ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଡିଏର ବଡ଼ ନିଷ୍ପତ୍ତି : ବଦଳିବ ୨୦୧୦ ଡେଭଲପମେଣ୍ଟ ପ୍ଲାନ୍‌, ଗ୍ରେଟର ଭୁବନେଶ୍ୱର ପାଇଁ ଆସିବ ନୂଆ ପ୍ଲାନ୍‌

Published By : Rasmita Pradhan | November 23, 2024 9:40 AM

ଭୁବନେଶ୍ଵର, ୨୩/୧୧ : ବିଡିଏର ବଡ଼ ନିଷ୍ପତ୍ତି। ବଦଳିବ ରାଜଧାନୀ ଭୁବନେଶ୍ଵରର ଯୋଜନା ନକ୍ସା। ଆସିବ ନୂଆ କମ୍ପ୍ରେହେନସିଭ୍‌ ଡେଭଲପମେଣ୍ଟ ପ୍ଲାନ୍‌। ୨୦୧୦ ମସିହାର ସିଡିପିରେ ହେବ ଆମୂଳଚୂଳ ପରିବର୍ତ୍ତନ। ନୂଆ ସିଡିପିରେ ସ୍ଥାନିତ ହେବ ୨୦୫୦ର ବୃହତ୍‌ ଭୁବନେଶ୍ୱରର ଚିତ୍ର। ଆଗାମୀ ୨୦ବର୍ଷର ସଂପ୍ରସାରଣକୁ ଆଖିରେ ରଖି ଭୂମି ବ୍ୟବହାରକୁ କରାଯିବ ଫୋକସ୍‌। ଖାଲି ଭୁବନେଶ୍ୱର ନୁହେଁ, ଏହା ସୀମାକୁ ଲାଗିଥିବା ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ପିପିଲି, ଡେଲାଙ୍ଗ, ବାଲିଅନ୍ତା, ବାଲିପାଟଣାରେ ବି ଲାଗୁ ହେବ ନୂଆ ସିଡିପି। କେଉଁ ଅଞ୍ଚଳରେ କ’ଣ ନିର୍ମାଣ କରିହେବ ତା’ହା ସିଡିପିରେ ସ୍ପଷ୍ଟ ଭାବେ ଚିହ୍ନଟ ହେବ। ବିଡିଏ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବ। 

୨୦୧୦ରେ ଭୁବନେଶ୍ୱର ପାଇଁ ସିଡିପି ତିଆରି କରିଥିଲା ଆଇଆଇଟି ଖଡ଼ଗପୁର। ଏଥିରେ ଅନେକ ଦ୍ୱନ୍ଦ୍ୱ ଓ ତ୍ରୁଟିବିଚ୍ୟୁତି ରହିଛି। ଅନେକ ସ୍ଥାନରେ ଜାଗା ଥାଇ ବି ଲୋକେ ଘର କରିପାରୁନାହାନ୍ତି। ଅନାବଶ୍ୟକ ଭାବେ ବହୁ ସ୍ଥାନରେ ନିର୍ମାଣ ଉପରେ କଟକଣା ଲାଗିଛି। ଲୋକଙ୍କୁ ଘର ତିଆରି ପାଇଁ ଅନୁମତି ମିଳୁନି। ତେଣୁ ଏଥିରେ ଆମୂଳଚୁଳ ପରିବର୍ତ୍ତନ ହେବ। ବର୍ଦ୍ଧିତ ଜନସଂଖ୍ୟା ଓ ଭବିଷ୍ୟତ ସହର ସଂପ୍ରସାରଣକୁ ଦୃଷ୍ଟିରେ ରଖି ନୂଆ ସିଡିପି ତିଆରି ହେବ। 

୨୦୧୦ ସିଡିପିରେ ସହିଦନଗର, ଅଶୋକନଗର, ବାପୁଜୀନଗର ଭଳି ସ୍ଥାନକୁ ଆବାସିକ ବ୍ୟବହାର ଜୋନ୍‌ ଦର୍ଶାଇ ଯୋଜନା ନକ୍ସା ଅଙ୍କାଯାଇଛି। କିନ୍ତୁ ଏସବୁ ସ୍ଥାନ ଏବେ ବ୍ୟବସାୟିକ ପେଣ୍ଠସ୍ଥଳୀ । ଏଠାରେ ପାର୍କିଂ ସୁବିଧା ନାହିଁ । ପ୍ରାକୃତିକ ନାଳ ଓ ଜଳାଶୟକୁ ପୋତି ନୂତନ ନିର୍ମାଣ ହେଉଛି । ଜଳବନ୍ଦୀ ଯନ୍ତ୍ରଣା ବଢ଼ିଚାଲିଛି । ତେଣୁ ନୂଆ ସିଡିପିରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଡ୍ରେନ୍‌ ପାଖରେ ଥିବା ନିର୍ମାଣ ଉପରେ ଛାଟ ବାଜିବ। ପୂର୍ବରୁ କେବଳ ଭୁବନେଶ୍ୱର ଆଖପାଖ ଅଞ୍ଚଳ ପାଇଁ ନୂଆ ସିଡିପି ଲାଗୁ କରିବାକୁ ଯୋଜନା ହୋଇଥିଲା । ଚିଠା ସିଡିପି ପ୍ରସ୍ତୁତ କରାଯାଇ ଲୋକଙ୍କ ମତାମତ ଆହ୍ୱାନ କରାଯାଇଥିଲା। କିନ୍ତୁ ଏବେ ୨୦୧୦ ସିଡିପି ବଦଳାଇ ସଂପୂର୍ଣ୍ଣ ନୂଆ ସିଡିପି ତିଆରି ହେବ। 

କେଉଁ ଅଞ୍ଚଳ କମର୍ସିଆଲ ବା ବ୍ୟାବସାୟିକ ଜୋନ୍‌ ହେବ ? ଏଠାରେ ପାର୍କିଂ ପାଇଁ କେତେ ଜାଗା ଛଡ଼ାଯିବ ? କେଉଁଠି ଟ୍ରାନ୍ସପୋର୍ଟ ଜୋନ୍‌ ରହିବ ? କେଉଁ କେଉଁ ଅଞ୍ଚଳରେ ଆବାସିକ ଘର ତିଆରି କରିହେବ? ଗ୍ରୀନ୍‌ ଜୋନ୍‌ ବା ସବୁଜ ଜୋନ୍‌ରେ କେଉଁ କଟକଣା ରହିବ ? ଇଣ୍ଡଷ୍ଟ୍ରିଆଲ ଜୋନ୍‌ରେ ସ୍ଥିତିବାନ ଜମି ଥିଲେ ଘର କରିବାକୁ ଅନୁମତି ମିଳିବ କି ନା ? କେଉଁ ସ୍ଥାନକୁ ଖାଲି ଛଡ଼ାଯିବ? ସ୍ପେଶିଆଲ ହେରିଟେଜ୍‌ ଜୋନ୍‌ରେ କେଉଁ କଟକଣା ରହିବ ଓ କାହାକୁ କୋହଳ କରାଯିବ? ଡ୍ରେନ୍‌ ପାଖରେ କେତେ ଦୂର ଯାଏ ନିର୍ମାଣ ଉପରେ କଟକଣା ରହିବ? କଂକ୍ରିଟ୍‌ ବିକାଶ ଭିତରେ ପ୍ରାକୃତିକ ନାଳ ଓ ଜଳାଶୟକୁ ବାଧା ନ ଦେବାକୁ କେମିତି ବ୍ୟବସ୍ଥା ହେବ ? ମେଟ୍ରୋ ଓ ମନୋରେଲ୍‌ ପାଇଁ କେଉଁଠି ଜାଗା ରହିବ? ସହରର ଭବିଷ୍ୟତର ରୂପରେଖ କଣ ହେବ? ଏ ସବୁକୁ ନୂଆ ସିଡିପିରେ ସ୍ଥାନିତ କରାଯିବ। 

ସେପଟେ ବିଡିଏ ପକ୍ଷରୁ ପ୍ରସ୍ତାବିତ ରିଙ୍ଗ ରୋଡ୍‌ କାମ ପୁଣି ଆଗେଇବ। ଏବେ ମାତ୍ର ୫ କିମି ଅଞ୍ଚଳରେ କାମ ସରିଛି । ପ୍ରସ୍ତାବିତ ରିଙ୍ଗ ରୋଡ୍‌ ପାହାଳରୁ ବାହାରି ଧଉଳି ଛକ, ରେତଙ୍ଗ ରେଳଷ୍ଟେସନ, ତମାଣ୍ଡୋ, ସମ୍‌ ହସ୍ପିଟାଲ, ଚନ୍ଦକା ଓ ନନ୍ଦନକାନନକୁ ଯୋଡ଼ିବ । ୪ଟି ସେକ୍ଟରରେ ଏହି ରିଙ୍ଗରୋଡ୍‌କୁ ଭାଗ କରାଯାଇଛି । ବିଡିଏ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ରିଙ୍ଗରୋଡ୍‌ କାମ କରିବେ । ଯେଉଁଠି ଜମି ମିଳିବ ସେଠାରେ ପର୍ଯ୍ୟାୟକ୍ରମେ ରିଙ୍ଗରୋଡ୍‌ କାମ ଆଗେଇବ । ଏବେ ସମ୍‌ ହସ୍ପିଟାଲରୁ କାଟେଣୀ ଆଡ଼କୁ ଯାଇଥିବା ରାସ୍ତାର ତିଆରି ଚାଲିଛି । ଏବେ ରିଙ୍ଗରୋଡ୍‌ ଅଧୀନରେ ଆଉ ୧୪କିମି ରାସ୍ତା ତିଆରି ପାଇଁ ଆଜି ବିଡିଏ ଅଥରିଟି ବୈଠକରେ ମଞ୍ଜୁରି ଦିଆଯାଇଛି । ସହର ଚାରିପାଖରେ ପୂରା ରିଙ୍ଗରୋଡ୍‌ ସମ୍ପୂର୍ଣ୍ଣ ପାଇଁ ପ୍ରାୟ ୭୬୦ ଏକର ଜମି ଦରକାର । ଏଥିରେ ପ୍ରାୟ ୨୪୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଆକଳନ ରହିଛି । ଏଥିରୁ ଅନେକ ଜମିକୁ ଜମି ଅଧିଗ୍ରହଣ କରି ତିଆରି କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି । ଆଜି ବିଡିଏରେ ବସିଥିବା ୧୪୯ତମ ଅଥରିଟି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବିଡିଏ ଉପାଧ୍ୟକ୍ଷ ଡା. ଏନ୍‌ ଥିରୁମାଲା ନାଏକ ଓ ବିଡିଏ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.