କୋକସରା,୧୭/୦୮; ବିକାଶର ସୂର୍ଯ୍ୟୋଦୟ ଦେଖିନାହାନ୍ତି ଗ୍ରାମବାସୀ । ଏଯାଏଁ ଗାଁକୁ ମୌଳିକ ସୁବିଧା ପହଞ୍ଚି ନାହିଁ । ଘଞ୍ଚ ଜଙ୍ଗଲ ମଧ୍ୟରେ ବିତିଲାଣି ୪୦ ବର୍ଷ । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ । ଗୁରୁତର ରୋଗୀ କିମ୍ବା ଗର୍ଭବତୀ ଖଟିଆରେ ବୁହାହେବାଟା ସାର । ମାଗଣା ରାସନ ସାମଗ୍ରୀ ଚାଉଳ ବସ୍ତା ପିଛା ଗାଡ଼ି ଭଡ଼ା ୩୦ ଟଙ୍କା । ସେପଟେ ଗାଁରେ ଦୀର୍ଘ ବର୍ଷ ହେଲା ସ୍କୁଲ ବନ୍ଦ ହୋଇ ପଡ଼ିଥିବାରୁ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ମୋବାଇଲ ନେଟଓ୍ବର୍କଙ୍କ ଦୂରର କଥା ଗାଁକୁ ଏଯାଏଁ ବିଜୁଳି ଆଲୁଅ ଜଳୁନାହିଁ । ଜରୁରୀ ପରିସ୍ଥିତିରେ ଗଛ ଉପରେ ଚଢ଼ି ନେଟଓ୍ବର୍କ ଖୋଜିବାକୁ ପଡ଼େ । ଏ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବାରାଡ଼ୋଙ୍ଗା ପଞ୍ଚାୟତର ଗାଈବନ୍ଧା ଗାଁର ବିକାଶର ଚିତ୍ର । ମୌଳିକ ସମସ୍ୟାର ସମାଧାନ ପାଇଁ ଗୁହାରି କରି କରି ଥକିଗଲେଣି ଲୋକେ, ହେଲେ ଫଳ ଶୂନ ।

ଜାତୀୟ ରାଜପଥ-୨୬ ଠାରୁ ଜଙ୍ଗଲ ରାସ୍ତାରେ ୬ କିଲୋମିଟର ଯିବା ପରେ ଗାଈବନ୍ଧା ଗାଁ ପଡ଼ିଥାଏ । ଝୁଲେନବର ରାଜସ୍ୱ ଗ୍ରାମ ଅଧୀନରେ ଏହି ଗାଁ ଆସୁଛି । ଏଠାରେ ପ୍ରାୟ ୨୦ରୁ୨୫ ପରିବାର ଦୀର୍ଷ ୪୦ ବର୍ଷ ହେଲା ରହିଆଛନ୍ତି । ଗାଁରେ ଲୋକ ସଂଖ୍ୟା ହେବ ୨୫୦ର ଅଧିକ । ଏମାନଙ୍କ ଜୀବନ ଜୀବିକା ଜଙ୍ଗଲଜାତ ଦ୍ରବ୍ୟ ଏବଂ ଧାନ, ମକା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ସମସ୍ୟା ହେଲା ଗ୍ରାମବାସୀ ଏବେବି ମୌଳିକ ସୁବିଧାରୁ ବଞ୍ଚିତ । ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ସବୁଥିରେ ପଛରେ ଗାଈବନ୍ଧା ଗାଁ । ଭଲ ରାସ୍ତା ଖଣ୍ଡେ ନଥିବାରୁ ନିଇତି ଦହଗଞ୍ଚ ଭୋଗୁଛନ୍ତି ୨୫ ପରିବାର । ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ଗୁରୁତର ରୋଗୀଙ୍କ ଠାରୁ ଗର୍ଭବତୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖଟିଆରେ ବୁହା ହେଉଛନ୍ତି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଈବନ୍ଧା ଗାଁରେ ବିଦ୍ୟାଳୟ ନଥିବାରୁ ପିଲାମାନେ ଶିକ୍ଷର ବଞ୍ଚିତ ହୋଇ ଗାଈଗୋରୁ ଏବଂ ଛେଳି ମେଣ୍ଢା ଚରାଇବାକୁ ଯାଉଛନ୍ତି ।

ବିଦ୍ୟୁତ୍ ଆଲୁଅ ଏମାନଙ୍କ ପାଇଁ ସାତ ସପନ ହୋଇଛି । ପାନୀୟ ଜଳ ପାଇଁ ଦୀର୍ଘବର୍ଷ ତଳେ ଏକ ସୋଲାର ପାଣି ପ୍ରକଳ୍ପ ନିର୍ମାଣ ହୋଇଥିଲା । ମାତ୍ର ସେ ବି ୪ବର୍ଷ ହେଲା ଅଚଳ ହୋଇପଡିଛି । ଯେଉଁ ଏକମାତ୍ର ନଳକୂପ ଅଛି ସେଥିରେ ଏବଂ ଝରଣି ପାଣି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛି । ପ୍ରଧାନମନ୍ତ୍ରୀ ଆବାସ ଏବଂ ମଧୁବାସୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ କିଛି ଲୋକ ଉପକୃତ ହୋଇଛନ୍ତି ହେଲେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଛନ୍ତି । ଗାଁର ମୌଳିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି ସମସ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗାଁର ସୁକଦେଵ ମାଝୀଙ୍କ ସହ ଜଳେନ୍ ମାଝୀ, ରାଜେନ୍ଦ୍ର ମାଝୀ, ତ୍ରିନାଥ ମାଝୀ, ଜହନ ମାଝୀ, ଚାଚେର ମାଝୀ ଏବଂ ପ୍ରଧାନ ମାଝୀ, ହେଲେ ଫଳ ଶୂନ୍ୟ । ତେବେ ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ଉପରେ କେବେ ପ୍ରଶାସନ ନଜର ପଡ଼ିବ ତାହା ଦେଖିବାକୁ ବାକି ରହିଲା ।