ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସବୁଜିମା ଆଚ୍ଛାଦନର ମହତ୍ତ୍ଵ

Published By : Rasmita Pradhan | July 10, 2025 11:19 AM

ପରିବେଶୀୟ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ବନୀକରଣ, ପୁନଃବନୀକରଣ ଏବଂ ବୃକ୍ଷରୋପଣ ପ୍ରକଳ୍ପଗୁଡ଼ିକୁ ସତର୍କତାର ସହିତ ଯୋଜନା କରାଯିବା ଆବଶ୍ୟକ । ବାହ୍ୟ ଜାତି କିମ୍ବା ଏକକ ଜାତିର ବୃକ୍ଷରୋପଣ ସ୍ଥାନୀୟ ପରିସଂସ୍ଥାରେ ବିପର୍ଯ୍ୟସ୍ତ ଘଟାଇପାରେ ଏବଂ ଉନ୍ନତି ଅପେକ୍ଷା ଅଧିକ କ୍ଷତିସାଧନ କରିପାରେ ।

‘ରାଜଧାନୀରେ ଏମ୍‌ଏଲ୍‌ଏ କଲୋନୀ ପରେ ଏକାମ୍ର ହାଟରେ ଗଛ କଟା ବେଧଡ଼କ ଚାଲିଛି, ବନ ବିଭାଗ ନିରବଦ୍ରଷ୍ଟା, ବିପଦରେ ହେନ୍ତାଳ ବନ, ଚିଙ୍ଗୁଡ଼ି ଘେରି ପାଇଁ ଗଛ କଟା, ଛାଇ ଖୋଜୁଛି କଂକ୍ରିଟ ସହର, ସ୍ମାର୍ଟସିଟିରେ ଗଛ କଟା, ବହୁ ସଂଖ୍ୟାରେ ଚାଲିଛି ଗଛ କଟା, ଦେଖା ଦେଲାଣି ଅମ୍ଳଜାନର ଅଭାବ' । ଏପରି ଶିରୋନାମାରେ ନିୟମିତ ଭାବରେ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ବୃକ୍ଷହାନିର ଅନେକ ସମ୍ବାଦ । ସାମ୍ପ୍ରତିକ ଅଙ୍ଗାରକ-ସଘନ ବିକାଶ ପ୍ରକ୍ରିୟା, ଦ୍ରୁତ ସହରୀକରଣ, ଶିଳ୍ପାୟନର ପ୍ରସାରଣ ଏବଂ କ୍ଷିପ୍ର ବେଗର ଊଦ୍ଧ୍ୱର୍ଗାମୀ ଅର୍ଥନୀତି କ୍ରମଶଃ ପ୍ରକୃତି ଉପରେ ଚାପ ବୃଦ୍ଧି ଘଟାଇବା ସହ ଜଙ୍ଗଲ ଓ ବୃକ୍ଷରାଜିର ଅବକ୍ଷୟକୁ ତ୍ୱରାନ୍ୱିତ କରୁଛି । ସମ୍ପ୍ରତି ଭାରତର ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ସୀମିତ ରହିଛି ୨୫.୧୭% ରେ, ଯାହା ୧୯୮୮ ମସିହାର ଜାତୀୟ ବନ ନୀତି ଦ୍ୱାରା ସ୍ଥିରୀକୃତ ୩୩% ଲକ୍ଷ୍ୟଠାରୁ ଯଥେଷ୍ଟ ନିମ୍ନରେ ରହିଛି । 

ବିଶ୍ୱସ୍ତରରେ, ଅଧୁନା ସ୍ଥଳଭାଗର ପ୍ରାୟ ୩୧% ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ଅଛି । ଅନ୍ୟପକ୍ଷରେ, ମାନବୀୟ ପ୍ରଭାବରେ ଘନ ଜଙ୍ଗଲ କ୍ରମେ ମଧ୍ୟମ ଘନ ଜଙ୍ଗଲ ଏବଂ ପରେ ଖୋଲା ଜଙ୍ଗଲକୁ ରୂପାନ୍ତରିତ ହେଉଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସର୍ବତ୍ର ବୃକ୍ଷରାଜି ବଳିପଡ଼ି ସବୁଜିମା ଆଚ୍ଛାଦିତ ଅଞ୍ଚଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଅସହନୀୟ ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବରେ ଜଙ୍ଗଲ ତଥା ଅନ୍ୟ ପ୍ରାକୃତିକ ପରିସଂସ୍ଥା ସବୁ ନଷ୍ଟଭ୍ରଷ୍ଟ ହୋଇଚାଲିଛି । ତେବେ ପରିବେଶୀୟ ସ୍ଥିରତା, ଜଳବାୟୁ ନିୟନ୍ତ୍ରଣ, ଜୈବବିବିଧତା ସଂରକ୍ଷଣ ଏବଂ ମାନବ କଲ୍ୟାଣ ନିମନ୍ତେ ଆମ ଚତୁର୍ଦ୍ଦିଗରେ ବୃକ୍ଷ ଆବରଣର ବୃଦ୍ଧି ଯେ ଅତ୍ୟନ୍ତ ଜରୁରି, ଏହା ସମସ୍ତେ ହୃଦୟଙ୍ଗମ କରିବା ଏକାନ୍ତ ପ୍ରୟୋଜନୀୟ । ବୃକ୍ଷ ଆଚ୍ଛାଦନର ବୃଦ୍ଧି କେବଳ ଏକ ପରିବେଶଗତ ଆବଶ୍ୟକତା ଭାବରେ ନୁହେଁ, ବରଂ ଅନେକ ବୈଶ୍ୱିକ ଆହ୍ୱାନର ଏକ ସୁଗମ ଏବଂ ଦୀର୍ଘକାଳୀନ ପ୍ରତୀକାରାତ୍ମକ ପନ୍ଥା ଭାବରେ ଉଭା ହୁଏ ।

 ସମ୍ପ୍ରତି ହାଇଦ୍ରାବାଦର କାଞ୍ଚା ଗଚ୍ଛିବୋଲିରେ ଅବସ୍ଥିତ ସହରର ‘ଫୁସଫୁସ' ଏବଂ ଜୈବବିବିଧତା ପରିପୂର୍ଣ୍ଣ ଅଞ୍ଚଳ ରୂପେ ବର୍ଣ୍ଣିତ ୪୦୦ ଏକର ବିଶିଷ୍ଟ ସବୁଜ ଅଞ୍ଚଳରେ ୪୦,୦୦୦ରୁ ଅଧିକ ବୃକ୍ଷଚ୍ଛେଦନ ଓ ଜଙ୍ଗଲ ଅବକ୍ଷୟ ରିପୋର୍ଟ ଏକ ବ୍ୟାପକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହି ଜମିରେ ସୂଚନା ପ୍ରଯୁକ୍ତି ପାର୍କ ଏବଂ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ନିମନ୍ତେ ତେଲେଙ୍ଗାନା ସରକାରଙ୍କର ନିଷ୍ପତ୍ତି ଛାତ୍ରସମାଜ, ପରିବେଶବିତ୍‌ ଏବଂ ନାଗରିକଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗକୁ ସ୍ୱତସ୍ଫୂର୍ତ୍ତ ଭାବରେ ବିଚାର କରି ଏପରି ଜଙ୍ଗଲକ୍ଷୟ ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିବା ସହ ସରକାରଙ୍କୁ ଏକ ବ୍ୟାପକ ପୁନରୁଦ୍ଧାର ଯୋଜନା ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ତାମନାର୍‌ ତହସିଲରେ କୋଇଲା ଖଣି ସ୍ଥାପନ ନିମନ୍ତେ ସ୍ଥାନୀୟ ବାସିନ୍ଦାମାନଙ୍କର ନିରନ୍ତର ପ୍ରତିବାଦ ଏବଂ ଛତିଶଗଡ଼ ହାଇକୋର୍ଟ ତଥା ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ପ୍ରକଳ୍ପ ବିରୁଦ୍ଧରେ ଆବେଦନ ଦାଖଲ ସତ୍ତେ୍ୱ ଏକ ବିଶାଳ ଗଛକଟା ଅଭିଯାନର ଅଂଶସ୍ୱରୂପ ଜୁନ୍‌ ଶେଷରେ ୫,୦୦୦ରୁ ଊଦ୍ଧ୍ୱର୍ ଗଛ ବଳି ପଡ଼ିଛନ୍ତି । 

ଏବେ ଓଡ଼ିଶା ସରକାରଙ୍କ ଦ୍ୱାରା ପୁରୀଠାରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ନିଷ୍ପତ୍ତି ପରିପ୍ରେକ୍ଷୀରେ ୧୩,୦୦୦ରୁ ଊର୍ଦ୍ଧ୍ୱ ବୃକ୍ଷ ସମ ପରିଣାମ ଭୋଗିବା ପଥରେ ଅଛନ୍ତି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ, ବିଶେଷକରି ଗ୍ରେଟ୍‌ ନିକୋବର ପ୍ରକଳ୍ପ, ନିମନ୍ତେ ପର୍ଯ୍ୟାୟକ୍ରମେ ବିପୁଳ ସଂଖ୍ୟାର ପ୍ରାୟ ୯.୬୪ଲକ୍ଷ ଗଛ ଭୂମିଷ୍ଠ ହେବେ ବୋଲି ଆକଳିତ ହୋଇଛି । ଏସବୁର ସୁଦୂରପ୍ରସାରୀ ପରିବେଶଗତ ପ୍ରଭାବ ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ସମ୍ଭାବ୍ୟ ବିସ୍ଥାପନ ବିଷୟରେ ପରିବେଶ ସଂରକ୍ଷଣକାରୀ ଚିନ୍ତା ପ୍ରକଟ କରୁଛନ୍ତି । ଏପରି ଦୃଷ୍ଟାନ୍ତର ସୂଚୀ କ୍ରମେ ପ୍ରଲମ୍ବିତ ହୋଇଚାଲିଛି । ସବୁଜିମା ଆଚ୍ଛାଦନର ହ୍ରାସନ ଦ୍ୱାରା ଅଙ୍ଗାରକ ସଂରକ୍ଷଣ ହ୍ରାସ, ସବୁଜଗୃହ ବାଷ୍ପ ନିର୍ଗମନରେ ବୃଦ୍ଧି, ମୃତ୍ତିକା ଅବକ୍ଷୟ ତ୍ୱରାନ୍ୱିତ, ସାମଗ୍ରିକ ଜୈବବିବିଧତାର ଅବନତି ଏବଂ ସ୍ଥାନୀୟ ପରିସଂସ୍ଥାର କାର୍ଯ୍ୟପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି ହୋଇଥାଏ । ଏପରି ବୈଶ୍ୱିକ ପୃଷ୍ଠଭୂମିରେ ପରିବେଶୀୟ ସ୍ଥିରତା, ଜଳବାୟୁ ନିୟନ୍ତ୍ରଣ, ବନ୍ୟଜୀବ ସଂରକ୍ଷଣ ଏବଂ ମାନବ କଲ୍ୟାଣ ନିମନ୍ତେ ବୃକ୍ଷରୋପଣ ମାଧ୍ୟମରେ ସବୁଜିମା ଆସ୍ତରଣର ପ୍ରସାରଣ ଅତ୍ୟାବଶ୍ୟକ ଅଟେ । ସମଗ୍ର ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଅବକ୍ଷୟ ଏବଂ ସହରୀକରଣର ପ୍ରଭାବ ବିରୁଦ୍ଧରେ ସଂଘର୍ଷ କରୁଛି, ସେତେବେଳେ ବୃକ୍ଷ ଆଚ୍ଛାଦନର ବୃଦ୍ଧି କେବଳ ଏକ ପରିବେଶଗତ ଆବଶ୍ୟକତା ଭାବରେ ନୁହେଁ ବରଂ ଅନେକ ବୈଶ୍ୱିକ ଆହ୍ୱାନର ଏକ ଫଳପ୍ରଦ ଏବଂ ଦୀର୍ଘକାଳୀନ ସମାଧାନର ପନ୍ଥା । 

ଉଦ୍ଭିଦରାଜି ‘ଅଙ୍ଗାରକ ଭଣ୍ଡାର' ଭାବରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରି ଏହାକୁ ସୁଦୀର୍ଘ ସମୟ ସଂରକ୍ଷିତ କରି ରଖନ୍ତି । ଏକ ପରିପକ୍ୱ ବୃକ୍ଷ ବର୍ଷକୁ ୨୨ କିଲୋଗ୍ରାମ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ଶୋଷଣ କରିପାରେ । ପ୍ରତିବର୍ଷ ବିଶ୍ୱସ୍ତରରେ ଜୀବାଶ୍ମ ଇନ୍ଧନରୁ ନିର୍ଗତ ଅଙ୍ଗାରକ ନିର୍ଗମନର ପ୍ରାୟ ଏକତୃତୀୟାଂଶ ଜଙ୍ଗଲ ପରିସଂସ୍ଥା ଶୋଷଣ କରେ । ଅତଏବ, ବ୍ୟାପକ ବୃକ୍ଷରୋପଣ ଏବଂ ବିଦ୍ୟମାନ ଜଙ୍ଗଲକୁ ସୁରକ୍ଷା ପ୍ରଦାନ ଦ୍ୱାରା ଆମେ ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ପରିମାଣରେ ହ୍ରାସ ଘଟାଇ ବିଶ୍ୱତାପନକୁ ମନ୍ଥର କରିପାରିବା । ଏତଦ୍‌ ବ୍ୟତୀତ, ଉଦ୍ଭିଦମାନେ ଯବକ୍ଷାରଜାନ ଡାଇଅକ୍ସାଇଡ୍‌, ଗନ୍ଧକ ଡାଇଅକ୍ସାଇଡ୍‌ ଏବଂ ଅନ୍ୟାନ୍ୟ ରାସାୟନିକ ଓ କଣିକା ପଦାର୍ଥ ଭଳି ପ୍ରଦୂଷକଗୁଡ଼ିକୁ ଛାଣି ବାୟୁର ଗୁଣବତ୍ତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି, ଯାହା ମଣିଷ ଏବଂ ଜୀବଜନ୍ତୁଙ୍କୁ ସ୍ୱଚ୍ଛ ବାୟୁ ପ୍ରଦାନ କରେ । ବିଶେଷକରି, ସହରାଞ୍ଚଳମାନଙ୍କରେ ବିସ୍ତାରିତ ବୃକ୍ଷ ଆବରଣ ଟ୍ରାଫିକ୍‌, ଶିଳ୍ପ ଏବଂ ବ୍ୟାବସାୟିକ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ଉତ୍ସରୁ ସୃଷ୍ଟ ପ୍ରଦୂଷଣକୁ ପ୍ରତିରୋଧ କରିବାରେ ସହାୟତା କରେ । ପରିଣାମ ସ୍ୱରୂପ, ଶ୍ୱାସକ୍ରିୟା ଏବଂ ହୃଦ୍‌ରୋଗ ହାରରେ ହ୍ରାସ ଘଟି ଜନସ୍ୱାସ୍ଥ୍ୟ ସୁରକ୍ଷିତ ରହେ । ବୃକ୍ଷମାନେ ବର୍ଷାଜଳକୁ ଶୋଷଣ ଓ ସଂରକ୍ଷଣ କରି ଜଳଚକ୍ରକୁ ନିୟନ୍ତ୍ରଣ କରନ୍ତି, ଜଳପ୍ରବାହ ଓ ମୃତ୍ତିକା କ୍ଷୟକୁ ହ୍ରାସ କରନ୍ତି ଏବଂ ଭୂତଳ ଜଳର ପୁନଃଭରଣାରେ ବୃଦ୍ଧି ଘଟାନ୍ତି । ସେମାନଙ୍କର ଚେର ପ୍ରଣାଳୀ ମାଟିକୁ ସ୍ଥିର ରଖେ, ଭୂସ୍ଖଳନକୁ ରୋକିଥାଏ ଏବଂ ବନ୍ୟାର ଆଶଙ୍କାକୁ ହ୍ରାସକରେ । ଜଙ୍ଗଲାଞ୍ଚଳ ସବୁ ପ୍ରାକୃତିକ ଜଳ ଫିଲ୍ଟର ଭାବରେ କାର୍ଯ୍ୟ କରି ଜଳଯୋଗାଣର ଗୁଣବତ୍ତା ଉନ୍ନତ କରିଥାନ୍ତି । 

ଅତଏବ, ଜଳାଭାବ ଦୂର କରିବା ଏବଂ ଅଧିକ ସ୍ଥିର ଓ ସ୍ଥାୟୀ ଜଳସମ୍ପଦ ସୁନିଶ୍ଚିତ କରିବା ନିମନ୍ତେ ଉଦ୍ଭିଦ ଆବରଣର ବିସ୍ତାର ଘଟାଇବା ଏକ ବ୍ୟାବହାରିକ ରଣନୀତି ଅଟେ । ବୃକ୍ଷ ଆଚ୍ଛାଦିତ ଜଙ୍ଗଲାଞ୍ଚଳ ପରିସଂସ୍ଥାରେ ୮୦% ରୁ ଅଧିକ ସ୍ଥଳଚର ଜୀବଜାତି ବସବାସ କରନ୍ତି । ଜଙ୍ଗଲ ଅବକ୍ଷୟ ଏବଂ ବାସସ୍ଥଳୀ ବିଖଣ୍ଡନ ଅଗଣିତ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତିକୁ ବିପଦଗ୍ରସ୍ତ କରୁଥିବାରୁ, ବୃକ୍ଷ ଆଚ୍ଛାଦନ ବୃଦ୍ଧି ଦ୍ୱାରା ପରିବେଶଗତ ସନ୍ତୁଳନ ପୁନଃସ୍ଥାପିତ ଏବଂ ଜୈବବିବିଧତା ସଂରକ୍ଷଣ ସମ୍ଭବପର ହେବ । ବିଶେଷକରି ଦେଶୀୟ ଏବଂ ବହୁବିଧ ପ୍ରଜାତି ଉପରେ ଧ୍ୟାନକେନ୍ଦ୍ରିତ କରୁଥିବା ବୃକ୍ଷରୋପଣ ମାଧ୍ୟମରେ ବନ୍ୟପ୍ରାଣୀ ଚଲାପଥର ପୁନଃସ୍ଥାପନ ଏବଂ ବିଖଣ୍ଡିତ ପରିସଂସ୍ଥାକୁ ସଂଯୁକ୍ତ କରାଯାଇପାରିବ, ଯାହା ଜୀବଜାତିମାନଙ୍କର ସ୍ଥାନାନ୍ତରଣ, ବଂଶବୃଦ୍ଧି ଏବଂ ଉନ୍ନତି ସାଧନକୁ ସମର୍ଥନ କରିବ । ସବୁଜିମା ବୃଦ୍ଧିର ମଧ୍ୟ ଗଭୀର ପ୍ରଭାବ ରହିଛି ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ । ସହରାଞ୍ଚଳ ପରିବେଶରେ ବୃକ୍ଷମାନେ ସୁଶୀତଳ ଛାୟା ପ୍ରଦାନ କରିବା ସହ ଉତ୍ତାପ ଦ୍ୱୀପ ପ୍ରଭାବକୁ ପ୍ରତିହତ କରନ୍ତି, ଯାହା ସହରମାନଙ୍କୁ ଅଧିକ ବାସୋପଯୋଗୀ କରେ ଏବଂ ଶକ୍ତିବ୍ୟୟକାରୀ ଶୀତତାପ ନିୟନ୍ତ୍ରଣର ଆବଶ୍ୟକତାରେ ହ୍ରାସ ଘଟାଏ । ସବୁଜିମା ମାନସିକ ଚାପ ହ୍ରାସ କରି ସୁସ୍ଥତା ଓ ଶୀତଳତା ପ୍ରଦାନରେ ଅବଦାନ ରଖେ, ମନୋଭାବ ଉନ୍ନତ କରେ ଏବଂ ଶାରୀରିକ କାର୍ଯ୍ୟକଳାପକୁ ଉତ୍ସାହିତ କରେ । ଆର୍ଥିକ ଦୃଷ୍ଟିରୁ ଏହା ଜଙ୍ଗଲ, କୃଷି, ପର୍ଯ୍ୟଟନ ଏବଂ ଔଷଧୀୟ ଉଦ୍ଭିଦ ଭଳି କ୍ଷେତ୍ରରେ ଜୀବିକା ନିର୍ବାହକୁ ସମର୍ଥନ କରେ । ନିରନ୍ତର ବନୀକରଣ ଅଭ୍ୟାସ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହିତ ସବୁଜ ନିଯୁକ୍ତି ସୃଷ୍ଟିର ଭିତ୍ତି ସ୍ଥାପନ କରେ । ଏପରି ହିତସାଧନ ସତ୍ତ୍ଵେ, ଜଙ୍ଗଲ ଅବକ୍ଷୟ, କୃଷିକ୍ଷେତ୍ର ପ୍ରସାରଣ, କାଷ୍ଠ ଆବଶ୍ୟକତା ପୂରଣ ପାଇଁ ବୃକ୍ଷ ଛେଦନ ଏବଂ ଭିତ୍ତିଭୂମି ବିକାଶ କାରଣରୁ ବିଶ୍ୱ ସବୁଜିମା ଆଚ୍ଛାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଗ୍ଲୋବାଲ ଫରେଷ୍ଟ ୱାଚ୍‌ ଅନୁଯାୟୀ, କେବଳ ୨୦୨୩ ମସିହାରେ ବିଶ୍ୱ ଉଷ୍ଣମଣ୍ଡଳୀୟ ପ୍ରାଥମିକ ବୃଷ୍ଟିଜଙ୍ଗଲ ପ୍ରାୟ ୩.୭ ନିୟୁତ ହେକ୍ଟର ଆକାରର ବୃକ୍ଷ ଆଚ୍ଛାଦନ ହରାଇଛି । ଏପରି କ୍ରମାଗତ କ୍ଷୟକ୍ଷତି ଧାରାର ପରିବର୍ତ୍ତନ ନିମନ୍ତେ ଏକ ସମନ୍ୱିତ ଏବଂ ସମ୍ମିଳିତ ବିଶ୍ୱ ପ୍ରୟାସର ପ୍ରୟୋଜନୀୟତା ଅତ୍ୟନ୍ତ ସୁସ୍ପଷ୍ଟ ଅଟେ । ପରିବେଶୀୟ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ବନୀକରଣ, ପୁନଃବନୀକରଣ ଏବଂ ବୃକ୍ଷରୋପଣ ପ୍ରକଳ୍ପଗୁଡ଼ିକୁ ସତର୍କତାର ସହିତ ଯୋଜନା କରାଯିବା ଆବଶ୍ୟକ । ବାହ୍ୟ ଜାତି କିମ୍ବା ଏକକ ଜାତିର ବୃକ୍ଷରୋପଣ ସ୍ଥାନୀୟ ପରିସଂସ୍ଥାରେ ବିପର୍ଯ୍ୟସ୍ତ ଘଟାଇପାରେ ଏବଂ ଉନ୍ନତି ଅପେକ୍ଷା ଅଧିକ କ୍ଷତିସାଧନ କରିପାରେ । ଦେଶୀୟ/ ସ୍ଥାନୀୟ ଉଦ୍ଭିଦ ଜାତି ଏବଂ ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାର ପୁନରୁଦ୍ଧାରକୁ ପ୍ରାଧାନ୍ୟ ପ୍ରଦାନ ଏକାନ୍ତ ଅପରିହାର୍ଯ୍ୟ । 

ବୃକ୍ଷରୋପଣ ପ୍ରକଳ୍ପଗୁଡ଼ିକର ସଫଳତା ତଥା ନିରନ୍ତରତା ହାସଲ ଏବଂ ସ୍ଥାନୀୟ ଆବଶ୍ୟକତା ସହିତ ସମନ୍ୱିତ କରିବା ନିମନ୍ତେ ସ୍ଥାନୀୟ ସମ୍ପ୍ରଦାୟମାନଙ୍କୁ ଯୋଜନା ଏବଂ କାର୍ଯ୍ୟାନ୍ୱୟନରେ ନିୟୋଜିତ କରାଯିବା ବାଞ୍ଛନୀୟ । ଶିକ୍ଷା ଏବଂ ସଚେତନତା ଅଭିଯାନ ପରିବେଶୀୟ ପରିଚାଳନାର ସଂସ୍କୃତିକୁ ପ୍ରୋତ୍ସାହିତ କରିବ ଏବଂ ବ୍ୟକ୍ତିବିଶେଷଙ୍କୁ ନିଜ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ପ୍ରେରଣା ଦେବ । ଏହା ହୃଦୟଙ୍ଗମ କରିବା ଆବଶ୍ୟକ ଯେ, ବୃକ୍ଷ ଆବରଣ ବୃଦ୍ଧି କରିବା ଆମ ସମୟର ପରିବେଶୀୟ ଏବଂ ସାମାଜିକ ଆହ୍ୱାନ ସବୁକୁ ପ୍ରତିହତ କରିବାର ଏକ ଶକ୍ତିଶାଳୀ ଏବଂ ଅତ୍ୟାବଶ୍ୟକ ପ୍ରତିକ୍ରିୟା । ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଏବଂ ବାୟୁ ଓ ଜଳର ଗୁଣବତ୍ତାରେ ଉନ୍ନତି ସାଧନ କରିବାଠାରୁ ଜୈବବିବିଧତା ଏବଂ ମାନବ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ପର୍ଯ୍ୟନ୍ତ, ସବୁଜିମାର ବୃଦ୍ଧି ବହୁଳ ଭାବରେ ମାନବ ଜୀବନ ଏବଂ ଜୀବଜଗତର ହିତସାଧନ ସହିତ ଜଡ଼ିତ । ସରକାର, ବିବିଧ ସଂଗଠନ ଏବଂ ବ୍ୟକ୍ତିବିଶେଷ ଉପସ୍ଥିତ ଜଙ୍ଗଲ ସବୁକୁ ସୁରକ୍ଷା ଦେବା, ଅବକ୍ଷୟିତ ଜମିର ପୁନରୁଦ୍ଧାର କରିବା ଏବଂ ବିଜ୍ଞତାର ପ୍ରଦର୍ଶନପୂର୍ବକ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ସମ୍ମିଳିତ ଭାବରେ କାର୍ଯ୍ୟ ସମ୍ପାଦନ କରିବା ଏକାନ୍ତ ଅପରିହାର୍ଯ୍ୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.