ମୁମ୍ବାଇ,୦୨/୦୧: ମୁମ୍ବାଇର ଏକ ସ୍ୱତନ୍ତ୍ର  ଅଦାଲତ ବୁଧବାର ୮ ପାକିସ୍ତାନୀ ନାଗରିକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ୧୦ ବର୍ଷ ତଳେ ଡ୍ରଗ୍ସ  ଚୋରା ଚାଲାଣ କରୁଥିବା ବେଳେ ଗିରଫ  ହୋଇଥିଲେ । କୋର୍ଟରେ ସମସ୍ତେ ଦୋଷୀ  ସାବ୍ୟସ୍ତ ହୋଇଥିଲେ । ସ୍ୱତନ୍ତ୍ର ବିଚାରପତି  ଶଶିକାନ୍ତ ବାଙ୍ଗର ସମସ୍ତ ଦୋଷୀଙ୍କ ଉପରେ  ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ବି ଲାଗୁ  କରିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୦୧୫ରେ  ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ  ତଟରେ ଏକ ବୋଟ୍‌ରୁ ପାକିସ୍ତାନୀ ନାଗରିକଙ୍କୁ  ୨୩୨ କିଲୋଗ୍ରାମ ହେରୋଇନ ସହ ଗିରଫ  କରିଥିଲା । ଏହାର ମୂଲ୍ୟ ୬.୯୬ କୋଟି  ଟଙ୍କା ଥିଲା । ତଟରକ୍ଷୀ ବାହିନୀର ଜାହାଜ  ‘ସଂଗ୍ରାମ’ର ତତ୍‌କାଳୀନ କମାଣ୍ଡିଙ୍ଗ ଅଧିକାରୀ  ସ୍ୱତନ୍ତ୍ର ଅଦାଲତଙ୍କୁ ଘଟଣା ବାବଦରେ  ଟିକିନିଖି ବଖାଣିଥିଲେ । ସେ କହିଥିଲେ  କି ପାକିସ୍ତାନର କରାଚୀରୁ ଆସିଥିବା ‘ଅଲ୍‌  ୟାସିର’ ବୋଟ୍‌କୁ ଭାରତୀୟ ସମୁଦ୍ର ସୀମାରେ  ଧରାଯାଇଥିଲା । ସେଥିରେ ଥିବା ପାକ୍‌  ନାଗରିକଙ୍କୁ ଗିରଫ କରାଯାଇଥିଲା । ସେମାନେ  ହେଉଛନ୍ତି ଅଲୀବଖ୍‌ସା ସିନ୍ଧି, ମକ୍‌ସୁଦ  ମାସିମ୍‌, ମହମ୍ମଦ ନାଥୋ, ମହମ୍ମଦ ଅହମ୍ମଦ  ଇନାୟତ, ମହମ୍ମଦ ୟୁସୁଫ ଗଗୱାନି,  ମହମ୍ମଦ ୟୁନୁସ ସିନ୍ଧି, ମହମ୍ମଦ ଗୁଲ୍‌ହସନ  ସିନ୍ଧି ଏବଂ ଗୁଲ୍‌ହସନ ସିଦ୍ଦିକ ସିନ୍ଧି ।