ଭୁବନେଶ୍ୱର/ଚନ୍ଦ୍ରଶେଖରପୁର,୨୦/୦୨: କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା  ଘଟଣା। ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କୁ ୩ ଦିନିଆ  ରିମାଣ୍ଡରେ ନେଲା ଇନ୍‌ଫୋସିଟି ଥାନା ପୁଲିସ। ମୃତ୍ୟୁ ପୂର୍ବରୁ ସେ ପ୍ରକୃତିଙ୍କୁ ମାନସିକ ଅତ୍ୟାଚାର  ଦେଇଥିଲେ କି ନାହିଁ ? ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କଣ ରହିଛି। ଅଦ୍ଭିକ୍‌ଙ୍କ ଠାରୁ ସବୁ ତଥ୍ୟ ଓଗାଳିବ ପୁଲିସ। ସେପଟେ ପ୍ରକୃତିଙ୍କ ଡାଏରୀରେ ନେପାଳୀ ଭାଷାରେ ଲେଖାଥିବା ସୁଇସାଇଡାଲ  ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି। 

ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। ଏସବୁ ଘଟଣା ପରେ ମାମଲା ତୀବ୍ର ରୂପ ନେଇଥିଲା। ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ କରିଥିଲେ । 

ଅନ୍ୟପଟେ ଘଟଣାରେ ଅଭିଯୁକ୍ତ ଥିବା ଯୁବକ ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ବାହାରକୁ ଫେରାର ଉଦ୍ୟମ ବେଳେ ଧରିଥିଲା ପୋଲିସ । ଯୁବକକୁ ଗିରଫ ସହ ମୋବାଇଲ୍‌, ଲାପଟପ ଜବତ କରିଥିଲା ପୋଲିସ । ବୁଧବାର ସଂଧ୍ୟା ସମୟରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନ୍‌ଫୋସିଟି ପୋଲିସ । ଆଉ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକକୁ ତିନିଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଯାହାଫଳରେ ଗୁରୁବାରଠାରୁ ଯୁବକ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଛି । 

ଅନ୍ୟପଟେ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ  କମିଟି ଦ୍ୱାରା ଏକ ବୈଠକରେ  ମୋଡାଲିଟି ଫିକ୍ସ ହୋଇଛି ।  କମିଟିର ୩ ସଦସ୍ୟ ବୁଧବାର ଅପରାହ୍ଣରେ କିଟ୍‌ କ୍ୟାମ୍ପସକୁ  ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କମିଟିର  ସଦସ୍ୟ ତଥା ଗୃହ ବିଭାଗର ଅତିରିକ୍ତ  ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି  ଯେ ନେପାଳ ପ୍ରତିନିଧିଙ୍କ ସହ ଆଲୋଚନା  ହୋଇଛି । କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ  ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା  ଚାଲିଛି । ତଦନ୍ତ ପରେ ସରକାରଙ୍କୁ  ଖୁବଶୀଘ୍ର ରିପୋର୍ଟ ଦିଆଯିବ ।

ସେପଟେ ନେପାଳ ବୈଦେଶିକ ମନ୍ତ୍ରୀ ଡ. ଆରଜୁ ରାଣା  ଦେଉବା ଟ୍ୱିଟ୍‌ ଯୋଗେ କହିଛନ୍ତି, ପ୍ରକୃତିଙ୍କ ମୃତ୍ୟୁ  ଏବଂ କିଟ୍‌ କ୍ୟାମ୍ପସରେ ଅସ୍ୱାଭାବିକ ପରିସ୍ଥିତିକୁ ନେଇ  ନିରନ୍ତର ଅନୁସନ୍ଧାନ ଚାଲିଛି । ଓଡିଶାର ଉଚ୍ଚଶିକ୍ଷା  ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛି । ଆଇନଗତ  କାର୍ଯ୍ୟାନୁଷ୍ଠାନ ସହ କ୍ୟାମ୍ପସରେ ନେପାଳ ଛାତ୍ରମାନଙ୍କ  ପାଇଁ ଏକ ନିରାପଦ ପରିବେଶ ପାଇଁ ଦାବି କରିଛି ।  ସେଠାରେ ନେପାଳ ଛାତ୍ର ଏବଂ ଅଭିଭାବକଙ୍କ  ଆବଶ୍ୟକ ପରାମର୍ଶ ପାଇଁ ଏକ ପୃଥକ ହଟ୍‌ଲାଇନ  ବ୍ୟବସ୍ଥା କରାଯାଇଛି । ଛାତ୍ରମାନଙ୍କୁ ହଷ୍ଟେଲକୁ ପଠାଯିବା  ପାଇଁ ବ୍ୟବସ୍ଥା କରାଯାଉଥିବା ସେ ଟ୍ୱିଟ୍‌ରେ ସୂଚାଇଛନ୍ତି ।

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ୩ ନିର୍ଦ୍ଦେଶକଙ୍କ ସମତେ ୫ ଗିରଫ, ସମସ୍ତଙ୍କୁ ମିଳିଲା ଜାମିନ