ନୂଆଦିଲ୍ଲୀ,୨୫/୧ : ୨୦୨୬ ଟି-୨୦ ବିଶ୍ବକପ ଲାଗି ଏବେ ପର୍ଯ୍ୟନ୍ତ ୧୬ଦେଶର ଟିମ୍ ସାମ୍ନାକୁ ଆସି ସାରିଛନ୍ତି । ପାକିସ୍ତାନ ବି ନିଜ ବିଶ୍ବକପ୍ ସ୍କ୍ବାର୍ଡ଼ ଘୋଷଣା କରିଦେଇଛି । ଯେଉଁଥିରେ ହାରିସ ରଉଙ୍କ ଭଳି ବଡ଼ ନାଁ ବି ଗାୟବ ଅଛି । ବିଶ୍ବକପର ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କରେ ଖେଳାଯିବାକୁ ଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟ ୭ଫେବୃଆରୀରୁ ୮ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ପ୍ରାୟ ସମସ୍ତ ବଡ଼ ଟିମର ସ୍କ୍ବାର୍ଡ଼ ଘୋଷଣା ହୋଇସାରିଛି । ମାତ୍ର ଯାହା ଦେଖିବାକୁ ମିଳୁଛି ଏହି ସ୍କ୍ବାର୍ଡ଼ରେ କେତେକ ମହାନ ଖେଳାଳୀଙ୍କ ନାଁ ସାମିଲ ନାହିଁ । ଆସନ୍ତୁ ଜାଣିବା କେଉଁମାନେ ବାଦ୍ ପଡ଼ିଛନ୍ତି ।

ହାରସି ରଊଫ ଆଉଟ୍

୨୦୨୬ ଟି-୨୦ ବିଶ୍ବକପ୍ ଲାଗି ପାକିସ୍ତାନ ଟିମରେ ବାବର ଆଜମ ଫେରିଛନ୍ତି । କିନ୍ତୁ ହାରିସ ରଊଫ ବାହାରେ ଅଛନ୍ତି । କୋଚ୍ ମାଇକ ହ୍ୟାସନ ଏହାର କାରଣ କହିବାକୁ ଯାଇ କହିଛନ୍ତି କି ରଊଫଙ୍କ ସ୍କ୍ବାର୍ଡ଼ରେ ସାମିଲ୍ କରିବା ଉପରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଶାହୀନ ଅଫରୀଦୀ, ସଲମାନ ମିର୍ଜା ଏବଂ ନସୀମ ଶାହ, ମ୍ୟାଚର ତୃତୀୟ ଚରଣରେ ବୋଲିଂ କରିପାରନ୍ତି , ଏଥିଲାଗି ତାଙ୍କ ଅଧିକ ମହତ୍ବ ଦିଆଯାଇଛି ।

ଲିଭିଂଷ୍ଟୋନ୍ ଏବଂ ଫରେରା ପଡ଼ିଲେ ବାଦ୍

ଲିୟାମ୍ ଲିଭିଂଷ୍ଟୋନ୍ଙ୍କ କଥା କହିବାକୁ ଗଲେ, ତାଙ୍କର ବର୍ତ୍ତମାନର ଫର୍ମ ବହୁତ ଖରାପ ରହିଛି । ୨୦୨୪ ଟି-୨୦ ବିଶ୍ୱକପ୍ ପରଠାରୁ ସେ ୧୩ ଟି-୨୦ ଇନିଂସରେ ୨୭୫ ରନ କରିଛନ୍ତି । ଯେଉଁଥିରେ କେବଳ ଗୋଟିଏ ଅର୍ଦ୍ଧ ଶତକ ରହିଛି । ୨୦୨୫ରେ ସେ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ କେବଳ ୭୪ରନ କରିଥିଲେ। ଏହି ଖରାପ ଫର୍ମ ତାଙ୍କ ପାଇଁ ସମସ୍ୟାର କାରଣ ହୋଇ ରହିଛି।

ଦକ୍ଷିଣ ଆଫ୍ରିକାର ୱିକେଟକିପର-ବ୍ୟାଟସମ୍ୟାନ ଡୋନୋଭାନ ଫରେରା ୨୦୨୩ମସିହାରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଡେବ୍ୟୁ କରିଥିଲେ । ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱରେ ଏକ ଛାପ ସୃଷ୍ଟି କରିଛନ୍ତି । ଫରେରାଙ୍କୁ ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକାର ଅସ୍ଥାୟୀ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ସେ ଆଘାତରୁ ସୁସ୍ଥ ହୋଇ ନଥିବା ଯୋଗୁଁ ସେ ଟୁର୍ଣ୍ଣାମେଣ୍ଟରୁ ବଞ୍ଚିତ ହେବେ।

ଷ୍ଟିଭ୍ ସ୍ମିଥ୍

ଷ୍ଟିଭ୍ ସ୍ମିଥ୍ ବିବିଏଲ୍ ୨୦୨୫-୨୬ରେ ତାଙ୍କ ବ୍ୟାଟିଂ ବହୁ ଚର୍ଚ୍ଚା ସାଉଣ୍ଟିଥିଲା । ୬ଟି ଇନିଂସରେ ୨୯୯ ରନ୍ କରିଥିଲେ। ତାଙ୍କର ହାରାହାରି ପ୍ରତିଶତ ୫୯.୮୦ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ପ୍ରାୟ ୧୬୮ ଥିଲା। ସ୍ମିଥ୍ ଆଶା କରିଥିଲେ ଯେ, ଏହି ଦମଦାର୍ ପ୍ରଦର୍ଶନ ତାଙ୍କୁ ଅଷ୍ଟ୍ରେଲିଆର ବିଶ୍ୱକପ୍ ସ୍କ୍ବାର୍ଡ଼ରେ ସ୍ଥାନ ଦେବ । କିନ୍ତୁ ଦୁର୍ଭାଗ୍ୟବଶତଃ, ତାହା ହୋଇନଥିଲା।

ଯଶସ୍ୱୀ ଜୟସୱାଲ

ଯଶସ୍ୱୀ ଜୟସୱାଲଙ୍କ ଟି-୨୦ କ୍ୟାରିୟରର ଆରମ୍ଭ ଏକ ଆଦର୍ଶ ଥିଲା। ଏ ପର୍ଯ୍ୟନ୍ତ ସେ ୨୩ଟି ମ୍ୟାଚ୍ରେ ୩୬.୧୫ ହାରରେ ୭୨୩ ରନ୍ କରିଛନ୍ତି। ଜୟସୱାଲଙ୍କ ଷ୍ଟ୍ରାଇକ୍ ରେଟ୍ ୧୬୪.୩୧ ଏବଂ ଟି-୨୦ କ୍ୟାରିୟରର ମାତ୍ର ୨୩ଟି ମ୍ୟାଚ୍ରେ ସେ ଗୋଟିଏ ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତଥାପି, ବର୍ତ୍ତମାନର ଦଳରେ ଓପନିଂ ସ୍ଥାନ ଖାଲି ନାହିଁ। ଦୁର୍ଭାଗ୍ୟବଶତଃ, ତାଙ୍କୁ ଟି-୨୦ ବିଶ୍ୱକପରେ ମିସ୍ କରିବାକୁ ପଡ଼ିବ।