ଭୁବନେଶ୍ୱର ୧୬/୦୬( ସ୍ମୃତିରଞ୍ଜନ ବିଶ୍ୱାଳ): ପଞ୍ଚାୟତକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନରେ । ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶା ଗତବର୍ଷ ତୁଳନାରେ ପ୍ରାୟ ୫୨୯ କୋଟି ଟଙ୍କା କମ୍ ଅନୁଦାନ ପାଇବ । ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ୧୨୫୦ କୋଟି ଟଙ୍କା ପାଇଥିଲେ । କିନ୍ତୁ ଏଥର ୭୨୧ କୋଟି ୧୯ଲକ୍ଷ ଟଙ୍କା ମିଳିବ । କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁସାରେ ଏଥର ମିଳିବାକୁ ଥିବା ଅନୁଦାନ ପାଣ୍ଠି କମିଯିବ ।
କେନ୍ଦ୍ରୀୟ ଅର୍ଥ କମିଶନର ସୁପାରିଶ ଅନୁସାରେ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟର କେଉଁ ପଞ୍ଚାୟତ କେତେ ଟଙ୍କାର ପାଣ୍ଠି ପାଇବେ ତାର ବିସ୍ତୃତ ଗାଇଡଲାଇନ୍ ଆସିଛି । ଗାଇଡଲାଇନ୍ ମୁତାବକ ୫ହଜାର ଜନସଂଖ୍ୟା ରହୁଥିବା ପ୍ରତି ପଞ୍ଚାୟତକୁ ୯ଲକ୍ଷ ୬୨ହଜାର ୬୩୦ ଟଙ୍କାର ପାଣ୍ଠି( ଉଭୟ ଟାଏଡ୍ ଓ ଅନ-ଟାଏଡ୍) ମିଳିବ । ଏଭଳି ଜନସଂଖ୍ୟା ଥିବା ମୋଟ ୩୩୭୨ ପଞ୍ଚାୟତ ରାଜ୍ୟରେ ଅଛି । ୩୩୭୨ ପଞ୍ଚାୟତକୁ ମୋଟ ୩୨୪ କୋଟି ୫୯ଲକ୍ଷ ଟଙ୍କାର ପାଣ୍ଠି ମିଳିବ ।
୫୦୦୧ରୁ ୭୫୦୦ ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତକୁ ୧୧ଲକ୍ଷ ୫୫ହଜାର ଟଙ୍କାର ଅନୁଦାନ ମିଳିବ । ଏହି ବର୍ଗରେ ମୋଟ ୨୫୫୫ଟି ପଞ୍ଚାୟତ ଆସୁଛନ୍ତି । ସେମାନେ ୨୯୫ କୋଟି ୧୪ ଲକ୍ଷ ଟଙ୍କାର ପାଣ୍ଠି ପାଇବେ । ୭୫୦୧ରୁ ୧୦ହଜାର ଜନସଂଖ୍ୟା ରହୁଥିବା ପଞ୍ଚାୟତକୁ ୧୨ଲକ୍ଷ ୪୧ ହଜାର ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବ ।ଏ ବର୍ଗରେ ଆସୁଥିବା ୭୩୬ ପଞ୍ଚାୟତକୁ ମୋଟ ୯୧ କୋଟି ୩୫ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ଆସିବ । ୧୦ହଜାରରୁ ଅଧିକ ଜନସଂଖ୍ୟା ରହୁଥିବା ୭୦ଟି ପଞ୍ଚାୟତ ରାଜ୍ୟରେ ଅଛି । ପ୍ରତି ପଞ୍ଚାୟତକୁ ୧୪ଲକ୍ଷ ୪୩ ହଜାର ଟଙ୍କାର ପାଣ୍ଠି ହିସାବରେ ମୋଟ ୧୦ କୋଟି ୧୦ଲକ୍ଷ ଟଙ୍କାର ପାଣ୍ଠି ମିଳିବ ।
୨୦୨୫-୨୬ରେ ୫ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ପଞ୍ଚାୟତକୁ ୧୫ଲକ୍ଷ ୯୦ ହଜାର, ୫୦୦୧ରୁ ୭୫୦୦ ଜନସଂଖ୍ୟା ରହୁଥିବା ପଞ୍ଚାୟତକୁ ୨୦ଲକ୍ଷ ୧୪ହଜାର, ୭୫୦୧ରୁ ୧୦ହଜାର ଲୋକ ରହୁଥିବା ପଞ୍ଚାୟତକୁ ୨୪ଲକ୍ଷ ୩୮ ହଜାର ଓ ୧୦ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତକୁ ୨୮ଲକ୍ଷ ୬୨ ହଜାର ଟଙ୍କାର ପାଣ୍ଠି ମିଳିଥିଲା । କିନ୍ତୁ ଚଳିତ ବର୍ଷ ବିଭିନ୍ନ ବର୍ଗର ପଞ୍ଚାୟତ ପାଇଁ କେନ୍ଦ୍ରୀୟ ପାଣ୍ଠି କମ୍ ଦେବାକୁ ସୁପାରିଶ କରିଛି କେନ୍ଦ୍ରୀୟ ଅର୍ଥ ଆୟୋଗ । ପ୍ରତି ବ୍ଲକ୍ ବା ପଞ୍ଚାୟତ ସମିତିକୁ ପାଣ୍ଠି ଦେବାକୁ ଭିନ୍ନ ଫର୍ମୁଲା ଧାର୍ଯ୍ୟ ହୋଇଛି ।
ଅଧିକ ପଢ଼ନ୍ତୁ :- କେଉଁ ସମୟରେ ରଖିବେନି ଯୌନସଂପର୍କ, ପୁରାଣଶାସ୍ତ୍ରରେ କ'ଣ ରହିଛି ସୂଚନା...
କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ(୨୦୨୧-୨୨ରୁ ୨୦୨୫-୨୬) ସୁପାରିଶ ମୁତାବକ ଓଡ଼ିଶାକୁ ମୋଟ ୮୮୦୦ କୋଟି ଟଙ୍କାର ପାଣ୍ଠି ମିଳିଥିଲା । ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦ)କୁ ଏହି ଅନୁଦାନ ମିଳିଥିଲା । କେବଳ ପଞ୍ଚାୟତକୁ ମିଳିଥିବା ଅନୁଦାନକୁ ହିସାବକୁ ନେଲେ ୨୦୨୧-୨୨ରେ ୧୧୫୬ କୋଟି ଟଙ୍କାର ପାଣ୍ଠି ମିଳିଥିଲା । ୨୦୨୨-୨୩ରେ ୧୧୯୭ କୋଟି, ୨୦୨୩-୨୪ରେ ୧୨୧୦ କୋଟି, ୨୦୨୪-୨୫ରେ ୧୨୮୨ କୋଟି ଓ ୨୦୨୫-୨୬ରେ ୧୨୫୦ କୋଟି ଟଙ୍କା ମିଳିଥିଲା । ତେବେ ଗୋଟିଏ ଆଶ୍ୱସ୍ତିର କଥା, ୨୦୨୬-୨୭ରେ ରାଜ୍ୟର ବିଭିନ୍ନ ପଞ୍ଚାୟତକୁ ପାଣ୍ଠି କମିଲେ ବି ୨୦୨୭-୨୮ରୁ ପାଣ୍ଠି ବଢ଼ିପାରେ । ଆସନ୍ତା ୫ ବର୍ଷରେ ମୋଟ ୧୮ ହଜାର ୭୧୫ କୋଟି ଟଙ୍କାର ପାଣ୍ଠି ମିଳିବ ।
୨୦୨୭-୨୮ରୁ ପ୍ରଦର୍ଶନ ପାଣ୍ଠି(ପରଫରମାନ୍ସ ଗ୍ରାଣ୍ଟ)ମିଳିବା ପରେ ପଞ୍ଚାୟତଗୁଡ଼ିକ ଅଧିକ ପାଣ୍ଠି ପାଇପାରିବେ । କିନ୍ତୁ ଏଥିପାଇଁ ପ୍ରତି ପଞ୍ଚାୟତ ନିଜ ରାଜସ୍ୱ ଆୟ ଭଲ କରିବାକୁ ହେବ । ପରଫରମାନ୍ସ ଗ୍ରାଣ୍ଟ ବାବଦରେ ୨୦୨୭-୨୮ରୁ ୨୦୩୦-୩୧ ଯାଏ ମୋଟ ୩୭୪୨ କୋଟି ଟଙ୍କା ଦେବାକୁ କେନ୍ଦ୍ରୀୟ ଅର୍ଥ କମିଶନ ସୁପାରିଶ କରିଛି । କିନ୍ତୁ ୨୦୨୬-୨୭ରେ ଏହି ପରଫରମାନ୍ସ ଗ୍ରାଣ୍ଟ ମିଳିବନି । ଏଥିପାଇଁ ସିଏଫ୍ସି ପାଣ୍ଠି କମିଯିବ । ପୁଣି ପରଫରମାନ୍ସ ଗ୍ରାଣ୍ଟର ଲାଭ ନେବାକୁ ହେଲେ ପ୍ରତି ପଞ୍ଚାୟତ ପରିବାରଠାରୁ ସବୁ ଟିକସ ଓ ଦେୟ ମିଶାଇ ବର୍ଷକୁ ୧୨୦୦ ଟଙ୍କା ଆଦାୟ ପାଇଁ ଟାର୍ଗେଟ ଦିଆଯାଇଛି । ଘର, ସମ୍ପତ୍ତି ଓ ଜୀବିକା ଟିକସ ବାଦ୍ ମାର୍କେଟ୍ କମ୍ପେ୍ଲକ୍ସରୁ ଭଡ଼ା, ମେଳା ବା ଯାତ୍ରା ଅନୁମତି ଦେୟ ଓ ଅଳିଆ ସଫେଇ ବାବଦ ୟୁଜର୍ସ ଫି’ ଭଳି ଉତ୍ସରୁ ଟିକସ ଆଦାୟ କରିବାକୁ କୁହାଯାଇଛି ।
ପୂର୍ବରୁ ରାଜ୍ୟରେ ମୋଟ ୬୭୯୪ଟି ପଞ୍ଚାୟତ ଥିଲା । କିନ୍ତୁ ରାଜ୍ୟ ସରକାର ୨୪ଟି ନୂଆ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପରେ ପଞ୍ଚାୟତ ସଂଖ୍ୟା ୬୭୩୩କୁ ଖସିଛି । ୬୧ଟି ପଞ୍ଚାୟତ ନୂଆ କରି ଗଢ଼ା ଯାଇଥିବା ସହରାଞ୍ଚଳରେ ମିଶିଯାଇଛି । ପୂର୍ବରୁ ପଞ୍ଚାୟତକୁ ଯେଉଁ ପାଣ୍ଠି ମିଳୁଥିଲା ତାର ୬୦% ଟାଏଡ୍ ଓ ୪୦% ଅନ-ଟାଏଡ୍ ପାଣ୍ଠି ରହୁଥିଲା । ଏବେ ମିଳୁଥିବା ମୋଟ ପାଣ୍ଠିର ୮୦% ଟାଏଡ୍ ଓ ୨୦% ଅନ-ଟାଏଡ୍ ବାବଦରେ ଖର୍ଚ୍ଚ କରିହେବ । ଟାଏଡ୍ ପାଣ୍ଠିକୁ ଗାଁରୁ ବାହାରୁଥିବା ବର୍ଜ୍ୟର ପରିଚାଳନା, ସଫେଇ ଓ ଜଳ ପରିଚାଳନା ବାବଦରେ ଖର୍ଚ୍ଚ କରିହେବ । ସେହିଭଳି ଅନ-ଟାଏଡ ପାଣ୍ଠିକୁ ରାସ୍ତା, ଡ୍ରେନ୍, କଲ୍ୟାଣ ମଣ୍ଡପ ନିର୍ମାଣ, ପାର୍କ ଓ ଅନ୍ୟ ବିକାଶମୂଳକ କାମରେ ଖର୍ଚ୍ଚ କରିହେବ ।