ଭୁବନେଶ୍ୱର, ୭।୨ : ଚଳିତ ବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୮ ତାରିଖରୁ ଏବଂ ବାର୍ଷିକ ମାଧ୍ୟମିକ ପରୀକ୍ଷା ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ଫେବୃୟାରୀରୁ ୧୯ରୁ ଅନୁଷ୍ଠିତ ହେବ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକମାନେ ଯୋଗଦେଇଥିଲେ ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍ ତିରୁମାଳା ନାଏକଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା, ଉପ ଶାସନ ସଚିବ ଯଶବନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପ ସଭାପତି ଅମୁଲ୍ୟ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଚକ୍ରଧର ବେହେରା ପ୍ରମୁଖ ଉପସ୍ଥିତ ରଖି ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ତଥ୍ୟ ରଖିଥିଲେ ।
ସମସ୍ତ ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲୋକ୍ଟ୍ରାନିକ ଉପକରଣ ବ୍ୟବହାର ନିଷିଦ୍ଧ କରାଯାଇଛି । ପରୀକ୍ଷା ପରିଚାଳନା ସଂପର୍କିତ ନିୟମ ବା ବିଧାନର ଉଲଙ୍ଘନ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଗାଇଡଲାଇନ୍ ଅନୁସାରେ ସମସ୍ତ ପ୍ରସ୍ତୁତିକୁ ନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ନୋଡାଲ ଅଧିକାରୀଙ୍କ ପାଖରେ ପରୀକ୍ଷା ପରିଚାଳନା ମାର୍ଗଦର୍ଶିକା ରହିବା ଓ ଏହାକୁ ଅନୁସରଣ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।