ଗୋପାଳପୁର, ୧/୯: ଗୋପାଳପୁରରେ ଅଘଟଣ। ଥାନା ପରିସରରେ ଫିନାଇଲ ପିଇ ଗୁରୁତର ହେଲେ ନାବାଳିକା। ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କଲା ପୁଲିସ। 

ସୂଚନା ମୁତାବକ, ଜଣେ ୧୭ ବର୍ଷୀୟା ନାବାଳିକା ଛାତ୍ରୀ ତାଙ୍କ ପ୍ରେମିକ ସହ ଥାନାକୁ ଆସିଥିଲେ। ହେଲେ କୌଣସି କାରଣରୁ ସେ ଥାନା ପରିସରରେ ଫିନାଇଲ ପିଇ ଦେଇଥିଲେ। ଏହାପରେ ନାବାଳିକା ଜଣଙ୍କ ଗୁରୁତର ହୋଇପଡିବାରୁ ପୋଲିସ ତାଙ୍କୁ ନେଇ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି। ଅନ୍ୟପଟେ ତାଙ୍କ ପ୍ରେମିକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। 

ଅଟକ ଯୁବକ ଜଣଙ୍କ ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲିର କେଦାର ଦାସ (୨୯)। ସେ ଏମକେସିଜିରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କ ବାଇକ ଓ ମୋବାଇଲ ଫୋନ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଖବର ପ୍ରକାରେ କେଦାର ସୋମବାର ମଧ୍ୟାହ୍ନ ସମୟରେ ତାଙ୍କ ପ୍ରେମିକାଙ୍କୁ ଫୋନ କରି ଖଲ୍ଲିକୋଟ କଲେଜ ଡାକିଥିଲେ। ସେଠାରୁ ଛାତ୍ରୀଙ୍କୁ ନିଜ ବାଇକରେ ବସାଇ ଗୋପାଳପୁର ଆସିଥିଲେ। ଉକ୍ତ ଯୁବକ ଜଣଙ୍କ ୭୦୦ ଟଙ୍କା ଦେଇ ସେଠାରେ ଥିବା ଏକ ଲଡ଼ଜିଂରେ ଏକ ରୁମ ବୁକ କରିଥିଲେ। ସେମାନେ ସେହି ରୁମରେ ପ୍ରାୟ ଦୁଇ ଘଣ୍ଟା ରହିବା ପରେ ଟଙ୍କା ପାଇଁ ଝଗଡା ହୋଇଥିଲା। ପରେ ଲଡ଼ଜିଂ ମାଲିକ ତାଙ୍କୁ ରୁମ ଛାଢ଼ିବାକୁ ବାଧ୍ୟ କରିଥିଲେ। ଏହାପରେ ସେମାନେ ବାହାରକୁ ଆସିଥିଲେ। 

ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁକୁ ଥାନାକୁ ନେବାକୁ କହିଥିଲେ। ଉଭୟେ ଥାନାରେ ପହଞ୍ଚି ଥିଲେ ଓ କିଛି ଛାତ୍ରୀ ଲଡ଼ଜିଂକୁ ଆସୁଥିବା ଥାନା ଅଧିକାରୀଙ୍କୁ କହିଥିଲେ l ଲିଖିତ ଅଭିଯୋଗ କଲେ ତଦନ୍ତ କରିବୁ ବୋଲି ଥାନା ଅଧିକାରୀ କହିଥିଲେ l ଛାତ୍ରୀ ଜଣଙ୍କ ନାବାଳିକା ହୋଇଥିବାରୁ ଡକାଇ ହସ୍ତାନ୍ତର କରିବା ପାଇଁ ତାଙ୍କ ବାପା,ମାଙ୍କୁ ଡକାଯାଇଥିଲା l ଥାନାରେ ବାପା,ମା ପହଂଚିବା ପରେ ନାବାଳିକା ଜଣଙ୍କ ଭୟରେ ସାଙ୍ଗରେ ଆଣିଥିବା ଫିନାଇଲ ପିଇ ଦେଇଥିଲେ l ପରେ ପୁଲିସ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ ନେଇଯାଇଥିଲେ। 

ଏନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଜି ଅପରାହ୍ନରେ ଜଣେ ଝିଅ ଓ ଗୋଟିଏ ପୁଅ ଥାନାକୁ ଆସିଥିଲେ। ଝିଅର ପରିବାର ଲୋକଙ୍କୁ ଥାନାକୁ ଆସିବାକୁ କୁହାଯାଇଥିଲା। ଅନ୍ୟପଟେ ପୁଅକୁ ଘଟଣା ସମ୍ପର୍କ ପଚରାଉଚରାବେଳେ ଝିଅ ହଟାତ ବାନ୍ତି କରିବା ଦେଖି ତାଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଏନେଇ ପିଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ତାହାସହ ନାବାଳିକା ସୁସ୍ଥ ଥିବା ନେଇ ସୂଚନା ମଧ୍ୟ ଦେଇଛନ୍ତି l