ନୂଆଦିଲ୍ଲୀ,୨୯।୧୦: ତାମିଲନାଡୁରେ ‘କ୍ୟାସ୍ ଫର ଜବ୍’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯାଞ୍ଚ ଜାରି ରହିଛି। ଏହି ମାମଲାରେ ରାଜ୍ୟ ପୋଲିସକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛି ଇଡି। ପୋଲିସକୁ କୁହାଯାଇଛି ଯେ, ପ୍ରତ୍ୟେକ ପଦ ପାଇଁ ଲକ୍ଷାଧିକ ଟଙ୍କାର ଲାଞ୍ଚ ନିଆଯାଇଛ। ଏଜେନ୍ସି ପରୀକ୍ଷା କରୁଥିବା ଆନ୍ନା ୟୁନିଭର୍ସିଟିରେ ବିଶେଷ ଭାବରେ ତଦନ୍ତ କରିବାକୁ ଦାବି କରିଛି। ଏହାଛଡା ୨୦୦ ପୃଷ୍ଠାରୁ ଅଧିକ ଡୋଜିୟର ପୋଲିସକୁ ପ୍ରଦାନ କରାଯାଇଛି, ଯେଉଁଥିରେ ବହୁ ଲୋକଙ୍କ ନାଁ ରହିଛି।

ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁସାରେ, ଇଡି ଚଳିତ ବର୍ଷ ଚଢାଉ ବେଳେ ଏକାଠି କରିଥିବା ପ୍ରମାଣ ଆଧାରରେ ପୋଲିସକୁ ପତ୍ର ଲେଖିଛି। ଏହା ଜରିଆରେ ଅଭିଯୋଗ କରାଯାଇଛି ଯେ, ମ୍ୟୁନିସିପାଲ ଆଡମିନଷ୍ଟ୍ରେସନ୍ ଆଣ୍ଡ ଓ୍ବାଟର ସପ୍ଲାଇ(MAWS)ର ୨ ହଜାର ୫୩୮ ପଦରେ ଅଧିକାରୀ ଓ ଷ୍ଟାଫ୍‌ଙ୍କ ଚୟନ ‘କ୍ୟାସ୍ ଫର ଜବ୍‌’ ବା ଲାଞ୍ଚ ବଦଳରେ କରାଯାଇଛି।

ତାମିଲନାଡୁ ପୋଲିସକୁ ପଠାଯାଇଥିବା ପତ୍ରରେ ଇଡି କହିଛି ୨୦୨୪ ମଧ୍ୟରେ ପରୀକ୍ଷାରେ ଠକେଇ ପାଇଁ ଶକ୍ତିଶାଳୀ ରାଜନେତା ଓ ତାଙ୍କ ସହଯୋଗୀ ୨୫ ରୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲା। ଏହା ସହ ଅଗଷ୍ଟ ୨୦୨୫ ରେ ଅତି କମ୍‌ରେ ୧୫୦ ପ୍ରାର୍ଥୀଙ୍କ ପକ୍ଷରେ ନିଯୁକ୍ତି ପତ୍ର ଜାରି କରାଯାଇଥିଲା। ୨୩୨ ପୃଷ୍ଠାର ଡୋଜିୟରରେ କଥିତ ସ୍କାମ୍‌ରେ ସାମିଲ ଲୋକଙ୍କ ନାଁ ମଧ୍ୟ ଉଲ୍ଲେଖ କରାଯାଇଛି ଓ ତାଙ୍କର ଭୂମିକା ବିଷୟରେ ବି କୁହାଯାଇଛି। ଏଥିରେ ପରୀକ୍ଷାରେ ଠକେଇ ୧୫୦ ପ୍ରାର୍ଥୀଙ୍କ ସୂଚନା ସାମିଲ ରହିଛି। ଯାହାଙ୍କ ପକ୍ଷରେ ଫଳାଫଳ ଜାରି କରାଯାଇଥିଲା। ରିପୋର୍ଟ ଅନୁସାରେ, ଡୋଜିୟରରେ ମଧ୍ୟସ୍ଥିଙ୍କ ଜରିଆରେ ଟଙ୍କା ଲେଣଦେଣ କରାଯାଇଥିଲା।

ରିପୋର୍ଟ ଅନୁସାରେ, MAWS ସଚିବ ଏହି କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଏହା ସହ କହିଛନ୍ତି, କୌଣସି ଅନିୟମିତତାର ବିନା ନିଯୁକ୍ତି କରାଯାଇଛି। ୨୫୩୮ ସହାୟକ ଇଞ୍ଜିନିୟର, ଟାଉନ୍ ପ୍ଲାନିଂ ଅଧିକାରୀ, ଜୁନିଅର ଇଞ୍ଜିନିୟରଙ୍କ ନିଯୁକ୍ତି ସମ୍ପର୍କିତ ଥିଲା। ସବୁଠାରୁ ଖାସ୍ କଥା ଏହା ଯେ, ୨୦୨୪ ରେ ଏହି ପଦ ପାଇଁ ୧.୧୨ ଲକ୍ଷ ଲୋକ ଆବେଦନ କରିଥିଲେ।