ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ପଞ୍ଜିକରଣ, ବିନା ପଞ୍ଜିକରଣରେ ହବିଷ୍ୟାଳୀ ଶିବିରକୁ ପ୍ରବେଶ ମନା

Published By : Swapna Ray | October 4, 2024 3:57 PM

ପୁରୀ, ୪।୧୦: ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଆରମ୍ଭ ହେବ ଅନଲାଇନ ପଞ୍ଜିକରଣ । edistrict.odisha.giv.in ମାଧ୍ୟମରେ ପଞ୍ଜିକରଣ କରିହେବ । ଏହା ଅକ୍ଟୋବର ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅକ୍ଟୋବର ୧୮ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ । ରାଜ୍ୟ ସରକାର ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ପାଇଁ ଅନୁମତି ଦେବା ସହ ଆନୁସଙ୍ଗିକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି । 

ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବାଗେଲା, ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ମାନଙ୍କୁ ରଖାଯିବ । ସେମାନଙ୍କ ରହଣି ସହ ଭୋର ସମୟରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଅନଲାଇନରେ ପଞ୍ଜିକରଣ କରି ହିତାଧିକାରୀ ଭାବେ ଚୟନ ହୋଇଥିବା ମା’ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନଙ୍କୁ ସୂଚନା ଦିଆଯିବ । ବିନା ପଞ୍ଜିକରଣରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ । ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପ୍ୟୁଟି କଲେକ୍ଟର ରାକେଶ ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.