ପାଟନା,୧୭/୧୧: ପାଟନାର ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ (ଏନ୍‌ଏମ୍‌ସିଏଚ୍‌)ରେ ଏକ ଅଭାବନୀୟ ଘଟଣା ଘଟିଛି ।  ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କର ଆଖିକୁ  ତାଡ଼ି ନିଆଯାଇଛି । ରୋଗୀଙ୍କ ପରିବାର ଲୋକ ହସ୍ପିଟାଲରେ ହଙ୍ଗାମା  କରିବା ପରେ ଘଟଣା ଲୋକଲୋଚନକୁ ଆସିଛି । ଏହାକୁ ନେଇ  ଆଲମଗଞ୍ଜ ଥାନାରେ ମାମଲା ଦାୟର ହୋଇଛି । 

ନଭେମ୍ବର ୧୪ରେ  ନାଳନ୍ଦା ନିବାସୀ ଫଣ୍ଟୁଶ କୁମାରଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି  କରାଯାଇଥିଲା । ତାଙ୍କ ପେଟରେ ଗୁଳି ବାଜିଥିଲା। ଚିକିତ୍ସା ଚାଲିଥିବା ବେଳେ ଶନିବାର ସେ ଆଖି ବୁଜିଥିଲେ । ଏହାପରେ ପରିବାର ଲୋକ ଯାଇ ଦେଖିଲା ବେଳକୁ ଫଣ୍ଟୁଶଙ୍କର ଗୋଟିଏ ଆଖି ଗାଏବ ଥିଲା ।  

ଏହି ମାମଲାକୁ ନେଇ ଜଣେ ଡାକ୍ତର ସଫେଇ ଦେଇ କହିଛନ୍ତି, ସମ୍ଭବତଃ ରୋଗୀଙ୍କ ଆଖିକୁ ମୂଷା ନେଇଯାଇଥିବ । ହସ୍ପିଟାଲର  ଅଧୀକ୍ଷକ ଡା. ବିନୋଦ ସିଂହ କହିଛନ୍ତି, ଫଣ୍ଟୁଶଙ୍କୁ ଚିକିତ୍ସା ଲାଗି ଗତ ଗୁରୁବାର ହସ୍ପିଟାଲକୁ ଅଣାଯାଇଥିଲା । ପେଟରେ ଗୁଳି ବାଜିଥିବାରୁ  ପରଦିନ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାରର ୩୬ ଘଣ୍ଟା ପରେ  ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କର ବାମ ଆଖି ଗାଏବ ଥିବା ପରିବାର ଲୋକେ କହିଥିଲେ । ସେମାନଙ୍କ  ଅଭିଯୋଗକୁ ନେଇ ତଦନ୍ତ କରାଯାଉଛି । ଆଖିକୁ ମୂଷା ନେଇଛି କି ବୋଲି ପଚାରିବାରୁ ସେ କହିଛନ୍ତି, ତାହା ବି ହୋଇପାରେ । ଘଟଣାର  ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସବୁ ଖୁଲାସା ହୋଇଯିବ।