କେନ୍ଦ୍ରାପଡ଼ା, ୨୨/୧୦ : ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ରାପଡ଼ାରେ ମଙ୍ଗଳବାର ରାତି ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନଗୁଡିକ ବାଉଁଶ ଓ ଲାଇଟ୍ ଗେଟ୍ ଖୋଲିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୂଜା ଅନୁଷ୍ଠାନ ଗୁଡିକର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ୨୩ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନ ମା' ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ରାପଡାରେ ୨୩ ଓ ୨୪ ତାରିଖରେ ହେବାକୁ ଥିବା ଗଜଲକ୍ଷ୍ମୀ ମେଲଣ ଏବଂ ଭସାଣୀକୁ ବାତ୍ୟା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବା ପାଇଁ ପୂଜା ଅନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲାପାଳ ରବିନ୍ଦ୍ର କୁମାର ବେହେରା, ଏସପି ସିଦ୍ଧାର୍ଥ କଟାରିଆ ପ୍ରମୁଖ ଉପସ୍ଥିତ ଥିଲେ।