ମୁମ୍ବାଇ ୧୮/୧୨: ବେପରୁଆ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ଅଭିନେତା ମୁକେଶ ଖନ୍ନା । ଏବେ ସେ ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ ସିହ୍ନାଙ୍କୁ ଟାର୍ଗେଟ୍‌ କରିଛନ୍ତି । ଏକ ବାର୍ତ୍ତାଳାପରେ ମୁକେଶ କହିଛନ୍ତି, ମୋ’ ମତରେ ଆଜିକାଲିର ପିଲାଙ୍କୁ ଖୁବ୍‌ ମାର୍ଗଦର୍ଶନ ଆବଶ୍ୟକ । ନୂଆ ପିଢ଼ିର ପିଲାମାନେ ବାଟ ହୁଡୁଛନ୍ତି । ଗର୍ଲଫ୍ରେଣ୍ଡ୍‌-ବୟଫ୍ରେଣ୍ଡ୍‌ଙ୍କ ସହ ବୁଲୁଛନ୍ତି । ଇଣ୍ଟର୍‌ନେଟ୍‌ ଯୋଗୁ ସେମାନେ ଭୁଲ ବାଟକୁ ଯାଉଛନ୍ତି । ଜେଜେ-ଜେଜେମା’ଙ୍କ ନାଁ ବି ସେମାନଙ୍କର ମନେ ନାହିଁ । ହନୁମାନ ମହାପ୍ରଭୁ ସଞ୍ଜୀବନୀ ବୁଟୀ କାହା ପାଇଁ ଆଣିଥିଲେ, ଜଣେ ଯୁବ କଳାକାରଙ୍କୁ ତାହା ବି ଜଣାନାହିଁ । ସେ ହେଉଛନ୍ତି ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ । ତାଙ୍କର ଏହି ଅଧୁରା ଜ୍ଞାନ ପାଇଁ ବାପା ଶତ୍ରୁଘ୍ନ ଦାୟୀ । ତାଙ୍କ ଭାଇଙ୍କ ନାଁ ଲବ ଓ କୁଶ ଏବଂ ଘର ନାଁ ରାମାୟଣ । କିନ୍ତୁ ରାମାୟଣ ବିଷୟରେ ତାଙ୍କର ଜ୍ଞାନ ନାହିଁ । 

ସେ ଆହୁରି କହିଛନ୍ତି, ସେତେବେଳେ ଲୋକେ ତାଙ୍କୁ ନେଇ ନିରାଶ ହୋଇଥିଲେ । ଏତେ ଲୋକପ୍ରିୟ କଥା ତାଙ୍କୁ ଜଣାନାହିଁ କେମିତି ବୋଲି ପ୍ରଶ୍ନ ଉଠାଇଥିଲେ । କିନ୍ତୁ ମୁକେଶଙ୍କ ମତରେ, ଏହା ସୋନାକ୍ଷୀଙ୍କର ଭୁଲ ନୁହେଁ । ଏଥିପାଇଁ ତାଙ୍କ ବାପା ଦାୟୀ । ପିଲାଙ୍କୁ ସେ ଏହା କାହିଁକି ଶିଖାଇ ନାହାନ୍ତି? ଯଦି ସେ ଶକ୍ତିମାନ ହୋଇଥାନ୍ତେ, ତେବେ ପିଲାଙ୍କୁ ବସାଇ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ବିଷୟରେ ଶିଖାଇଥାନ୍ତେ ବୋଲି ମୁକେଶ କହିଛନ୍ତି । ସୂଚନାଯୋଗ୍ୟ, ଏହି ମାମଲା ୨୦୧୯ ମସିହାର । ‘କୌନ୍‌ ବନେଗା କରୋଡ଼ପତି’ ଶୋ’ରେ ସୋନାକ୍ଷୀଙ୍କୁ ପଚରାଯାଇଥିଲା, ହନୁମାନ କାହା ପାଇଁ ସଞ୍ଜୀବନୀ ବୁଟୀ ଆଣିଥିଲେ? ଏହାର ଉତ୍ତର ସୋନାକ୍ଷୀ ଦେଇ ପାରିନଥିଲେ । ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ୍‌ କରାଯାଇଥିଲା ।