କଟକ,୧୬/୧୧: ଲୋକାଲ ସେଲ୍‌ଫ୍‌ ଗଭର୍ଣ୍ଣମେଣ୍ଟ  ଡିପ୍ଲୋମା କରିବା ପରେ ୨୦୦୧ରୁ ୨୦୧୧ ମଧ୍ୟରେ ରାଜ୍ୟର  ବିଭିନ୍ନ ପୌରସଂସ୍ଥାରେ ଜୁନିଅର୍‌ ଆସିଷ୍ଟାଣ୍ଟ ବା କିରାଣି ପଦରେ  ନିଯୁକ୍ତ ପାଇଥିବା କର୍ମଚାରୀଙ୍କୁ ପୁରୁଣା ନୀତି ଅନୁସାରେ  ପେନ୍‌ସନ୍‌ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ସରୋଜକାନ୍ତ ମହାପାତ୍ର ଏବଂ ଅନ୍ୟମାନଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌  ଏସ୍‌.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ମାମଲାରୁ ଜଣାଯାଇଛି ଯେ, ଲୋକାଲ୍‌ ସେଲ୍‌ଫ୍‌  ଗଭର୍ଣ୍ଣମେଣ୍ଟ ଡିପ୍ଲୋମା କରିବା ପରେ ୧୯୯୨-୯୩ ମସିହାରେ  ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ୱାନ  କରାଯାଇଥିଲା । ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା ।  ଦେଶର ଅନେକ ରାଜ୍ୟରେ ଏହି ଡିପ୍ଲୋମାଧାରୀଙ୍କୁ  ନିଯୁକ୍ତି ପ୍ରଦାନ କରାଯାଇଥିଲାବେଳେ ଓଡ଼ିଶାରେ କିନ୍ତୁ  ଆବେଦନକାରୀମାନଙ୍କୁ କୌଣସି ପଦରେ ନିଯୁକ୍ତି ମିଳିନଥିଲା ।  ଫଳରେ ଆବେଦନକାରୀମାନେ ପ୍ରଥମେ ସ୍ୟାଟ୍‌ ଏବଂ ପରେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସ୍ୟାଟ୍‌ଙ୍କ  ଆଦେଶକୁ କାଏମ୍‌ ରଖିବା ସହ ଏହି ଡିପ୍ଲୋମାଧାରୀଙ୍କୁ ତୁରନ୍ତ  ନିଯୁକ୍ତି ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର  ୨୦୦୨ ମସିହାରେ ଆବେଦନକାରୀଙ୍କୁ ସିଧାସଳଖ ବିଭିନ୍ନ  ପୌରସଂସ୍ଥାରେ ନିଯୁକ୍ତି ଦିଆଯିବ ବୋଲି କହିବା ସତ୍ତେ୍ୱ  ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ସୁପ୍ରିମ୍‌କୋର୍ଟକୁ  ଗଲେ । ସୁପ୍ରିମ୍‌କୋର୍ଟରେ ସରକାର ପରାସ୍ତ ହେବା ପରେ  ଡିପ୍ଲୋମାଧାରୀଙ୍କ ମଧ୍ୟରୁ ୯୦ରୁ ୯୫ଜଣଙ୍କୁ ନିଯୁକ୍ତି  ଦେଇଥିଲେ । କିନ୍ତୁ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ  ଅନ୍ୟାନ୍ୟ କୌଣସି ଚାକିରି ସୁବିଧା ମିଳୁନଥିଲା । ଫଳରେ  ଆବେଦନକାରୀମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ  ପେନ୍‌ସନ୍‌ ସୁବିଧା ପ୍ରଦାନ ଲାଗି ପ୍ରାର୍ଥନା କରିଥିଲେ।  

ହାଇକୋର୍ଟ ଶୁଣାଣି କରି ଆଦେଶରେ କହିଛନ୍ତି ଯେ,  ଆବେଦନକାରୀଙ୍କୁ ନିଯୁକ୍ତି ଦେବା ପରେ ସେମାନଙ୍କୁ ଚାକିରି  ସର୍ତ୍ତାବଳୀ ଅନୁସାରେ କୌଣସି ସୁବିଧା ପ୍ରଦାନ ନକରିବା  ରାଜ୍ୟ ସରକାରଙ୍କର ବଡ଼ ତ୍ରୁଟି । ୧୯୯୨ ମସିହାରେ ନିଯୁକ୍ତି  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ ଆଇନଗତ  ଦ୍ୱାହି ଦେଇ ପ୍ରାୟ ଦୁଇ ଦଶନ୍ଧି ଧରି ଆବେଦନକାରୀଙ୍କୁ ନିଯୁକ୍ତି  ମିଳିପାରିନଥିଲା । ତେଣୁ ନିଯୁକ୍ତି ପାଇଁ ଏତେ ସମୟ ବିଳମ୍ବ  ହେବା ପାଇଁ ଆବେଦନକାରୀଙ୍କର କୌଣସି ଭୁଲ୍‌ ନାହିଁ ବୋଲି  ହାଇକୋର୍ଟ ମତ ଦେଇଛନ୍ତି । ପରନ୍ତୁ ସେମାନେ ପ୍ରାଶାସନିକ  ଜାଲରେ ପେଶି ହୋଇଯାଇଛନ୍ତି । ତେଣୁ ଆବେଦନକାରୀଙ୍କୁ  ରାଜ୍ୟ ସରକାର ପେନ୍‌ସନ୍‌ଜନିତ ସମସ୍ତ ସୁବିଧା ପ୍ରଦାନ  ଲାଗି ନିର୍ଦ୍ଦେଶ ଦେଇଛନ୍ତି ।