ଭୁବନେଶ୍ୱର, ୧୮/୧୨ : ବିଷ୍ଣୁ ପୁରାଣରେ କୁହାଯାଇଛି, କଳିଯୁଗ ଶେଷରେ ବ୍ରହ୍ମାଣ୍ଡ ବିନାଶ ଆଡ଼କୁ ଗତି କରିବ । ଭଗବାନ ବିଷ୍ଣୁ ସୂର୍ଯ୍ୟଙ୍କ କମଳା କିରଣରେ ଅବଶୋଷିତ ହେବ । ଉତ୍ତାପ ଏତେ ହେବ ଯେ, ଭୟଙ୍କର ଦୁର୍ଭିକ୍ଷ ଘଟିବ । ଲୋକମାନେ ବର୍ଷା ପାଇଁ ଇଚ୍ଛା କରିବେ କିନ୍ତୁ ବର୍ଷା ହେବ ନାହିଁ । ବର୍ଷା ଅଭାବରୁ କୃଷି ନଷ୍ଟ ହୋଇଯିବ । ଜୀବନ ଧାରଣ ପାଇଁ ଅତି ଆବଶ୍ୟକ ଅମ୍ଳଜାନ ମିଳିବ ନାହିଁ । ଏହିପରି ଏକ ଧାରଣାକୁ ନେଇ ଆର୍‌ପି ପ୍ରଡକ୍ସନ୍ସ ବ୍ୟାନରରେ ପ୍ରଥମ ଥର ତିଆରି ହୋଇଛି ଓଡ଼ିଆ ଫିଲ୍ମ ‘ଅକ୍ସିଜେନ୍‌’ । 

କାହାଣୀ ଏମିତି ଜଣେ ଫରେଷ୍ଟ ଅଫିସର ଜଙ୍ଗଲର ରକ୍ଷଣାବେକ୍ଷଣ କରନ୍ତି । ତାଙ୍କ ଝିଅ ଜଣେ ଆଇଟି ଇଞ୍ଜିନିୟର ଓ ପରିବେଶବିତ୍‌ । କିଛି ଖଳ ଲୋକଙ୍କ କୁଚକ୍ରାନ୍ତ ଯୋଗୁଁ ଫରେଷ୍ଟ ଅଫିସରଙ୍କର ହଠାତ୍‌ ମୃତ୍ୟୁ ହୁଏ । ସମୟକ୍ରମେ ତାଙ୍କ ଝିଅ ତା’ର ଫାର୍ମାସିଷ୍ଟ ପ୍ରେମୀକୁ ନେଇ ପ୍ରକୃତିକୁ ସଜାଡ଼ିବାକୁ ଚେଷ୍ଟା କରେ । ‘ଅକ୍ସିଜେନ୍‌’ ସମ୍ପୂର୍ଣ୍ଣ ମନୋରଞ୍ଜନଭିତ୍ତିକ ନୂଆ କଣ୍ଟେଣ୍ଟର ଫିଲ୍ମଟିଏ । ସିନେମାଟି ଆସନ୍ତା ୨୦ ତାରିଖରେ ୧୫ରୁ ଅଧିକ ହଲ୍‌ରେ ମୁକ୍ତିଲାଭ କରୁଛି । ମୁଖ୍ୟ ଭୂମିକାରେ ସମ୍ବିତ, ତମନ୍ନା ଏବଂ ବବି ମିଶ୍ର ଅଭିନୟ କରିଛନ୍ତି । ତାଙ୍କ ସହିତ ବାବୁ ପ୍ରଧାନ, ଡିସ୍କୋ ରେଡ୍ଡୀ, ତାନିଆ, ଥିନ୍‌, ଉମାକାନ୍ତ ମୁଦୁଲି, ନିଖିଳେଶ ଘୋଷ, କ୍ରିଷ୍ଣା, ଶ୍ରାବଣୀ, ରଶ୍ମି ପାଢ଼ୀ, ସୀମା, କମଲ, ପୃଥ୍ୱୀରାଜ, ପ୍ରସନ୍ନ ସାହୁ ଓ ଜଗନ୍ନାଥ ପ୍ରମୁଖ ବିଭିନ୍ନ ଚରିତ୍ରରେ ପରଦାରେ ଦେଖାଦେବେ । 

କାହାଣୀର ପ୍ରତିଟି ଚରିତ୍ରଙ୍କୁ ଜୀବନ୍ତ କରିବାର ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ । କଳାକାରମାନଙ୍କ ଦମ୍‌ଦାର୍‌ ଅଭିନୟ ସାଙ୍ଗକୁ ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟୀର ହୋଇଛି । ଗୀତସବୁ ପ୍ରତି ଓଡ଼ିଆ ଲୋକଙ୍କ ଘରେ ବାଜିବ ବୋଲି ପ୍ରଯୋଜକ ଶିବ ପ୍ରସାଦ ପଣ୍ଡା ଓ ସୁକେଶି ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ ଡ. ରଶ୍ମିରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର୍‌ । ଗୀତ ଲେଖିଛନ୍ତି ଡା. ନିର୍ମଳ ନାୟକ, ତପୁ ନାୟକ ଓ ସତ୍ୟରଞ୍ଜନ ବଳ ଏବଂ ଗାଇଛନ୍ତି ହ୍ୟୁମାନ୍‌ ସାଗର, ତାରିକ୍‌ ଅଜିଜ୍‌, ଅଭିଜିତ୍‌ ମଜୁମ୍‌ଦାର୍‌, ସତ୍ୟଜିତ୍‌ ପ୍ରଧାନ, ସ୍ମୃତି, ନେହା ନିହାରିକା ଓ ସୋନମ୍‌ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ ବୋଲି ପ୍ରଚାର, ପ୍ରସାର ଦାୟିତ୍ୱରେ ଥିବା ଅମରେଶ କହିଛନ୍ତି ।