ନୂଆଦିଲ୍ଲୀ,୨୨/୦୭: ରୋଜ୍‌ନେଫ୍ଟ ସମର୍ଥିତ ନୟାରା ଏନର୍ଜି ଭାରତରେ ଡାଉନ୍‌ଷ୍ଟ୍ରିମ୍‌  ପ୍ରକଳ୍ପଗୁଡ଼ିକରେ ୭୦,୦୦୦ କୋଟି ଟଙ୍କା ନିବେଶ ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛି । ତେବେ ଗୁଜରାଟର ଭଡିନାର ତୈଳ ବିଶୋଧନାଗାର  ଉପରେ ୟୁରୋପୀୟ ସଂଘ(ଇୟୁ)ର କଟକଣାକୁ ଅନୁଚିତ ବୋଲି ଏହା ଦର୍ଶାଇଛି । ଏହା ଭାରତ ପାଇଁ ହାନିକାରକ ବୋଲି ଏହା ପ୍ରକାଶ କରିଛି ।  ଇୟୁର କଟକଣାକୁ ନେଇ ଏହା ପ୍ରକାଶ କରିଛି  ଯେ, ଏହା ଭାରତର ଶକ୍ତି ସୁରକ୍ଷା ପ୍ରତି ବିପଦ । ଏହାଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଯୋଗାଣ ବାଧାପ୍ରାପ୍ତ ହେବ । ଇୟୁର କଟକଣା ବେଆଇନ । 

ପ୍ରକାଶଯୋଗ୍ୟ, ୟୁରୋପୀୟ ସଂଘ(ଇୟୁ) ରୁଷ  ବିରୋଧରେ ଏହାର ୧୮ତମ ପ୍ରତିବନ୍ଧ ଘୋଷଣା  କରିଛି । ଏଥିରେ ଗୁଜରାଟର ଭଡିନାର ତୈଳ  ବିଶୋଧନାଗାରକୁ ଟାର୍ଗେଟ୍‌ କରାଯାଇଛି । ଏହି ବିଶୋଧନାଗାର ନୟାରା ଏନର୍ଜି ଲିମିଟେଡ୍‌  ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ରୁଷ  ସରକାରଙ୍କ ନେତୃତ୍ୱାଧୀନ ତୈଳ କମ୍ପାନି  ରୋଜ୍‌ନେଫ୍ଟର ୪୯.୧୩% ଅଂଶଧନ ଅଛି ।  ଇୟୁ ଏହି ପ୍ରତିବନ୍ଧ ପ୍ୟାକେଜ୍‌କୁ ରୁଷ ବିରୋଧରେ ଏଯାବତ୍‌ ସବୁଠାରୁ କଡ଼ା ପଦକ୍ଷେପ  ବୋଲି ଦର୍ଶାଇଛି । ଏହି ପ୍ରତିବନ୍ଧର ଉଦ୍ଦେଶ୍ୟ ହେଉଛି ରୁଷର ତେଲ ରପ୍ତାନିରୁ ହେଉଥିବା  ଆୟକୁ କମ୍‌ କରିବା ଏବଂ ୟୁକ୍ରେନ୍‌ ପାଇଁ ଏହାର ବିତ୍ତୀୟ ସମ୍ବଳକୁ ସୀମିତ କରିବା । ଏହି ବିଶୋଧନାଗାର ପ୍ରଥମେ ଏସାର ଅଏଲ୍‌  ଦ୍ୱାରା ବନାଯାଇଥିଲା ଏବଂ ଏବେ ଏଥିରେ ରୁଷର ସରକାରୀ ତୈଳ କମ୍ପାନି ରୋଜ୍‌ନେଫ୍ଟର ୪୯.୧୩% ଅଂଶଧନ ରହିଛି । 

ଭଡିନାର ବିଶୋଧନାଗାର ଭାରତର ଦ୍ୱିତୀୟ ବୃହତ୍‌  ବିଶୋଧନାଗାର ଏବଂ ଏହା ରୁଷ ଅଶୋଧିତ  ତୈଳକୁ ବିଶୋଧିତ କରି ୟୁରୋପରେ ଡିଜେଲ ଏବଂ ଜେଟ୍‌ ଇନ୍ଧନ ଭଳି ଉତ୍ପାଦ ରପ୍ତାନି  କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଥିରୁ ରୁଷକୁ ପରୋକ୍ଷ ଭାବେ ରାଜସ୍ୱ ମିଳିଥାଏ । ଏହି ପଦକ୍ଷେପ ରୁଷର ତୈଳ ଆୟକୁ କମ୍‌  କରିବା ଏବଂ ଏହାର ଅବୈଧ ତୈଳ ପରିବହନ  କରୁଥିବା ଜାହାଜଗୁଡ଼ିକ ଉପରେ ଅଙ୍କୁଶ  ଲଗାଇବା ପାଇଁ ନିଆଯାଇଛି । ତେବେ ରୁଷ ତେଲ  ଉପରେ ଏହି କଟକଣାକୁ ଭାରତ ପକ୍ଷରୁ କଡ଼ା  ସମାଲୋଚନା କରାଯାଇଛି ।