ଭୁବନେଶ୍ୱର,୧୩।୪ : ଓଡ଼ିଶାରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ-୨୦୨୬। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ- ୨୦୨୬କୁ ଓଡ଼ିଶାରେ ଲାଗୁ କରାଯାଇଛି।
ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ,୨୦୨୬କୁ ବିଧାନସଭାରେ ପାରିତ କରାଯାଇଥିଲା। ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ସାରା ରାଜ୍ୟରେ ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ ୨୦୨୬ ଲାଗୁ ହୋଇଛି।
ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, "ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସଇବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଶ୍ୱ ବିଦ୍ୟାଳୟକୁ ଏକକ ଭାବେ (University as a single Unit) ବିଚାର କରାଯିବ। ବିଭାଗ ଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ଉଚ୍ଛେଦ କରାଯାଇଛି। ଏହାଫଳରେ ଶିକ୍ଷକମାନଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସଇବିସି ବର୍ଗଙ୍କ ପ୍ରତିନିଧିତ୍ବକୁ ସୁନିଶ୍ଚିତ କରାଯାଇପାରିବ।
ସେ କହିଛନ୍ତି ଯେ, "ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟରେ ବହୁଦିନ ଧରି ଖାଲି ରହିଥିବା କୁଳପତି ପଦବୀକୁ ମଧ୍ୟ ପୂରଣ କରାଯାଇଛି। ଏକାସହ ୧୪ଟି ବିଶ୍ୱ ବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତ କରାଯାଇଛି। ନବ ନିଯୁକ୍ତ କୁଳପତିମାନଙ୍କ ନେତୃତ୍ୱରେ ବିଶ୍ୱ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ, ପ୍ରୟୋଗାତ୍ମକ ଓ ଗବେଷଣାତ୍ମକ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏଥିସହ ଓଡ଼ିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪ ଏବଂ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ, ୨୦୨୬ ଲାଗୁ ହେବା ପରେ ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ପ୍ରକ୍ରିୟାକୁ ତ୍ୱରାନିତ୍ବ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।