ଭୁବନେଶ୍ୱର,୧୮/୧୦:  ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)  ୨୦୨୦ କାର୍ଯ୍ୟକାରୀ କରିବାକୁ ତତ୍ପର  ହୋଇଛି ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ । ଏଥିଲାଗି ଟାସ୍କ ଫୋର୍ସ  ପୁନର୍ଗଠନ କରାଯାଇଛି । ଟାସ୍କ  ଫୋର୍ସରେ ୧୩ ଜଣ ସଦସ୍ୟଙ୍କୁ  ରଖାଯାଇଛି । ଏହାର ଅଧ୍ୟକ୍ଷ  ରହିବେ ଉନ୍ନୟନ କମିଶନର ।  ଏଥିସହ ୬ଟି ଥିମେଟିକ୍‌ ସବ୍‌  କମିଟି ଗଠନ ମଧ୍ୟ କରାଯାଇଛି । 

ରାଜ୍ୟରେ ଜାତୀୟ ଶିକ୍ଷା  ନୀତି ୨୦୨୦ କିପରି କାର୍ଯ୍ୟକାରୀ  କରାଯିବ ସେ ସଂକ୍ରାନ୍ତରେ ପରାମର୍ଶ  ଦେବ ଏହି ଟାସ୍କ ଫୋର୍ସ । ଟାସ୍କ ଫୋର୍ସରେ ବିଦ୍ୟାଳୟ ଓ ଗଣଶିକ୍ଷା  ସଚିବ, ଅନୁସୂଚିତ ଜାତି ଓ  ଜନଜାତି ବିଭାଗ ପ୍ରମୁଖ ସଚିବ,  ପଞ୍ଚାୟତିରାଜ ବିଭାଗ ପ୍ରମୁଖ  ସଚିବ, ଦକ୍ଷତା ବିକାଶ ଓ ବୈଷୟିକ  ଶିକ୍ଷା ସଚିବ, କ୍ରୀଡ଼ା ଓ ଯୁବ ବ୍ୟାପାର  ସଚିବ, ଉଚ୍ଚଶିକ୍ଷା ସଚିବ, ଓଡ଼ିଶା  ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ  ପ୍ରାଧିକରଣ (ଓସେପା) ରାଜ୍ୟ  ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱର ସ୍ଥିତ  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ  ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ (ସଂଯୋଜକ ସଦସ୍ୟ)ଙ୍କୁ  ଏକ୍ସ ଅଫିସିଓ ସଦସ୍ୟ ଭାବେ  ନିଯୁକ୍ତ କରାଯାଇଛି । 

ସେହିପରି  ୟୁନିସେଫ୍‌, ସେଣ୍ଟ୍ରାଲ ସ୍କୋୟାର  ଫାଉଣ୍ଡେସନ୍‌ (ସିଏସ୍‌ଏଫ୍‌),  ଅକ୍ଷର ଫାଉଣ୍ଡେସନ, ଭାଷା ଶିକ୍ଷା  ଫାଉଣ୍ଡେସନ୍‌ (ଏଲ୍‌ଏଲ୍‌ଏଫ୍‌),  ପ୍ରଥମା, ଉଚ୍ଚଶିକ୍ଷା ବିଭାଗର  ମନୋନୀତ ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି  ଭାବେ ରଖାଯାଇଛି । ଶିକ୍ଷକ ଶିକ୍ଷା ଏବଂ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକଙ୍କୁ ଏହି  ଜାତୀୟ ଶିକ୍ଷା ନୀତି ୨୦୨୦ର ନୋଡାଲ ଅଫିସର ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ  ସଦସ୍ୟ ଭାବେ ସାମିଲ କରାଯାଇଛି । 

କେବଳ ଏତିକି ନୁହେଁ, ଜାତୀୟ ଶିକ୍ଷା ନୀତି-୨୦୨୦ର ବିଭିନ୍ନ ବିଭାଗର ଅନୁଧ୍ୟାନ ପାଇଁ  ବିଶେଷଜ୍ଞମାନଙ୍‌କୁ ନେଇ ୬ଟି ଥିମେଟିକ୍‌ ସବ୍‌ କମିଟି ଗଠନ କରାଯାଇଛି । ଏହି ସବ୍‌ କମିଟିରେ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ  ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର  ବିଶେଷଜ୍ଞ ଓ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯାଇଛି । 

ସୂଚନାଯୋଗ୍ୟ, ଗତ ୨୦୨୦ରେ ଉଚ୍ଚଶିକ୍ଷା  ବିଭାଗ କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ  ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା ।  ସେଥିରେ ଉନ୍ନୟନ କମିଶନର ମଧ୍ୟ ଅଧ୍ୟକ୍ଷ ଭାବେ  ନିଯୁକ୍ତ ହୋଇଥିଲେ । ନିକଟରେ ସ୍ନାତକ (ୟୁଜି)ରେ  ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ପାଇଁ ପାଠ୍ୟକ୍ରମ  ପ୍ରସ୍ତୁତ କରାଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ଏବଂ  କଲେଜ ଅଧ୍ୟକ୍ଷଙ୍କୁ ନେଇ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ  କରାଯାଇଛି । ଏପରିକି ନୂଆ ସରକାର ଆସିବା  ପରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଲାଗି  ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି ।