ଦୀର୍ଘ ୬୩ବର୍ଷର ଏହି ସଫଳ  ଯାତ୍ରାରେ କୃଷି ଶିକ୍ଷା ମାଧ୍ୟମରେ  ମାନବ ସମ୍ବଳର ବିକାଶ, ଗବେଷଣା  ଦ୍ୱାରା ବିଭିନ୍ନ ଜ୍ଞାନକୌଶଳର ଉଦ୍ଭାବନ, ନୂତନ ଫସଲ କିସମର  ବିକାଶ ତଥା ସମ୍ପ୍ରସାରଣ ଶିକ୍ଷା ଦ୍ୱାରା  ଗବେଷଣାଲବ୍ଧ ଜ୍ଞାନକୁ ଚାଷୀମାନଙ୍କ  ପାଖରେ ପହଞ୍ଚାଇବା ପାଇଁ ଓୟୁଏଟି  ସର୍ବଦା ଉଦ୍ୟମ ଜାରି ରଖିଛି ।ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷିଭିତ୍ତିକ ।  ସମ୍ପ୍ରତି ରାଜ୍ୟର ୫୦ ପ୍ରତିଶତ ଶ୍ରମଶକ୍ତି କୃଷି  ଓ ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ । ବିଗତ କିଛି  ବର୍ଷ ମଧ୍ୟରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନରେ  ଉଲ୍ଲେଖନୀୟ ପ୍ରଗତି ଘଟିଛି । ଓଡ଼ିଶା ମଧ୍ୟ ଧାନ  ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବରେ ପରିଗଣିତ  ହୋଇପାରିଛି । ଆମ ରାଜ୍ୟରେ କୃଷିର  ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ୧୯୬୨  ମସିହାରେ ଭୁବନେଶ୍ୱରରେ ପ୍ରତିଷ୍ଠା  କରାଯାଇଥିଲା ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱବିଦ୍ୟାଳୟ । ଏହା ଭାରତର ଦ୍ୱିତୀୟ  ପୁରାତନ କୃଷି ବିଶ୍ୱବିଦ୍ୟାଳୟ ଭାବରେ  ଖ୍ୟାତ । 

ଦୀର୍ଘ ୬୩ବର୍ଷର ଏହି ସଫଳ ଯାତ୍ରାରେ କୃଷି ଶିକ୍ଷା  ମାଧ୍ୟମରେ ମାନବ ସମ୍ବଳର ବିକାଶ, ଗବେଷଣା ଦ୍ୱାରା  ବିଭିନ୍ନ ଜ୍ଞାନକୌଶଳର ଉଦ୍ଭାବନ, ନୂତନ ଫସଲ କିସମର  ବିକାଶ ତଥା ସମ୍ପ୍ରସାରଣ ଶିକ୍ଷା ଦ୍ୱାରା ଗବେଷଣାଲବ୍ଧ  ଜ୍ଞାନକୁ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓୟୁଏଟି  ସର୍ବଦା ଉଦ୍ୟମ ଜାରି ରଖିଛି । ଏହି ବିଶ୍ୱବିଦ୍ୟାଳୟରୁ  ଏଯାବତ୍‌ ପ୍ରାୟ ୩୫,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ  ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା,  ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବହୁରାଷ୍ଟ୍ରୀୟ କମ୍ପାନୀ,  ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରେ  ସଫଳତାର ସହ କାର୍ଯ୍ୟ କରୁଛନ୍ତି । 

ଶିକ୍ଷା ଓ ଗବେଷଣା  କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ କୃଷି  ଗବେଷଣା ପରିଷଦର ର‌୍ୟାଙ୍କିଙ୍ଗ୍‌ ଅନୁସାରେ ଓୟୁଏଟି ୨୦୨୪ ମସିହାରେ ଭାରତବର୍ଷରେ ୧୫ତମ ସ୍ଥାନ  ଅଧିକାର କରିଛି । ଏହାବାଦ୍‌, ଏଗ୍ରିକଲଚର ଟୁଡେ ସଂସ୍ଥା,  ନୂଆଦିଲ୍ଲୀ ଦ୍ୱାରା ୨୦୨୧ ବର୍ଷରେ ଜାତୀୟ ସ୍ତରରେ ଓୟୁଏଟି  ଶ୍ରେଷ୍ଠ କୃଷି ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ  କରିଛି । ସେହିପରି ୨୦୨୩ ମସିହାରେ ଉଚ୍ଚଶିକ୍ଷାରେ  ଉତ୍ତମ ପ୍ରଦର୍ଶନ ନିମନ୍ତେ ‘ଏଫଆଇସିସିଆଇ’ ଦ୍ୱାରା  ସ୍ୱତନ୍ତ୍ର ‘ବିଚାରକ ମଣ୍ଡଳୀ ପୁରସ୍କାର' ହାସଲ କରିପାରିଛି  ଓ ୨୦୨୪ ମସିହାରେ ଦେଶର ଶ୍ରେଷ୍ଠ କୃଷି ବିଶ୍ୱବିଦ୍ୟାଳୟ  ଭାବରେ ‘ଡକ୍ଟର ଏ.ପି.ଜେ. ଅବଦୁଲ କଲାମ୍‌' ପୁରସ୍କାର  ପାଇବାର ଗୌରବ ହାସଲ କରିଛି । 

ଚଳିତ ଶିକ୍ଷାବର୍ଷ ଠାରୁ ଜାତୀୟ ନୂତନ ଶିକ୍ଷାନୀତି  ଏବଂ ଆଇ.ସି.ଏ.ଆର.ର ୬ଷ୍ଠ ଡିନ୍ସ କମିଟି ଅନୁମୋଦିତ  ପାଠ୍ୟକ୍ରମ ସ୍ନାତକ ସ୍ତରରେ ଆରମ୍ଭ କରାଯାଇଛି । ପ୍ରଥମ  ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଛି । ଶିକ୍ଷା ପରିଚାଳନା ବ୍ୟବସ୍ଥାକୁ ସ୍ୱଚ୍ଛ ଓ  ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷାକ୍ଷେତ୍ରରେ ଡିଜିଟାଇଜେସନ  ପ୍ରକ୍ରିୟା ପ୍ରଚଳନ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟର  ଶୈକ୍ଷିକ ବାତାବରଣ ଦ୍ୱାରା ଆକୃଷ୍ଟ ହୋଇ ନେପାଳ,  ବଙ୍ଗଳାଦେଶ, ସୋମାଲିଆ, ଆଫଗାନିସ୍ତାନ, ଇଜିପ୍ଟ ଓ  ଭିଏତନାମ ପରି ଦେଶର ଛାତ୍ରଛାତ୍ରୀମାନେ ଏଠାରେ  ଶିକ୍ଷାଲାଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । 

ବିଗତ ଦୁଇବର୍ଷ ମଧ୍ୟରେ ୮୬ଜଣ ସ୍ନାତକ  ଛାତ୍ରଛାତ୍ରୀ ଓ ୨୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୁକ୍ତରାଷ୍ଟ୍ର  ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଜର୍ମାନୀ, ଇଟାଲୀ,  ମାଲେସିଆ, ଫିଲିପାଇନ୍ସ ଓ ଥାଇଲାଣ୍ଡ ଆଦି ଦେଶକୁ ଯାଇ  ସେଠାକାର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ଥିବା ଉଚ୍ଚମାନର  ଗବେଷଣାଗାରଗୁଡ଼ିକରେ ତାଲିମ ନେବାର ସୁଯୋଗ  ପାଇଛନ୍ତି । ଏହାଛଡ଼ା ବିଗତ ବର୍ଷ ବିଶ୍ୱବିଦ୍ୟାଳୟର  ୪୧୬ଜଣ ଛାତ୍ରଛାତ୍ରୀ କୃଷି ଉନ୍ନତ ସହଯୋଗୀ ଭାବରେ  ରାଜ୍ୟର ସମସ୍ତ ଜିଲ୍ଲାରେ ଗ୍ରାମାଞ୍ଚଳର କୃଷକମାନଙ୍କ  ସହିତ ତଥା କୃଷି ଅଧିକାରୀମାନଙ୍କ ସହିତ କାର୍ଯ୍ୟ  କରିବାର ସୁଯୋଗ ପାଇଛନ୍ତି । 

ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଫସଲର  ୧୯୪ଟି ଅଧିକ ଅମଳକ୍ଷମ ଓ ସଙ୍କର କିସମ ବିକଶିତ  କରାଯାଇଛି । ଚଳିତ ବର୍ଷ ଦୁଇଟି ଧାନ କିସମ ‘ସାରିଆ'  ଓ ‘ମହେନ୍ଦ୍ରଗିରି' ତଥା ମାଣ୍ଡିଆ କିସମ ‘ଶ୍ରୀପ୍ରଭା'  କେନ୍ଦ୍ରୀୟ କିସମ ବିକାଶ କମିଟି ଦ୍ୱାରା ପଞ୍ଜିକୃତ  ହୋଇଅଛି । ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଗୋଖାଦ୍ୟ  ଫସଲ ପିଲିପେସାରା କିସମ ‘ପ୍ରଥମା' ପ୍ରଧାନମନ୍ତ୍ରୀଙ୍କ  ଦ୍ୱାରା ଗତ ଅଗଷ୍ଟ ମାସରେ ଦେଶର କୃଷକମାନଙ୍କ  ନିମନ୍ତେ ଉତ୍ସର୍ଗୀକୃତ ହୋଇଛି । ଏହା ଜାତୀୟ ସ୍ତରରେ  ପିଲିପେସାରା ଫସଲର ପ୍ରଥମ କିସମ । 

ଏହା ବ୍ୟତୀତ ଅନେକ ପ୍ରକାର କୃଷି ଯନ୍ତ୍ରପାତି,  ଫସଲ ଉତ୍ପାଦନ ଓ ଫସଲ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନ  କୌଶଳମାନ ବିକଶିତ ହୋଇ କୃଷକମାନଙ୍କ ମଧ୍ୟରେ  ଆଦୃତି ଲାଭ କରିଛି । ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ  ହୋଇଥିବା ଧାନ କିସମ ଲଲାଟ, ପ୍ରତୀକ୍ଷା, ହସନ୍ତ³  ମକା କିସମ କଳିଙ୍ଗରାଜ, ଅଦା କିସମ ସୁପ୍ରଭା, ସୁରୁଚି  ଓ ସୁରଭି³ ହଳଦୀ କିସମ ରଙ୍ଗ ଓ ରଶ୍ମୀ³ ବିଲାତି  ବାଇଗଣ କିସମ ଉତ୍କଳ କୁମାରୀ, ଭେଣ୍ଡି କିସମ ଉତ୍କଳ  ଗୌରବ ଆଦି ଚାଷୀମାନଙ୍କ ମଧ୍ୟରେ ଲୋକପ୍ରିୟତା  ହାସଲ କରିଛି । ବିଶ୍ୱବିଦ୍ୟାଳୟରୁ ବିକଶିତ ମାଣ୍ଡିଆ  ଅମଳ ଯନ୍ତ୍ର କୃଷକମାନଙ୍କ ମଧ୍ୟରେ ଆଦୃତି ଲାଭ କରିଛି ।  ଏତଦ୍ଭିନ୍ନ ବିଶ୍ୱବିଦ୍ୟାଳୟର ଯନ୍ତ୍ରୀମାନଙ୍କ ଦ୍ୱାରା ଦୁଇଧାଡ଼ିଆ  ଯନ୍ତ୍ରଚାଳିତ ଘାସବଛା ଯନ୍ତ୍ର, ପେଡାଲଚାଳିତ ମକା ମଞ୍ଜିଛଡ଼ା  ଯନ୍ତ୍ର, ପାୱାର ଟିଲରଚାଳିତ ଆଳୁ ଲଗେଇବା ଯନ୍ତ୍ର,  ସାରଚାଳିତ ଭ୍ରାମ୍ୟମାଣ ଶୀତଳୀକରଣ ଯନ୍ତ୍ର, ଯନ୍ତ୍ରଚାଳିତ  ବାଦାମ ଅମଳ ଯନ୍ତ୍ର ଆଦି ବିକଶିତ କରାଯାଇଛି ।  ରାଜ୍ୟ ସରକାରଙ୍କ ସହାୟତାରେ ଏକ ଭୌଗୋଳିକ  ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ତଥା ହାଇଟେକ୍‌ କୃଷି ଯନ୍ତ୍ରପାତି  କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । କୃଷି କାର୍ଯ୍ୟରେ ଡ୍ରୋନ୍‌ର  ବ୍ୟବହାର ଓ ସେନ୍ସର ପ୍ରଯୁକ୍ତିବିଦ୍ୟାର ଗବେଷଣା ଆରମ୍ଭ  କରାଯାଇଛି । 

ଓୟୁଏଟି ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାରେ  ବିକଶିତ ରଙ୍ଗୀନ କୁକୁଡ଼ା ପ୍ରଜାତି "ଓୟୁଏଟି କଳିଙ୍ଗ  ପଲ୍ଲୀଶ୍ରୀ’ ଗ୍ରାମାଞ୍ଚଳର କୃଷକମାନଙ୍କ ପାଇଁ ଉପଯୋଗୀ  ହୋଇପାରିଛି ତଥା ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର  ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ହୋଇଥିବା ମକା  ଚୋପାଛଡ଼ା ଓ ମଞ୍ଜି ଅମଳ ଯନ୍ତ୍ର, ଯନ୍ତ୍ରଚାଳିତ ଧାନଉଡ଼ା  ଯନ୍ତ୍ର, ଗୋଲମରିଚ ଅମଳ ଯନ୍ତ୍ର, ମହୁଲଫୁଲରୁ କେଶର  ନିଷ୍କାସନ ଯନ୍ତ୍ର, ଚାରିଧାଡ଼ିଆ କ୍ଷୁଦ୍ର ଶସ୍ୟ ଲଗାଇବା ଯନ୍ତ୍ର  ଆଦିର ନକ୍ସାଗୁଡ଼ିକ ଭାରତ ସରକାରଙ୍କ ଦ୍ୱାରା ପ୍ୟାଟେଣ୍ଟ  ପ୍ରାପ୍ତ ହୋଇଛି । ବିଶ୍ୱବିଦ୍ୟାଳୟର ସହଯୋଗ ଓ ପ୍ରଚେଷ୍ଟା  ବଳରେ ଓଡ଼ିଶାକୁ ଢେଙ୍କାନାଳ ‘ମଗ୍‌ଜି', ‘ଶିମିଳିପାଳ  କାଇଚଟଣି' ଓ ‘ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ'କୁ  ଜି.ଆଇ. ଟ୍ୟାଗ୍‌ ମିଳିପାରିଛି । 

ଓୟୁଏଟି ଦ୍ୱାରା ରାଜ୍ୟର ୨୮ଟି ଜିଲ୍ଲାରେ ୩୧ଗୋଟି  କୃଷିବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି, ଯାହାଦ୍ୱାରା  ଗବେଷଣାଲବ୍ଧ ଜ୍ଞାନର ସମ୍ପ୍ରସାରଣ କରାଯାଇଥାଏ ।  ଏହା ମାଧ୍ୟମରେ କୃଷକ, ଗ୍ରାମୀଣ ଯୁବବ ଯୁବତୀମାନଙ୍କୁ  ଦକ୍ଷତାଭିତ୍ତିକ ତାଲିମ, ସରକାରୀ ଓ ବେସରକାରୀ  ସଂସ୍ଥାର ସମ୍ପ୍ରସାରଣ କର୍ମୀମାନଙ୍କ ପାଇଁ ତାଲିମ ପ୍ରଦାନ  କରାଯିବା ସହିତ କୃଷକମାନଙ୍କ ପାଇଁ ତାଲିମ ପ୍ରଦାନ  କରାଯିବା ସହିତ କୃଷକମାନଙ୍କ ପାଇଁ ନୂତନ ଜ୍ଞାନ  କୌଶଳର କ୍ଷେତ୍ର ପରୀକ୍ଷଣ, କ୍ଷେତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ  କରାଯାଉଛି । 

ବିଗତ ବର୍ଷ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ଦ୍ୱାରା  ୪୪,୭୩୫ଜଣ କୃଷକ, ୬୩୪୮ଜଣ ଗ୍ରାମୀଣ ଯୁବକ  ଯୁବତୀ ଓ ୪୧୫୯ଜଣ ସମ୍ପ୍ରସାରଣ କର୍ମୀଙ୍କୁ କୃଷି ଓ  ଆନୁଷଙ୍ଗିକ ବିଷୟରେ ତାଲିମ ପ୍ରଦାନ କରାଯାଇଅଛି ।  ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ବୃହତ ଚାଷୀମେଳା ଆୟୋଜନ  କରାଯାଇ ରାଜ୍ୟର ବିଭିନ୍ନ ଭାଗରୁ ପ୍ରାୟ ୧୫୦୦ ଅଗ୍ରଣୀ  ଚାଷୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା  ଉଚ୍ଚମାନର ଗବେଷଣା ସଂକ୍ରାନ୍ତୀୟ ଜ୍ଞାନକୌଶଳ  ବାବଦରେ ଅବଗତ କରାଯାଇଛି । ସେହିପରି ରାଜ୍ୟର  ବିଭିନ୍ନ କୃଷକ-ଉତ୍ପାଦକ ସଂଘଗୁଡ଼ିକୁ ସାମୂହିକ ଭିତ୍ତିରେ  କାର୍ଯ୍ୟ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏକ  ସମ୍ମିଳନୀର ଆୟୋଜନ କରାଯାଇଛି । 

ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ସରକାରଙ୍କ କୃଷି ଓ  କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ବିଶ୍ୱବ୍ୟାଙ୍କ  ସହାୟତାରେ ‘ରିୱାର୍ଡ' ନାମରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ  ହେଉଅଛି । ଏହା ମାଧ୍ୟମରେ ବୈଜ୍ଞାନିକ ଭିତ୍ତିରେ  ଜଳଛାୟା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଉଚ୍ଚତର ଗବେଷଣାର ସୁଯୋଗ  ସୃଷ୍ଟିପାଇଁ ଚାରିଗୋଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି ।  ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ମତ୍ସ୍ୟବିଜ୍ଞାନ  ମହାବିଦ୍ୟାଳୟରେ ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ ଉପରେ  ଏକ ଇନ୍‌କୁବେସନ ସେଣ୍ଟର ସ୍ଥାପନା ହୋଇ କାର୍ଯ୍ୟକ୍ଷମ  ହୋଇଅଛି । 

ଶିକ୍ଷା ଓ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରିବାପାଇଁ  ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣା  ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସମ୍ପର୍କିତ ଏକ  ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଓଡ଼ିଶାରେ  କାର୍ଯ୍ୟକାରୀ ହେଉଥିବା "ରେଜିଲିଏନ୍ସ’ ପ୍ରକଳ୍ପର ଦ୍ୱିତୀୟ  ପର୍ଯ୍ୟାୟ ପାଇଁ ନରୱେର ଜୈବ ଅର୍ଥନୀତି ଗବେଷଣା  ପ୍ରତିଷ୍ଠାନ (ନିବିଓ) ଏବଂ ଓୟୁଏଟି ମଧ୍ୟରେ ଏକ  ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏତଦ୍ଭିନ୍ନ ଯୁକ୍ତରାଷ୍ଟ୍ର  ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ, ଇମ୍ଫାଲ ସ୍ଥିତ  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ନୂଆଦିଲ୍ଲୀର ଉଦ୍ଭିଦ ଜୈବ  ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜାତୀୟ ପ୍ରତିଷ୍ଠାନ ସହିତ ମଧ୍ୟ  ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । 

ସମୟର ଆବଶ୍ୟକତା ତଥା ଜଳବାୟୁ ଅନୁକୂଳ  କୃଷି ପଦ୍ଧତି ପରି ନୂତନ ଜ୍ଞାନକୌଶଳର ସଦୁପଯୋଗ,  ନୂତନ ଶିକ୍ଷାନୀତିର ପ୍ରୟୋଗ ଓ ବିକଶିତ ଜ୍ଞାନ କୌଶଳର  ଉପଯୁକ୍ତ ବିନିଯୋଗ ଦ୍ୱାରା କୃଷି ବିକାଶର ଧାରା ତ୍ୱରାନ୍ୱିତ  ହେବା ସହିତ କୃଷକର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ  ହୋଇପାରିବ । ଏହି କାର୍ଯ୍ୟକୁ ସଫଳ ରୂପାୟନ କରିବା  ପାଇଁ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବ