ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ଲାଗିବ କି ପ୍ରଶାସନ? ଏଥର ମାର୍ଚ୍ଚ ୩୧ ଯାଏ କରାଯାଇପାରିବ ଆବେଦନ

Published By : Prameya | November 25, 2024 12:13 PM

କଟକ ୨୫/୧୧: ନୂଆଦିଲ୍ଲୀରେ  ଅନୁଷ୍ଠିତ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି କଟକ ବାଲିଯାତ୍ରାକୁ ପ୍ରଶଂସା କରିବା ଏବଂ ବାଲିଯାତ୍ରାକୁ ଓଡ଼ିଶାର ସାମୁଦ୍ରିକ ସାମର୍ଥ୍ୟର ପ୍ରତୀକ  ଭାବେ ସମ୍ବୋଧନ କରିବା ଐତିହାସିକ ବାଲିଯାତ୍ରାର  ଗୁରୁତ୍ୱକୁ ବଢ଼ାଇ ଦେଇଛି । ପ୍ରଧାନମନ୍ତ୍ରୀଙ୍କ  ଏଭଳି ଟିପ୍ପଣୀ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା  ମିଳିବାରେ ସହଯୋଗ କରିବ ବୋଲି ଆଶା  କରାଯାଇପାରେ । କିନ୍ତୁ ବାଲିଯାତ୍ରାକୁ ୟୁନେସ୍କୋ ଫୋରମ୍‌ ପର୍ଯ୍ୟନ୍ତ ନେବ କିଏ? ଏନେଇ  ଉଦ୍ୟମ ତ’ ଓଡ଼ିଶା ସରକାର ଓ କଟକ ଜିଲ୍ଲା  ପ୍ରଶାସନ କରିବା କଥା । କିନ୍ତୁ ଦୁର୍ଭାଗ୍ୟର କଥା  ହେଉଛି କଟକ ଜିଲ୍ଲା ପ୍ରଶାସନ ୨୦୨୩ ଜୁନ୍‌ରୁ  ୟୁନେସ୍କୋ ଆବେଦନ ଚିଠି ଚାପି ବସିଛି । ଗତବର୍ଷ  ଆବେଦନର ସମୟ ସରିଗଲା ଅଥଚ ପ୍ରଶାସନ  ପକ୍ଷରୁ କିଛି ବି ପଦକ୍ଷେପ ଗ୍ରହଣ କରାଗଲା  ନାହିଁ । ତେଣୁ ଚଳିତ ବର୍ଷ ୟୁନେସ୍କୋ ମାନ୍ୟତା  ପାଇଁ ପ୍ରଶାସନ ପୁଣିଥରେ ଉଦ୍ୟମ କରିବ କି ନା  ତାହା ସ୍ପଷ୍ଟ ହେଉନାହିଁ ।   

ୟୁନେସ୍କୋ ମାନ୍ୟତା ଲାଗି ଏବେ ବି ପର୍ଯ୍ୟାପ୍ତ  ସମୟ ରହିଛି । ଆଉ କିଛି ଦିନ ପରେ ୟୁନେସ୍କୋ  ମାନ୍ୟତା ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।  ଏହାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ଯାଏ  ରହିବ । ତେଣୁ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା  ପାଇଁ ଆବେଦନ କରିବାର ଭଲ ସୁଯୋଗ ଉଭୟ  ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନ ପାଖରେ  ଅଛି । କିନ୍ତୁ ଏହାକୁ ସରକାରଙ୍କ ତରଫରୁ କେତେ  ପ୍ରାଥମିକତା ଦିଆଯିବ ତାହା ସମୟ ବୟାନ୍‌ କରିବ ।  

ସୂଚନା ମୁତାବକ, ଡିସେମ୍ବର ପ୍ରଥମ ସପ୍ତାହରେ  ୟୁନେସ୍କୋ ଜେନେରାଲ୍‌ ସେସନ୍‌ ପାରାଗୁଏରେ  ବସିବ । ଚଳିତବର୍ଷ ଆସିଥିବା ୯୦ଟି ଦେଶରୁ  ୬୦ଟି ନୋମିନେସନ୍‌ ଉପରେ ବିଚାର ବିମର୍ଶ  କରାଯିବ । କିନ୍ତୁ ଏହି ନୋମିନେସନ୍‌ ତାଲିକାରେ  ବାଲିଯାତ୍ରା ନାହିଁ । ଯଦି ୨୦୨୩ ଜୁନ୍‌ରେ ଆସିଥିବା  କେନ୍ଦ୍ର ସରକାରଙ୍କ ଚିଠି ଉପରେ ଜିଲ୍ଲା ପ୍ରଶାସନ  ପଦକ୍ଷେପ ନେଇ ଆବେଦନ କରିଥାଆନ୍ତା ତେବେ  ଆଜି ବାଲିଯାତ୍ରା ଆବେଦନପତ୍ର ପାରାଗୁଏ ୟୁନେସ୍କୋ  ଅଧିବେଶନର ଟେବୁଲ୍‌ ଉପରେ ରହିଥାନ୍ତା । କିନ୍ତୁ  ଏ ସୁଯୋଗ ହାତଛଡ଼ା କରିସାରିଛି ଓଡ଼ିଶା ।  

୨୦୨୩ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରୁ  କେନ୍ଦ୍ର ସଂଗୀତ ନାଟକ ଏକାଡେମୀକୁ ନୋଡାଲ୍‌  ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଥିଲା । ୟୁନେସ୍କୋ  ମାନ୍ୟତା ଲାଗି କଟକ ବାଲିଯାତ୍ରାର ଆବେଦନ  କରିବାକୁ କୁହାଯାଇଥିଲା । ଏହି ଚିଠି କଟକ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କଟକ ମହାନଗର  ନିଗମ (ସିଏମ୍‌ସି)କୁ ମଧ୍ୟ ଆସିଥିଲା । କିନ୍ତୁ  ପ୍ରଶାସନ ତରଫରୁ କୌଣସି ପଦକ୍ଷେପ  ନିଆଯାଇନଥିଲା । ଏମିତିକି କେନ୍ଦ୍ର ସଂଗୀତ ନାଟକ  ଏକାଡ଼େମୀର ଏକ ଟିମ୍‌ ଏ ବାବଦରେ କଟକ ଆସି  ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ  ମଧ୍ୟ ପ୍ରଶାସନିକ ସହଯୋଗ କରାଯାଇନଥିବା  କୁହାଯାଉଛି । ଅନ୍ୟପକ୍ଷରେ ଭାରତ ସରକାରଙ୍କ  ତରଫରୁ ସେତେବେଳେ ବାଲିଯାତ୍ରା ସମ୍ପର୍କରେ ଇଣ୍ଡୋନେସିଆ ଓ ଶ୍ରୀଲଙ୍କା ସରକାରଙ୍କୁ  ମଧ୍ୟ ଅନୁରୋଧ କରାଯାଇଥିଲା । 

ୟୁନେସ୍କୋ  ବ୍ୟବସ୍ଥାନୁସାରେ, ଏକାଧିକ ଦେଶ ଗୋଟିଏ ଉତ୍ସବ  ଲାଗି ମିଳିତ ଆବେଦନ କରିପାରିବେ । ଯେହେତୁ  ଇଣ୍ଡୋନେସିଆ ଓ ଶ୍ରୀଲଙ୍କା ସହିତ ଓଡ଼ିଶାର ଏକ  ଗୌରବମୟ ନୌବାଣିଜ୍ୟ ଇତିହାସ ରହିଛି ତେଣୁ  ତିନି ଦେଶ(ଭାରତ,ଇଣ୍ଡୋନେସିଆ ଓ ଶ୍ରୀଲଙ୍କା)  ମିଳିତ ଭାବେ ଆବେଦନ କରିଥାନ୍ତେ । କିନ୍ତୁ ଓଡ଼ିଶା  ସରକାର ଏ ବାବଦରେ ପଛଘୁଞ୍ଚା ଦେଲେ । 

ୟୁନେସ୍କୋର ଗଭର୍ଣ୍ଣିଂ ବଡିରେ ଭାରତର  ପ୍ରତିନିଧିତ୍ୱ ରହିଛି । ୨୦୨୨ ରୁ ୨୦୨୬ ଯାଏ  ଭାରତ ଗଭର୍ଣ୍ଣିଂବଡିରେ ରହିବା ଯୋଗୁଁ ଭାରତୀୟ  ଆବେଦନକୁ ମାନ୍ୟତା ମିଳିବାରେ ଅସୁବିଧା  ହେବନାହିଁ । ଏ ଭିତରେ ପ୍ରାୟ ଦୁଇବର୍ଷ  ବିତିସାରିଲାଣି । ଯଦି ଏଥର ଓଡ଼ିଶା ସରକାରଙ୍କ  ଉଦ୍ୟମରେ ଭାରତ ସରକାର କଟକ ବାଲିଯାତ୍ରାକୁ  ମାନ୍ୟତା ପାଇଁ ୟୁନେସ୍କୋକୁ ଆବେଦନ ନପଠାନ୍ତି  ତେବେ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଉତ୍ସବ  ମାନ୍ୟତା ମିଳିବା ଅନିଶ୍ଚିତତା ଘେରକୁ ପଳାଇଯିବ ।  ଆସନ୍ତା ଡିସେମ୍ବର ୬ତାରିଖ ୟୁନେସ୍କୋ ଅଧିବେଶନ  ପରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ  ୩୧ତାରିଖ ପର୍ଯ୍ୟନ୍ତ ଆବେଦନ ସମୟ ରହିଛି ।  କିନ୍ତୁ ଆବେଦନ ଏକ ଫର୍ମ ନୁହେଁ, ବାଲିଯାତ୍ରାର  ଐତିହ୍ୟ,ପରମ୍ପରା ଓ ବର୍ତ୍ତମାନ ସମୟରେ ଏହାର  ପ୍ରାସଙ୍ଗିକତାକୁ ନେଇ ଦସ୍ତାବିଜ୍‌ ଦାଖଲ କରାଯିବ ।  

ଏ ସମ୍ପର୍କରେ ଜାତିସଂଘ ଭାରତୀୟ ସଂଘର  କାର୍ଯ୍ୟକାରୀ ସଦସ୍ୟ ଡକ୍ଟର ଦ୍ୱୀପାୟନ ପଟ୍ଟନାୟକ  କହନ୍ତି, କଟକ ଐତିହାସିକ ବାଲିଯାତ୍ରା ଭଳି  କୌଣସି ମେଳାର ଅଢ଼େଇ ହଜାର ବର୍ଷର  ଇତିହାସ ନାହିଁ । ବାଲିଯାତ୍ରା ଏକ ଜୀବନ୍ତ  ମେଳା । ତେଣୁ ଏହି ମେଳା ୟୁନେସ୍କା ମାନ୍ୟତା ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ । କିନ୍ତୁ ଏ ନେଇ ଓଡ଼ିଶା  ସରକାର, ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ୟମ  ଓ ସମନ୍ୱୟର ଅଭାବ ରହିଛି । ତେଣୁ ଆସନ୍ତା  ଡିସେମ୍ବରରୁ ମାର୍ଚ୍ଚ ଯାଏ ରହିଥିବା ସୁଯୋଗକୁ  ଅନ୍ତତଃପକ୍ଷେ ପୁଣିଥରେ ହାତଛଡ଼ା କରାନଯାଉ  ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।  ଅନ୍ୟପକ୍ଷରେ ଏ ସମ୍ପର୍କରେ ଜିଲ୍ଲା ସଂସ୍କୃତି  ଅଧିକାରୀ ନଳିନୀକାନ୍ତ ସାହୁଙ୍କୁ ପଚାରିବାରେ  କହିଛନ୍ତି, ଆମେ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛୁ ।  କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବୁ ।  ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ଏକ କମିଟି  ଗଠନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.