ଭୁବନେଶ୍ୱର,୨୬/୧୨: ଏବେ ମନୋରଞ୍ଜନ ଶିଳ୍ପରେ ଜେନେରେଟିଭ ଏଆଇ ବ୍ୟବହାର ବଢ଼ିଛି । ଏଆଇ ନ୍ୟୁଜ ଆଙ୍କର ପରେ ଏବେ ଏଆଇରେ ହିନ୍ଦୀ ସିଙ୍ଗର ଏବଂ ମଡେଲ ମାୟାକୁ ଉନ୍ମୋଚନ କରାଯାଇଛି । ଓଡ଼ିଆ ଟେକ୍ନୋକ୍ରାଟ ସନ୍ଦୀପ ତ୍ରିପାଠୀ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ଅଭିଜିତ ସାହୁଙ୍କ ଦ୍ୱାରା ସ୍ଥାପିତ ଷ୍ଟାସ କାନଭାସ ପକ୍ଷରୁ ଦେଶର ପ୍ରଥମ ଏଆଇ ଜେନେରେଟ ଏହି ମଡେଲ ଏବଂ ସିଙ୍ଗରର ଗୀତ ‘କୌନ ହେ ୟେ’ ଆସିଛି ।
ଉଭୟ ଏଆଇ ଟୁଲ ଏବଂ କ୍ଲିଙ୍ଗ୍ ଏଆଇ, ଓପନ୍ ସୋର୍ସ ଫ୍ଲାଟଫର୍ମ ଫ୍ଲକ୍ସକୁ ବ୍ୟବହାର କରି ମାୟାକୁ ପ୍ରସ୍ତୁତ କରାଯାଇଛି । ଏଭଳି ପ୍ରମୁଖ ଟେକ୍ନୋଲୋଜି ଟୁଲ୍ ଦ୍ୱାରା ମାୟାର ସ୍ୱର, କାୟାକଳ୍ପ, ମ୍ୟୁଜିକ ଭିଡିଓ ପ୍ରସ୍ତୁତ ହୋଇଛି । ଏଆଇ ବ୍ୟବହାର ସହ ଏହା ମନୋରଞ୍ଜନ ଶିଳ୍ପ ପାଇଁ ବିପ୍ଳବ ବୋଲି କୁହାଯାଉଛି । ଏଭଳି ପଦକ୍ଷେପ ଦ୍ୱାରା ମ୍ୟୁଜିକ, ମଡେଲିଂ ଏବଂ ଭିଡିଓ ପ୍ରଡକ୍ସନର ପ୍ରମୁଖ କେନ୍ଦ୍ରରେ ରହିଛି ଏଆଇ । ନୂଆ ‘କୌନ ହେ ୟେ’ ଟ୍ରାକ୍କୁ ଶୀଘ୍ର ଷ୍ଟ୍ରିମିଂ ପ୍ଲାଟଫର୍ମ ଗୁଡିକରେ ଉପଲବ୍ଧ କରାଯିବ ।
ଏହି କମ୍ପାନି ଏଆଇ ଭିତ୍ତିକ ଆନିମେଟେଡ ମୁଭି, କ୍ଷୁଦ୍ର ସିନେମା ସହ ଅନ୍ୟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଷ୍ଟାସ୍ କାନଭାସର ସହପ୍ରତିଷ୍ଠାତା ସନ୍ଦୀପ ତ୍ରିପାଠୀ କହିଛନ୍ତି, ମାୟା କେବଳ ଏକ ଟେକ୍ନୋଲୋଜି ସଫଳତା ନୁହେଁ, ଏହା ଭବିଷ୍ୟତର ଗ୍ଲୋବାଲ କଣ୍ଟେଣ୍ଟ କ୍ରିଏସନକୁ ଦର୍ଶାଉଛି । ଏଆଇ ବ୍ୟବହାର ଦ୍ୱାରା ଅଭିନବ କନ୍ସେପ୍ଟରେ କଣ୍ଟେଣ୍ଟ ପ୍ରସ୍ତୁତ କରିପାରିବେ । ଷ୍ଟାସ୍ କାନଭାସର ସହ ପ୍ରତିଷ୍ଠାତା ଅଭିଜିତ ସାହୁ କହିଛନ୍ତି, ଏକାଧିକ ଏଆଇ ଟୁଲ୍ ବ୍ୟବହାର କରି ମାୟାକୁ ପ୍ରସ୍ତୁତ କରାଯାଇଛି । ସୃଜନାତ୍ମକ ଧାରାକୁ ରୂପାନ୍ତରିତ କରିବାରେ ଏଆଇ ଏକ ପ୍ରମୁଖ ଟୁଲ ଭାବେ ଉଭା ହୋଇଛି । ମାୟା ଏ କ୍ଷେତ୍ରରେ ଆମର ପ୍ରଥମ ପାହାଚ।