- ୟୁନିସେଫ୍, ଏମ୍ସ ଓ ଆଇଆଇଟି, ଭୁବନେଶ୍ୱରର ସର୍ଭେ
- ୯୪% ସ୍କୁଲ ଶୌଚାଳୟରେ ଋତୁସ୍ରାବ ସ୍ୱଚ୍ଛତା ବ୍ୟବସ୍ଥା ନାହିଁ
- ୫୬% ସ୍କୁଲରେ ବର୍ଜ୍ୟବସ୍ତୁ ନଷ୍ଟ ପାଇଁ ସୁବିଧା ନାହିଁ
- ୧୨୧ଟି ସ୍କୁଲ, ୫୬ଟି ସରକାରୀ ଅନୁଷ୍ଠାନ ସାମିଲ
ଭୁବନେଶ୍ୱର, ୯/୦୬ : ଛାତ୍ରୀଙ୍କ ମାସିକ ଋତୁସ୍ରାବ ପାଠ ପଢ଼ାରେ ବାଧକ ସାଜୁଛି । ଋତୁସ୍ରାବ ସମୟରେ ବିଦ୍ୟାଳୟରେ ଖରାପ ବ୍ୟବସ୍ଥା ଓ ସାମାଜିକ ବାସନ୍ଦ ଭୟରେ ଛାତ୍ରୀ ସ୍କୁଲ ଯିବା ବନ୍ଦ କରୁଛନ୍ତି । ରାଜ୍ୟର ପ୍ରାୟ ୭୪% ଛାତ୍ରୀ ପ୍ରତି ମାସିକ ଚକ୍ରରେ ୧ରୁ୮ ଦିନ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ଆସୁନାହାନ୍ତି । ସେମାନଙ୍କ ସ୍କୁଲ୍ ଅନୁପସ୍ଥିତି ବଡ଼ ଚିନ୍ତାର ବିଷୟ ପାଲଟିଛି । ନିକଟରେ କରାଯାଇଥିବା ଅଧ୍ୟୟନରୁ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିୁଛି ।
ୟୁନିସେଫ୍, ଆଇନା, ୱାଟର ଏଡ୍, ଏମ୍ସଭୁବନେଶ୍ୱର ଓ ଆଇଆଇଟି-ଭୁବନେଶ୍ୱର ଭଳି ସଂଗଠନ ମିଳିତ ଭାବେ ସର୍ଭେ କରିଥିଲେ । ସେମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୧୨୧ଟି ସ୍କୁଲ ଓ ୫୬ଟି ସରକାରୀ ଅନୁଷ୍ଠାନ ସମେତ ମୋଟ ୧୭୭ଟି କ୍ଷେତ୍ରକୁ ନେଇ ସର୍ଭେ କରିଥିଲେ । ସେଥିରୁ ଜଣାପଡ଼ିଥିଲା, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ପରିମଳ ଭିତ୍ତିଭୂମି, ସଚେତନତା ଏବଂ ପ୍ରାତିଷ୍ଠାନିକ ସହାୟତା ବ୍ୟବସ୍ଥାରେ ଅନେକ ଅଭାବ ରହିଛି । ଛାତ୍ରୀଙ୍କ ଶାରୀରିକ ଯନ୍ତ୍ରଣା ଏବଂ ଅସହଜତାକୁ ସ୍କୁଲ ନ ଯିବାର ମୁଖ୍ୟ କାରଣ ଭାବେ ଚିହ୍ନଟ କରାଯାଇଥିଲା । ଋତୁସ୍ରାବ ଜନିତ ଗୋପନୀୟତାର ଅଭାବ, ଅପର୍ଯ୍ୟାପ୍ତ ସୁବିଧା ଏବଂ ସାମାଜିକ ବାସନ୍ଦ ମଧ୍ୟ ଅନ୍ୟତମ ବଡ଼ କାରଣ ସାଜିଛି ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛି ।
ଆହୁରି ପଢନ୍ତୁ- ଏକାମ୍ର କଲେଜରେ ୨୦୦ ବର୍ଷର ବରଗଛ, ବନ୍ୟଜୀବଙ୍କ ପାଇଁ ପାଲଟିଛି ସୁରକ୍ଷିତ ଆଶ୍ରୟସ୍ଥଳୀ
ସର୍ଭେରୁ ଜଣାପଡ଼ିଛି, ୯୪% ସ୍କୁଲରେ ଝିଅଙ୍କ ପାଇଁ ପୃଥକ ଶୌଚାଳୟ ରହିଛି । ସେଠାରେ ମୌଳିକ ଋତୁସ୍ରାବ ସ୍ୱଚ୍ଛତା ସହାୟତା ବ୍ୟବସ୍ଥା, ପାଣି ଓ ସାବୁନର ଅଭାବ ସବୁଠାରୁ ବଡ଼ ବାଧା ସାଜିଛି । ପ୍ରାୟ ୫୬% ସ୍କୁଲରେ ଋତୁସ୍ରାବ ବର୍ଜ୍ୟବସ୍ତୁ ନଷ୍ଟ କରିବା ପାଇଁ କୌଣସି ସୁବିଧା ନାହିଁ । ସ୍କୁଲଗୁଡ଼ିକରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ ମଧ୍ୟ ଆଉ ଏକ ଚିନ୍ତାର ବିଷୟ । ମାତ୍ର ୨୭% ସ୍କୁଲରେ ନର୍ସ ବା ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ୪୪% ସ୍କୁଲରେ ଫାଷ୍ଟ ଏଡ୍ କିଟ୍ ରହିଛି । ଅନ୍ୟ ଏକ ସର୍ଭେରେ ୮୦୦ଜଣ ମତ ଦେଇଛନ୍ତି ଯେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ସମସ୍ତଙ୍କ ପାଇଁ ଉପଯୁକ୍ତ ଏବଂ ଋତୁସ୍ରାବ ଅନୁକୂଳ ଶୌଚାଳୟର ଅଭାବ । ତେଣୁ ମହିଳାଙ୍କ ପାଇଁ ଋତୁସ୍ରାବ ଜନିତ ଭିତ୍ତିଭୂମି ତିଆରି କରିବା ଆବଶ୍ୟକତା ରହିଛି । ଏହା ହୋଇପାରିଲେ ମହିଳା, ଛାତ୍ରୀ ଓ ଭିନ୍ନକ୍ଷମଙ୍କ ପାଇଁ ସହଜ ହେବ । ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱଚ୍ଛତା ଓ ଆରାମଦାୟକ ପରିବେଶ ସୁନିଶ୍ଚିତ କରାଯିବା ଉଚିତ ବୋଲି ସର୍ଭରେ କୁହାଯାଇଛି ।