ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁଲତାନ ଜିଲ୍ଲାର ଜଲାଲପୁର ପିରୱାଲାରେ ଏକ ଡଙ୍ଗା ବୁଡ଼ିଯିବାରୁ ପାଞ୍ଚ ଜଣ ବନ୍ୟା ପୀଡିତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଚାରି ଜଣ ଶିଶୁ ଅଛନ୍ତି। ଡଙ୍ଗାରେ ପ୍ରାୟ ୩୦ ଜଣ ଥିଲେ। ପ୍ରବଳ ସ୍ରୋତ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଅଧିକାରୀ ମାନେ କହିଛନ୍ତି ଯେ, ସମସ୍ତ ମୃତକଙ୍କ ପାଖରେ ଲାଇଫ୍ ଜ୍ୟାକେଟ୍ ନଥିଲା । ବାକି ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ପଞ୍ଜାବ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମହାନିର୍ଦ୍ଦେଶକ ଇରଫାନ୍ ଅଲି କଥିଆ କହିଛନ୍ତି ଯେ, ଅଗଷ୍ଟ ୨୩ ପର ଠାରୁ ପଞ୍ଜାବରେ ୨୫ ହଜାରରୁ ଅଧିକ ଡଙ୍ଗା ପରିଚାଳନା ସଫଳତାର ସହ କରାଯାଇଛି। ଡଙ୍ଗା ବୁଡ଼ିବାର ଏହା ପ୍ରଥମ ଘଟଣା। ସେ କହିଛନ୍ତି ଯେ,ଡଙ୍ଗାରେ ଥିବା ସମସ୍ତ ବନ୍ୟା ପୀଡିତଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ କାହିଁକି ଉପଲବ୍ଧ ନଥିଲା ସେ ବିଷୟରେ ତଦନ୍ତ ଆରମ୍ଭ ହୋଇଛି।

ସୂଚନାଥାଉକି, ନିରନ୍ତର ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ପଞ୍ଜାବ ପ୍ରଦେଶର ପରିସ୍ଥିତି ଆହୁରି ଖରାପ ହୋଇଛି। କଥିଆ କହିଛନ୍ତି ଯେ, ଅଗଷ୍ଟ ୨୩ ପରଠାରୁ କେବଳ ପଞ୍ଜାବରେ ୫୬ ଜଣଙ୍କର ମୃତ୍ୟୁ ହୋଇଛି। ସେହି ସମୟରେ ୪.୧ ମିଲିଅନ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଦେଶର ପ୍ରାୟ ୧୩ କୋଟି ଜନସଂଖ୍ୟାର ଏକ ବଡ଼ ଅଂଶ ନଦୀ ଏବଂ ଉପନଦୀ ଗୁଡ଼ିକର ପ୍ରବାହିତ ଯୋଗୁଁ ପ୍ରଭାବିତ ହୋଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ, ଜୁନ୍ ଶେଷ ପରଠାରୁ ସମଗ୍ର ପାକିସ୍ତାନରେ ୯୦୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୪୪ ଜଣ ଆହତ ହୋଇଛନ୍ତି।