ନୂଆଦିଲ୍ଲୀ,୦୪/୦୯: ଜିଏସଟି ବୈଠକରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି। ବୁଧବାର ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ  ବଡ଼ ନିଷ୍ପତି ନିଆଯାଇଛି।ଯେଉଁଥିରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀଠୁ ଆରମ୍ଭ କରି ଘରୋଇ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ସମେତ ଅନେକ ସାମଗ୍ରୀରେ ଜିଏସଟି ମୁକ୍ତ କରାଯାଇଛି। ସମସ୍ତ ବ୍ୟକ୍ତିଗତ ଜୀବନ ବୀମା ପଲିସି ଉପରେ ଜିଏସଟି ଛାଡ଼, ଯେପରିକି   ଟର୍ମ ଲାଇଫ୍‌, ୟୁଲିପ୍‌, କିମ୍ବା ଏଣ୍ଡୋମେଣ୍ଟ ପଲିସି ।ଏହା ସାଧାରଣ ଲୋକଙ୍କ ପାଇଁ ବୀମା କିଣିବା ସହଜ କରିବା ସହ ଦେଶରେ ବୀମା ପରିସର ବୃଦ୍ଧି ପାଇବ। 

ସେହିପରି କେନ୍ଦ୍ର ସରକାର ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଜିରୋ GST କରିଛନ୍ତି। ପୂର୍ବରୁ ଏଗୁଡ଼ିକ ଉପରେ GST ହାର ୧୨ ପ୍ରତିଶତ ଥିଲା। ଏହି ଔଷଧଗୁଡ଼ିକ ମଧ୍ୟରେ ଆସିମିନିବ୍, ମେପୋଲିଜୁମାବ୍, ପେଗାଇଲେଟେଡ୍ ଲିପୋସୋମାଲ ଇରିନୋଟେକାନ୍, ଡାରାଟୁମୁମାବ୍, ଆଗାଲସିଡେଜ୍ ଆଲଫା, ଆଲିରୋକୁମାବ୍, ଇଭୋଲୋକୁମାବ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏଥିରେ କର୍କଟ ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ।  ଅନେକ ଔଷଧ ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।ଏହା ବ୍ୟତୀତ ଥର୍ମୋମିଟର, ମେଡିକାଲ୍ ଅକ୍ସିଜେନ୍, ଡାଇଗ୍ନୋଷ୍ଟିକ୍ କିଟ୍, ଗ୍ଲୁକୋମିଟର୍, ଟେଷ୍ଟ ଷ୍ଟ୍ରିପ୍ ଏବଂ ଚଷମା ଉପରେ GST ହାର ୫%କୁ ହ୍ରାସ କରାଯାଇଛି। ପୂର୍ବରୁ ଏଗୁଡ଼ିକ ଉପରେ ୧୨ ରୁ ୧୮ ପ୍ରତିଶତ GST ଲାଗୁଥିଲା। ଆମ୍ବୁଲାନ୍ସ ଉପରେ ଜିଏସଟି ଏବେ ୨୮% ରୁ ୧୮% କୁ ହ୍ରାସ କରାଯାଇଛି। ଏହା ଦ୍ୱାରା ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ସୁଲଭ ଆମ୍ବୁଲାନ୍ସ ଉପଲବ୍ଧ ହେବ।