ନୂଆଦିଲ୍ଲୀ,୦୪/୦୧; ଯାହା ଭାଗ୍ୟରେ ଲେଖା ଥାଏ ତାହା ଟିକେ ସମୟ ନିଏ କିନ୍ତୁ ସତ ହୁଏ । କେବେଳ ସଠିକ୍ ସମୟର ଅପେକ୍ଷା ଥାଏ । ପରିବାର ଆର୍ଥିକ  ସ୍ଥିତି ଭଲ ନଥିଲା ।  ବସ୍ ଚଳାଇ ପରିବାର ଚଳାଉଥିଲେ । ହେଲେ କେହି କେବେ କଳ୍ପନା କରିପାରିବେ ନାହିଁ ବ୍ୟକ୍ତିଜଣକ ଗୋଟିଏ ଦେଶର ପ୍ରଥମ ନାଗରିକ ହୁଅନ୍ତି । ସେ ହେଉଛନ୍ତି ନିକୋଲାସ୍ ମାଦୁରୋ । ୧୯୬୨ ମସିହାରେ ଭେନେଜୁଏଲାର କାରାକାସ୍‌ରେ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ଜନ୍ମ । ସେ ଜଣେ ଶ୍ରମିକ ସଂଗଠନ ନେତାଙ୍କ ପୁଅ । ୧୯୯୦ ମସିହା ବେଳକୁ ମାଦୁରୋ ବସ୍ ଡ୍ରାଇଭିଂ କରି ପରିବାର ଚଳାଉଥିଲେ । ୧୯୯୨ରେ ସେନା ଅଧିକାରୀ ହ୍ୟୁଗୋ ଚାଭେଜ୍ ଦେଶରେ କ୍ଷମତା ପରିବର୍ତ୍ତନ କରିବାର ଅସଫଳ ପ୍ରୟାସ କରିଥିଲେ । ମାଦୁରୋ ପରେ ଚାଭେଜ୍‌ଙ୍କୁ ଜେଲ୍‌ରୁ ମୁକୁଳାଇବା ଲାଗି ଅଭିଯାନ ଚଳାଇଥିଲେ । ଏହି ଭାବେ ସେ ଚାଭେଜ୍‌ଙ୍କ ବାମପନ୍ଥୀ ଦଳର ଜଣେ ପ୍ରତିବଦ୍ଧ ସମର୍ଥକ ପାଲଟିଥିଲେ ।

୧୯୯୮ରେ ଚାଭେଜ୍ ରାଷ୍ଟ୍ରପତି ହେବା ପରେ ରାଜନୀତିରେ ମାଦୁରୋଙ୍କ ଆନୁଷ୍ଠାନିକ ଏଣ୍ଟ୍ରି ହୋଇଥିଲା । ପରେ ସେ ନ୍ୟାସନାଲ ଆସେମ୍ବ୍ଲିର ଅଧ୍ୟକ୍ଷ ଏବଂ ବିଦେଶମନ୍ତ୍ରୀ ହୋଇଥିଲେ । ଚାଭେଜ୍‌ଙ୍କ ମୃତ୍ୟୁ ପରେ ସ୍ପଳ୍ପ ଭୋଟ୍ ବ୍ୟବଧାନରେ ୨୦୧୩ରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ମାଦୁରୋ । କିନ୍ତୁ ତାଙ୍କର ଶାସନକାଳ ସମୟରେ ଦେଶର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡି଼ଥିଲା । ମୁଦ୍ରାସ୍ଫୀତିରେ ଅତ୍ୟଧିକ ବୃଦ୍ଧି, ଖାଦ୍ୟ ଏବଂ ଔଷଧର ଅଭାବ ଯୋଗୁ ଅନେକ ଲୋକ ଦେଶଛାଡ଼ି ପଳାୟନ କରିଥିଲେ । ମାଦୁରୋଙ୍କ ବିରୋଧରେ ନିର୍ବାଚନରେ ଜାଲିଆତି, ବିକ୍ଷୋଭକାରୀଙ୍କୁ ଦୃଢ଼ ହସ୍ତରେ ଦମନ ଭଳି ଅଭିଯୋଗ ମଧ୍ୟ ଆସିଥିଲା । ୨୦୧୯ରେ ସେ ଦ୍ୱିତୀୟ ଥର ଲାଗି ଭେନେଜୁଏଲାର ରାଷ୍ଟ୍ରପତି ହୋଇଥିଲେ ।

ଇତିମଧ୍ୟରେ ୨୦୨୦ରେ ଦୁର୍ନୀତି ଏବଂ ଅନ୍ୟ କିଛି ଅଭିଯୋଗରେ ଆମେରିକା ତାଙ୍କ ବିରୋଧରେ ମକଦ୍ଦମା ଚଳାଇଥିଲା । ଯାହାକୁ ସେ ନିରନ୍ତର ଖଣ୍ଡନ କରିଆସୁଛନ୍ତି । ଅନ୍ୟପଟେ ୨୦୨୪ ମସିହାରେ ଅନୁଷ୍ଠିତ ନିର୍ବାଚନ ପରେ ମାଦୁରୋ ଜାନୁଆରୀ ୨୦୨୫ରେ ତୃତୀୟ ଥର ଲାଗି ଦେଶର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ତେବେ ସେହି ନିର୍ବାଚନରେ ବ୍ୟାପକ ଭାବେ ଜାଲିଆତି ହୋଇଥିବା ବିରୋଧୀ ଦଳ ସମେତ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ମାନେ ଦାବି କରି ଆସୁଛନ୍ତି ।

କେତେ ସମ୍ପତି ? ମାଦୁରୋ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଛି  । ଅର୍ଥିକ ସ୍ୱଚ୍ଛତା ଥିବାରୁ ତାଙ୍କ ସମ୍ପତ୍ତି ବିବାଦର ପ୍ରସଙ୍ଗ ପାଲିଟିଛି । ମାଦୁରୋଙ୍କ ପାଖରେ କେତେ ସମ୍ପତ୍ତି ଅଛି ତାର କୌଣସି ସାର୍ବଜନିକ ରିପୋର୍ଟ ନାହିଁ । ଯେତିକି ଘୋଷଣା ହୋଇଛି ତାହା ତୁଳନାରେ ମାଦୁରୋଙ୍କର ଅମାପ ସମ୍ପତ୍ତି ଅଛି । ସେ ଅନେକ ଦୁର୍ନୀତିରେ ମଧ୍ୟ ଲିପ୍ତ ରହିଛନ୍ତି । ସରକାରୀ ସୂଚନା ଅନୁଯାୟୀ, ମାଦୁରୋଙ୍କ ସମ୍ପତ୍ତି ୨ ନିୟୁତ ଡଲାର ରହିଛି । ରାଷ୍ଟ୍ରପତି ଭାବେ ତାଙ୍କୁ ମାସକୁ ୪ ହଜାର ଡଲାର ଦରମା ମିଳୁଥିଲା । କିନ୍ତୁ ନିର୍ଦ୍ଦେଶ ନ ମାନିବାରୁ ଆମେରିକା କ୍ରମାଗତ ଭାବେ ମାଦୁରୋଙ୍କ ବିରୋଧୀ ରହି ଆସିଛି । ୨୦୨୦ ମାର୍ଚ୍ଚରେ ସେ ଆମେରିକାକୁ ନିଶା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା ।

କାହିଁକି ଆକ୍ରମଣ ? ଅଶୋଧିତ ତୈଳ ଭରପୂର ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲା ଉପରେ ସାଙ୍ଘାତିକ ଆକ୍ରମଣ କରିଛି ଆମେରିକା । ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ ୨ଟା (ଭାରତୀୟ ସମୟ ଶନିବାର ପୂର୍ବାହ୍ନ ୧୧ଟା ୩୦)ରେ ରାଜଧାନୀ କାରାକାସ୍ ସମେତ ୪ଟି ସହର ଉପରେ ହୋଇଛି ଏୟାରଷ୍ଟ୍ରାଇକ୍ । ଆପାଚି, ଚିନୁକ୍ ହେଲିକପ୍ଟର ଏବଂ ଏଫ୍୩୫ ବିମାନରୁ ଭୟଙ୍କର ମିସାଇଲ୍ ମାଡ଼ କରାଯାଇଛି । କେବଳ ସାମରିକ ଘାଟିଗୁଡ଼ିକୁ କରାଯାଇଛି ଟାର୍ଗେଟ୍ । ଏୟାରଷ୍ଟ୍ରାଇକ୍ ମଧ୍ୟରେ ଆମେରିକାର ଡେଲ୍ଟା ଫୋର୍ସ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ପତ୍ନୀ ସିଲିୟା ଫ୍ଲୋରେସ୍‌ଙ୍କୁ ରାଜଧାନୀ କାରାକାସ୍ରୁ ଉଠାଇ ନେଇଛି । ବେଡ୍ରୁମ୍ରେ ପଶି ସେମାନଙ୍କୁ ଘୋଷାଡ଼ି ନିଆଯାଇଛି । ଏହାପରେ ସେମାନଙ୍କୁ ଜାହାଜ ଯୋଗେ ନ୍ୟୁୟର୍କ ସ୍ଥାନାନ୍ତର କରାଯାଇଛି ।