୁଖ ଚେହେରା ସାମିଲ ଅଛନ୍ତି । କେବଳ ସେତିକି ନୁହେଁ, ଦଳର ଦୁଇ ଜଣ ପ୍ରଭାବଶାଳୀ ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ସୟାନୀ ଘୋଷ ବେଙ୍ଗଲର ଜାଦବପୁର ଲୋକସଭା ଆସନରୁ ଟିଏମସି ସାଂସଦ ଅଛନ୍ତି ।
ମମତାଙ୍କ ରାଜନୈତିକ କ୍ୟାରିୟରର ସବୁଠୁ ଖରାପ ସମୟ:
ପଶ୍ଚିମବଙ୍ଗରେ ଦୀର୍ଘ ୧୫ ବର୍ଷର ଶାସନ ହରାଇବା ପରେ ମମତା ବାନାର୍ଜୀ ଏବେ ତାଙ୍କ ଜୀବନର ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ତାଙ୍କ ସାମ୍ନାରେ ଏବେ ଦଳ ଏବଂ ସଂଗଠନ ଉଭୟକୁ ବଞ୍ଚାଇବା ଏକ ବଡ଼ ଆହ୍ୱାନ ପାଲଟିଛି । ଦଳ ମଧ୍ୟରେ ଚାଲିଥିବା ଏହି ବିଦ୍ରୋହ ଯୋଗୁଁ ଯେଉଁମାନେ ଦିନେ ମମତାଙ୍କ ଅତି ଆପଣାର ଥିଲେ, ସେମାନେ ଏବେ ଦଳ ଛାଡ଼ୁଛନ୍ତି । ବିରୋଧୀ ସ୍ୱର ଯୋଗୁଁ ମମତା ବର୍ତ୍ତମାନ ସମ୍ପୂର୍ଣ୍ଣ ଏକା ହୋଇପଡ଼ିଛନ୍ତି ଏବଂ ଦଳର ଅସ୍ତିତ୍ୱ ଉପରେ ସଙ୍କଟ ଦେଖାଦେଇଛି ।
କେମିତି ଆରମ୍ଭ ହେଲା ବିଦ୍ରୋହ ?
ଟିଏମସିରେ ଏହି ବିଦ୍ରୋହର ସୂତ୍ରପାତ ଋତବ୍ରତ ବାନାର୍ଜୀ ଏବଂ ସନ୍ଦୀପନ ସାହାଙ୍କ ବହିଷ୍କାର ପରେ ଆରମ୍ଭ ହୋଇଥିଲା । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମମତା ଏହି ଦୁଇ ନେତାଙ୍କୁ ଦଳରୁ ବାହାର କରିଦେଇଥିଲେ । ଏହାପରେ ଋତବ୍ରତ ବାନାର୍ଜୀ ବାଗୀ ସାଜି ନିଜ ସହ ୫୮ ଜଣ ବିଧାୟକଙ୍କୁ ନେଇ ବିରୋଧୀ ଦଳର ନେତା ବନିଯାଇଥିଲେ । ଯଦିଓ ଏହି ସମସ୍ତ ବିଧାୟକ ବେଙ୍ଗଲ ବିଧାନସଭାରେ ଏବେ ବି ଟିଏମସିର ବୋଲି ଜଣାପଡ଼ିଛି । କିନ୍ତୁ ଏହାପରେ ସାଂସଦମାନଙ୍କ ପାଳି ଆସିଥିଲା ।
ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ବୈଠକ: ସଂସଦରେ ଅଲଗା ଗୋଷ୍ଠୀ ଦାବି
ସାମ୍ନାକୁ ଆସିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ଟିଏମସିର ବରିଷ୍ଠ ସାଂସଦ କାକୋଲି ଘୋଷଙ୍କ ନେତୃତ୍ୱରେ ଅନେକ ସାଂସଦ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଏକ ଗୁପ୍ତ ବୈଠକ କରିଥିଲେ । ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ବାଗୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ୨୦ ଜଣ ସାଂସଦଙ୍କ ସ୍ଵାକ୍ଷର ରହିଛି । ସାଂସଦ କାକୋଲି ଘୋଷ ସଂସଦରେ ଏକ ଅଲଗା ଗୋଷ୍ଠୀ ଗଠନ ପାଇଁ ଦାବି କରିଛନ୍ତି । ପ୍ରକାଶ ଥାଉ କି, ଲୋକସଭାରେ ତୃଣମୂଳ କଂଗ୍ରେସର ମୋଟ ୨୮ ଜଣ ସାଂସଦ ରହିଛନ୍ତି ।
ଦୁଇ ରାଜ୍ୟସଭା ସାଂସଦଙ୍କ ଇସ୍ତଫା:
ଗତ ସୋମବାର ଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯେତେବେଳେ ମମତା ବାନାର୍ଜୀ ଦିଲ୍ଲୀରେ 'ଇଣ୍ଡି ମେଣ୍ଟ' ବୈଠକରେ ଯୋଗ ଦେବାକୁ ଯାଇଥିଲେ, ଠିକ୍ ସେହି ସମୟରେ ଏହି ଇସ୍ତଫା ମମତାଙ୍କୁ ଏକ ବଡ଼ ଝଟକା ଦେଇଛି । ଏହାର ଦୁଇ ଦିନ ପରେ ଅର୍ଥାତ୍ ବୁଧବାର ଅନ୍ୟତମ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ମଧ୍ୟ ଟିଏମସି ସହ ସମ୍ପର୍କ ଛିନ୍ନ କରିଛନ୍ତି । ସୁସ୍ମିତା ୨୦୨୧ ମସିହାରେ କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ ହୋଇଥିଲେ । ଇସ୍ତଫା ଦେବା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିଥିବା ଜଣାପଡ଼ିଛି । ଏହି ଦୁଇ ପ୍ରମୁଖ ସାଂସଦଙ୍କ ଇସ୍ତଫା ଏବଂ ଲୋକସଭା ସାଂସଦଙ୍କ ବିଦ୍ରୋହ ସ୍ପଷ୍ଟ କରୁଛି ଯେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।
ଆହୁରି ପଢ଼ନ୍ତୁ.. TMC : ତୃଣମୂଳ କଂଗ୍ରେସକୁ ଝଟକା ପରେ ଝଟକା, ସୁଖେନ୍ଦୁଙ୍କ ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଲେ ସୁସ୍ମିତା ଦେବ