ଭୁବନେଶ୍ୱର,୦୪/୧୧: ନୂଆଦିଲ୍ଲୀରେ ନୂଆ ଓଡ଼ିଶା ଭବନ ତିଆରି କରିବେ ନୂଆ ସରକାର । ପୁରୁଣା ବିଲ୍ଡିଂକୁ ଭାଙ୍ଗି ତା ସ୍ଥାନରେ ନୂଆ ଓ ଆକର୍ଷଣୀୟ କୋଠା ଛିଡା କରାଯିବ । ତାରକା ହୋଟେଲ ଭଳି ସବୁ ସୁବିଧା ଖଞ୍ଜି ଦିଆଯିବ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଇଁ ସ୍ୱତନ୍ତ୍ର ଲାଉଞ୍ଜ୍ ରହିବ । ଏଭଳି ଯୋଜନା କରିଛି ପୂର୍ତ୍ତ ବିଭାଗ ।
ପ୍ରସ୍ତାବିତ ନୂଆ ଓଡ଼ିଶା ଭବନର ବିଲ୍ଡିଂ ୭ ମହଲା ବିଶିଷ୍ଟ ହେବ । ନୂଆଦିଲ୍ଲୀର ନୀତିମାର୍ଗ ଚାଣକ୍ୟପୁରୀରେ ଏବେକାର ଓଡ଼ିଶା ଭବନ ଅଛି। ଠିକ୍ ସେହି ଜାଗାରେ ୪୦ କୋଟି ଟଙ୍କା ଖର୍ଚ୍ଚରେ ନୂଆ ବିଲ୍ଡିଂ ତିଆରି କରାଯିବ । ଏଥିରେ ଦୁଇଟି ବେସମେଣ୍ଟ୍କୁ ଛାଡ଼ି ୭ ମହଲା ବିଲ୍ଡିଂ ରହିବ। ଏବେ ଥିବା ପୁରୁଣା ବିଲ୍ଡିଂରେ ବେସମେଣ୍ଟକୁ ଛାଡ଼ି ୪ ମହଲା ବିଶିଷ୍ଟ ବିଲ୍ଡିଂ ଅଛି । ପ୍ରାୟ ୨୩୯୦ ବର୍ଗମିଟର ବା ୨୫ ହଜାରରୁ ଅଧିକ ବର୍ଗଫୁଟ ଅଞ୍ଚଳ ଉପରେ ଓଡ଼ିଶା ଭବନ ରହିଛି । ଏଥିରେ ୨୫ଟି ସୁଟ୍ ବା କୋଠରୀ ରହିଛି । ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବ ।
ପୁରୁଣା ବିଲ୍ଡିଂ ଭାଙ୍ଗିବା ପାଇଁ ପ୍ରାୟ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ପୂର୍ତ୍ତ ବିଭାଗ । ବିଲ୍ଡିଂକୁ ଭାଙ୍ଗିବାକୁ ପୂର୍ତ୍ତ ବିଭାଗର ଡିଭିଜନ-୫ ଟେଣ୍ଡର ଆହ୍ୱାନ କରି ସାରିଛି ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଟେଣ୍ଡର ପ୍ରକ୍ରିୟା ସରିବାର ତିନି ମାସ ଭିତରେ ବିଲ୍ଡିଂକୁ ଭାଙ୍ଗିବାକୁ ଲକ୍ଷ୍ୟ ରହିଛି । ପୁରୁଣା ବିଲ୍ଡିଂ ଭଙ୍ଗା ସରିଲେ ତତ୍କାଳ ନୂଆ ବିଲ୍ଡିଂ କାମ ଆରମ୍ଭ ହେବ । ଏଠାରେ ଅଧିକ ସୁଟ୍ ରହିବ । ଏଥିପାଇଁ ନୂଆ ବିଲ୍ଡିଂର ଥ୍ରୀ ଡି ଡିଜାଇନ୍ ତିଆରି ଚାଲିଛି । ଡିଜାଇନକୁ ଅନୁମୋଦନ ମିଳିଲେ ତୁରନ୍ତ ଟେଣ୍ଡର ଆହ୍ୱାନ କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏବେକାର ପୁରୁଣା ବିଲ୍ଡିଂର ଷ୍ଟ୍ରକଚରାଲ ସେଫ୍ଟି ବା ନିର୍ମାଣ ନିରାପତ୍ତା ଠିକ୍ ନାହିଁ ବୋଲି ୨୦୨୩ରେ ଜଣାପଡ଼ିଥିଲା । ବିଲ୍ଡିଂରେ କିଛି ଫାଟ ହେବା ପରେ ପୂର୍ତ୍ତ ବିଭାଗ କଲିକତାର ଏକ ସଂସ୍ଥାକୁ ଷ୍ଟ୍ରକଚରାଲ ଷ୍ଟାବିଲିଟି ଟେଷ୍ଟ ପାଇଁ ଦାୟିତ୍ୱ ଦେଇଥିଲା । ଏହି ସଂସ୍ଥା ନିଜ ରିପୋର୍ଟରେ ଦର୍ଶାଇଥିଲା ଯେ, ବିଲ୍ଡିଂକୁ ବେଶି ଦିନ ପାଇଁ ବ୍ୟବହାର କରିବା ବିପଦଜ୍ଜନକ । ସର୍ବାଧିକ ୨ରୁ ୩ ବର୍ଷ ଭିତରେ ଏହାକୁ ଭାଙ୍ଗି ଦେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା । ଗୃହ ବିଭାଗ ଅଧୀନରେ ଥିବା ଏହି ଓଡ଼ିଶା ଭବନରେ କେବଳ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀ ପାହ୍ୟାର ବ୍ୟକ୍ତି ରହିପାରିବେ ବୋଲି ଗାଇଡଲାଇନ୍ ଅଛି ।
ସାଧାରଣ ଲୋକେ ଏଠାରେ ରହିପାରିବେନି । ଏଠାରେ ଭିଭିଆଇପି ରହୁଥିବାରୁ ବିଲ୍ଡିଂର ନିରାପତ୍ତା ଦୃଷ୍ଟିରୁ ତୁରନ୍ତ ବିଲ୍ଡିଂକୁ ଭାଙ୍ଗି ନୂଆ ବିଲ୍ଡିଂ ତିଆରି ପାଇଁ ଯୋଜନା ହୋଇଛି । ପୂର୍ବ ସରକାରରେ ମଧ୍ୟ ବିଲ୍ଡିଂକୁ ଭାଙ୍ଗି ନୂଆ ବିଲ୍ଡିଂ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରସ୍ତାବିତ ବିଲ୍ଡିଂର ଡିଜାଇନ୍କୁ ନୂଆଦିଲ୍ଲୀ ମହାନଗର ନିଗମ(ଏନଡିଏମସି) ଅନୁମୋଦନ କରିନଥିଲା । ଏଥିପାଇଁ ଏହି ଯୋଜନା ଆଗେଇ ପାରିନଥିଲା । ଏବେ ସମ୍ପୂର୍ଣ୍ଣ ନୂଆ ଡିଜାଇନ ତିଆରି ଚାଲିଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ।
ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କର ୩ଟି ସରକାରୀ ଅତିଥି ଭବନ ଓଡ଼ିଶା ଭବନ, ଓଡ଼ିଶା ନିବାସ ଏବଂ ଓଡ଼ିଶା ସଦନ ରହିଛି । ୧୯୮୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ । ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଓଡ଼ିଶା ଭବନ ସାମ୍ନାରେ ଓଡ଼ିଶା ନିବାସ ରହିଛି । କିନ୍ତୁ ଓଡ଼ିଶା ସଦନ ଦ୍ୱାରକାରେ ଅଛି । ନିୟମିତ ମରାମତି ହେଉଥିଲେ ବି ଏ ସବୁ ବିଲ୍ଡିଂର ଢାଞ୍ଚା ବହୁତ ପୁରୁଣା ହେଲାଣି ।