ବାରଣାସୀ: ଶ୍ରୀରାମ ନବମୀ ଅବସରରେ ରବିବାର ସମଗ୍ର ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହା ସହ ଉତ୍ତର ପ୍ରଦେଶର କାଶୀରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଭାଗବାନ ଶ୍ରୀରାମଙ୍କୁ ଅନ୍ତରରୁ ପୂଜା କରିଥିଲେ ମୁସଲିମ୍‌ ମହିଳା । ସେମାନେ ରାମ ଓ ସୀତାଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଫୁଲ ଓ ଦୀବ ସଜ୍ଜିତ ଥାଳି ଧରି ଆଳତୀ କରିଥିଲେ । କେବଳ ସେତିକି ନୁହେଁ,  ଓ୍ବାକଫ ଆଇନ୍‌କୁ ମଧ୍ୟ ନିଜର ସମର୍ଥନ ଜଣାଇଥିଲେ । କାଶୀର ଲମାହି ଗାଁରେ ଥିବା ସୁଭାଷ ଭବନରେ  ରବିବାର ମୁସଲିମ୍‌ ମହିଳା ଫାଉଣ୍ଡେସନ୍‌ (ଏମଏମଏଫ୍‌)  ଏବଂ ବିଶାଳ ଭାରତ ସଂସ୍ଥାନ ପକ୍ଷରୁ ରାମନବମୀ ଅବସରରେ ଭବ୍ୟ ଆଳତୀର ଆୟୋଜନ ହୋଇଥିଲା । 

ବୁର୍ଖା ପିନ୍ଧି ଥାଳି ଧରି ଶ୍ରୀରାମଙ୍କ ଆଳତୀ କରିଥିଲେ ମୁସଲିମ୍‌ ମହିଳା । ଓ୍ବାକଫ ବିଲ୍‌ ଆଇନ୍‌ରେ ପରିଣତ ହେବାକୁ ନେଇ ସେମାନେ ନିଜର ଖୁସି ବ୍ୟକ୍ତ କରିଥିଲେ । ଧର୍ମ ଗୁରୁ ଏବଂ ରାଜ ନେତା ହିନ୍ଦୁ- ମୁସଲିମ୍‌ମାନଙ୍କ ମଧ୍ୟରେ ଘୃଣା ପ୍ରସାର କରିବାକୁ ଚେଷ୍ଟା କରୁଥିଲେ ବୋଲି ସେମାନେ କହିଛନ୍ତି । ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦରୁ ଓ୍ବାକଫ ବିଲ୍‌ ପାସ୍‌ ହୋଇପାରିଲା ବୋଲି ମୁସଲିମ ମହିଳାମାନେ ବିଶ୍ବାସ କରୁଛନ୍ତି । ସେପଟେ ମୁସଲିମ ମହିଳାମାନଙ୍କ  ଶ୍ରୀରାମଙ୍କ ପ୍ରତି ଭକ୍ତି, ସମାଜରେ ହିନ୍ଦୁ- ମୁସଲିମ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଥିବା ଲୋକଙ୍କ ଗାଲରେ ଶକ୍ତ ଚାପୁଡ଼ା ବୋଲି ମତପ୍ରକାଶ ପାଇଛି ।  

ଏମଏମଏଫର ସଭାପତି ନାଜୀନ୍‌ ଅନସାରୀ ଉର୍ଦ୍ଦୁରେ ମନ୍ତ୍ର ପାଠ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଆଳତୀ କରିଥିଲେ । ଏହି ସମୟରେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସେଠାକାର ପରିବେଶ । ସେପଟେ ନାଜୀନ ଅନସାରୀ କହିଛନ୍ତି, ଆରବ, ତୁର୍କୀସ୍‌ ଏବ ମୋଗଲମାନେ ଆକ୍ରମଣ କଲେ, ଶାସନ କଲେ  ଏବଂ ଲୋକଙ୍କୁ ବହୁ ଧର୍ମରେ ବାଣ୍ଟି ଦେଇଗଲେ।  କିନ୍ତୁ ଆମେ କେବେ ବି ଆରବ ଏବଂ ତୁର୍କୀ ପରମ୍ପରାକୁ ଗ୍ରହଣ କରିପାରିବୁ ନାହିଁ । ଭାରତୀୟ ପରମ୍ପରା ଶ୍ରୀରାମଙ୍କ ଉପରେ ଆଧାରିତ । ସେ ଆମର ବଂଶଜ । ଯେତେବେଳେ ଆମେ ଶ୍ରୀରାମଙ୍କ ଆଳତୀ କରୁ, ମନକୁ ଶାନ୍ତି ମିଳେ ।ଆମେ ଆମ ପରମ୍ପରା ଏବଂ ବଂଶଜଙ୍କୁ କିଭଳି ପରିବର୍ତ୍ତନ କରିପାରିବୁ ? ଆମର ପୂର୍ବଜ ପ୍ରଭୁ ଶ୍ରୀରାମଙ୍କ ପୂଜା କରୁଥିଲେ, ଆମେ କାହିଁକି କରିପାରିବୁନି ? ଓ୍ବାକଫ ବୋର୍ଡର  ପୁର୍ନଗଠନ ହୋଇଥିବାରୁ ଆମେ ଖୁସି । ରାମ ନାମ ହିଁ ସବୁ ସଂଘର୍ଷର ଅନ୍ତ ଘଟାଏ । ତାଙ୍କ ଆଶୀର୍ବାଦରୁ ଓ୍ବାକଫ ବିଲ୍‌ ପାସ୍‌ ହୋଇପାରିଛି ବୋଲି ଆଳତୀ ମାଧ୍ୟମରେ ଶ୍ରୀରାମଙ୍କୁ ଆମେ ଧନ୍ୟାବାଦ ଜଣାଇଛୁ । 

ସେହିଭଳି ବିଶାଳ ଭାରତ ସଂସ୍ଥାନର ସଦସ୍ୟ ନଜମା ପରବୀନ କହିଛନ୍ତି, ‘ ରାମ ନବମୀ ଆମ ଦେଶର ପରମ୍ପରା । ଶ୍ରୀରାମଙ୍କ ଆଶୀର୍ବାଦରୁ ତିନି ତଲାକ ଏବଂ ଓ୍ବାକଫ୍‌ ବିଲ୍‌ ପାସ ହୋଇପାରିଛି ।’ ସେପଟେ ଶ୍ରରାମଙ୍କ ଜନ୍ମୋତ୍ସବ ପାଳନ କରିବା ପରମ୍ପରା ହାଜର ହଜାର ବର୍ଷ ପୁରୁଣା । କାଶୀର ମୁସଲିମ ମହିଳାମାନେ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଏହା ସମଗ୍ର ବିଶ୍ବକୁ ଶାନ୍ତି, ମୈତ୍ରି ଏବଂ ଏକତାର ବାର୍ତ୍ତା ଦେଉଛି । ସବୁ ଦେଶରେ ଶ୍ରୀ ରାମଚରିତମାନସର ପ୍ରଚାର ହେବା ଦରକାର ବୋଲି ବିଶାଳ ଭାରତ ସଂସ୍ଥାନର ସଭାପତି ରାଜୀବ ଶ୍ରୀଗୁରୁଜୀ  କହିଛନ୍ତି ।