ଭୁବନେଶ୍ୱର, ୨୦/୧୧ : ନ୍ୟାୟ ଆଶାରେ କୋରାପୁଟ, ମାଲକାନଗିରି ଓ ବାରିପଦାରୁ ଧାଇଁ ଆସୁଛନ୍ତି । ବେଶ୍ ଖର୍ଚ୍ଚାନ୍ତ ହେଉଛନ୍ତି । ସମୟ ବି ଅପଚୟ ହେଉଛି । ତୋଷାଳୀ ଭବନରେ ଚକ୍କର କାଟୁଛନ୍ତି । କିନ୍ତୁ ନ୍ୟାୟ ମିଳୁନି । ଏହା ହେଉଛି ଦୁର୍ନୀତି ମାମଲାର ତ୍ୱରିତ ଫଇସଲା ପାଇଁ ଗଢ଼ାଯାଇଥିବା ଲୋକାୟୁକ୍ତର ବାସ୍ତବ ଚିତ୍ର । ଅଧ୍ୟକ୍ଷ ଓ ସଦସ୍ୟ ବିନା ଲୋକାୟୁକ୍ତ ଏକରକମର ପଙ୍ଗୁ ପାଲଟିଛି । ଖାଲି ଲୋକାୟୁକ୍ତ କାହିଁକି, ତୋଷାଳି ଭବନର ଅଧିକାଂଶ ଆୟୋଗ ସମାନ ଦଶା ଭୋଗୁଛନ୍ତି । ବିନା ମୁଖିଆରେ ରାଜ୍ୟ ସୂଚନା କମିଶନ କୋମାକୁ ଚାଲିଯାଇଛି । କମିଶନରେ ପ୍ରାୟ ୨୩ ହଜାର ମାମଲା ପଡି଼ ରହିଛି । ପୁଲିସ ପ୍ରଶାସନଠୁ ଫେଲ୍ ମାରିବା ପରେ ରାଜ୍ୟ ମହିଳା କମିଶନଙ୍କଠୁ ବି ନ୍ୟାୟ ପାଉନାହାନ୍ତି ନିର୍ଯାତିତା । ଏସବୁ ଆୟୋଗକୁ ସଜାଡି଼ବା ନେଇ ସରକାରୀ ସ୍ତରରେ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ଶାସନ ଭାର ସମ୍ଭାଳିବାର ୫ ମାସ ପରେ ବି ଗୁରୁତ୍ୱପୂର୍ଣ୍ଣ ସାମ୍ବାଧାନିକ ପଦବୀ ପୂରଣ କରିବାରେ ବିଫଳ ହୋଇଛନ୍ତି ।
୨୦୧୯ ମାର୍ଚ୍ଚ ୩ ତାରିଖରେ ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ ଜଷ୍ଟିସ୍ ଅଜିତ ସିଂ । ସେ ଅଧ୍ୟକ୍ଷ ପଦ ଛାଡି଼ବାର ୮ ମାସ ବିତିଲାଣି । ତାଙ୍କ ପଛକୁ ପଛ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଲେଗଲେଣି । ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଶେଷ ସଦସ୍ୟ ଭାବେ ଗତ ଅଗଷ୍ଟ ୮ ତାରିଖରେ ଦାୟିତ୍ୱ ଛାଡି଼ଥିଲେ । ତା’ ପରଠୁ ପୂରା ଅକାମୀ ହୋଇଯାଇଛି ଲୋକାୟୁକ୍ତ ବେଞ୍ଚ । ବର୍ଷ ଆରମ୍ଭରୁ ପାଖାପାଖି ୫୦୦ରୁ ଅଧିକ ଅଭିଯୋଗପତ୍ର ଦାଖଲ ହେଲାଣି । କିନ୍ତୁ ବେଞ୍ଚ ଅଭାବରୁ ଅଧିକାଂଶ ମାମଲାର ଫଇସଲା ହୋଇପାରୁନି । ନୂଆ ଅଧ୍ୟକ୍ଷ କି ସଦସ୍ୟ ଚୟନ କମିଟି ବୈଠକ ପାଇଁ ସରକାରୀସ୍ତରରେ ତତ୍ପରତା ଦେଖାଯାଉନି । ତାମିଲନାଡୁ କ୍ୟାଡର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ୨୦୨୧ ସେପ୍ଟେମ୍ବରରୁ ମୁଖ୍ୟ ସୂଚନା କମିଶନର (ସିଆଇସି)ଙ୍କ ଦାୟିତ୍ୱ ତୁଲାଉଥିଲେ । ଗତ ଅକ୍ଟୋବର ୪ରେ ତାଙ୍କ ଅବସର ପରେ ଦେଢ଼ ମାସ ଧରି ଏହି ପଦବି ଖାଲି ପଡି଼ଛି । ଗତ ଅଗଷ୍ଟ ୨୯ରେ ନ୍ୟାୟିକ ସଦସ୍ୟ ଭାବେ ବାଳକୃଷ୍ଣ ମହାପାତ୍ର ମଧ୍ୟ ଅବସର ନେଇଥିଲେ । ୧୦ଜଣ ସଦସ୍ୟଙ୍କ ମଧ୍ୟରୁ ଏବେ ସୂଚନା ପ୍ରଦାନର ଦାୟିତ୍ୱ ମୁଣ୍ଡାଇଛନ୍ତି ସୁଶାନ୍ତ କୁମାର ମହାନ୍ତି ଓ ଜଗନ୍ନାଥ ରଥ । କମିଶନରେ ପ୍ରାୟ ୨୩ ହଜାରରୁ ଅଧିକ ମାମଲା ପଡି଼ରହିଛି । ଏବେ ବି ୨୦୨୦ର ମାମଲାର ଶୁଣାଣି ଚାଲିଛି । ଅବଶ୍ୟ, ଗତକାଲି ୪ ସୂଚନା କମିଶନ ସଦସ୍ୟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ବିଦ୍ୟୁତ ଜନିତ ସମସ୍ୟାରେ ସାଧାରଣ ଜନତା ଛନ୍ଦି ହୋଇପଡି଼ଛନ୍ତି । ମୁଖିଆ ଅଭାବରୁ ଓଡି଼ଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ରେ ପ୍ରାୟତଃ ଅଚଳ ହୋଇଯାଇଛି ।
ଗତବର୍ଷ ମାର୍ଚ୍ଚରେ ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ସେ ଦାୟିତ୍ୱ ଛାଡି଼ବା ପରଠୁ କାହାରିକୁ ଚୟନ କରାଯାଇ ନାହିଁ । ଓଇଆର୍ସିରେ କେବଳ ଗଜେନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ରାୟ ମହାପାତ୍ର ହିଁ ସଦସ୍ୟ ଅଛନ୍ତି । ବହୁ ବାଦବିବାଦ ପରେ ଗତ ୧୦ ତାରିଖରେ ମହିଳା କମିଶନ ଅଧ୍ୟକ୍ଷ ଦାୟିତ୍ୱରୁ ମିନତୀ ବେହେରାଙ୍କୁ ହଟାଯାଇଥିଲା । ଗତ ଜୁନ୍ରୁ ସେପ୍ଟେମ୍ବର ଭିତରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟନଜକ ବୋଲି ଦର୍ଶାଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିଲା । ସମସ୍ତ ସଦସ୍ୟଙ୍କୁ ବି ବିତାଡି଼ତ କରାଗଲା । ତା’ ପରଠୁ କମିଶନ ଅଚଳ ହୋଇପଡି଼ଛି । ରାଜ୍ୟ ମାନବ ଅଧିକାର କମିଶନର କାର୍ଯ୍ୟାଳୟରେ ସଚିବଙ୍କ ପଦବି ପାଖାପାଖି ବର୍ଷେ ଧରି ଫାଙ୍କା ପଡି଼ଛି । ଆଇଏଏସ୍ ସୁନିଲ କୁମାର ନାୟକଙ୍କ ପରେ ସଚିବ ନିଯୁକ୍ତି ନେଇ ସରକାର କୌଣସି ଆଗ୍ରହ ଦେଖାଇ ନାହାନ୍ତି । ବରିଷ୍ଠ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଓଏଚ୍ଆର୍ସିର ତଦନ୍ତ ନିର୍ଦ୍ଦେଶକ ଦାୟିତ୍ୱ ମୁଣ୍ଡାଇଥିଲେ । ତାଙ୍କ ପରେ ବିନା ମୁଖିଆରେ ବିଭିନ୍ନ ମାମଲାର ତଦନ୍ତ ବି ଧିମେଇ ଯାଇଛି ।