ଇସଲାମାବାଦ: ଗାଜା ଯୁଦ୍ଧ ବନ୍ଦ ହେବା ପରେ ସେଠାକାର ଲୋକମାନେ ଉତ୍ସବ ପାଳନ କରୁଛନ୍ତି। ପ୍ରାୟ ଦୁଇ ବର୍ଷ ପରେ ଗାଜାର ଲୋକମାନେ ବୋମାମାଡ଼ରୁ ଆଶ୍ୱସ୍ତି ପାଇଛନ୍ତି । ଇସ୍ରାଏଲ ମଧ୍ୟ ଯୁଦ୍ଧର ସମାପ୍ତି ଉତ୍ସବ ପାଳନ କରୁଛି। କିନ୍ତୁ ଏହି ଯୁଦ୍ଧବିରାମରେ ଖୁସି ନଥିବା କିଛି ପାକିସ୍ତାନୀ ଏହା ବିରୋଧରେ ପ୍ରତିବାଦ କରୁଛନ୍ତି ଏବଂ ନିଜ ଦେଶରେ ଉପଦ୍ରବ କରିଛନ୍ତି । ପାକିସ୍ତାନର ଉଗ୍ରବାଦୀ ସଂଗଠନ ତେହରିକ୍-ଏ-ଲାବୈକ୍ (TLP), ରକ୍ତପାତ ଆରମ୍ଭ କରିଛି । ପାକିସ୍ତାନର ରାସ୍ତାରେ ଭୟଙ୍କର ହିଂସା କରୁଛି। ଲାହୋରରେ ଶହ ଶହ ଯାନବାହନ ପୋଡ଼ି ଦିଆଯାଇଛି ଏବଂ ବ୍ୟାପକ ହିଂସା ଦେଖାଦେଇଛି।
ତେହରିକ୍-ଏ-ଲାବୈକ୍ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତିର ପ୍ରତିବାଦ କରୁଛି। ଲାହୋରରେ ଇସ୍ରାଏଲ ବିରୋଧୀ ପ୍ରତିବାଦ ସମୟରେ, TLP କର୍ମୀମାନେ ରାସ୍ତା ମଝିରେ ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ଇମ୍ରାନ ଖାନଙ୍କ ଶାସନ ସମୟରେ ଏହାର କର୍ମୀମାନେ ଫ୍ରାନ୍ସ ବିରୁଦ୍ଧରେ ପ୍ରତିବାଦ କରିବା ସମୟରେ ଅନେକ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଏଥର ମଧ୍ୟ ସେମାନେ ସମାନ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
ସେପଟେ ପୁଲିସର ଗୁଳିମାଡ଼ରେ ଟିଏଲପିର ୧୦ ସଦସ୍ୟଙ୍କ ଜୀବନ ଯାଇଛି । ଏପରିକି ଏହାର ମୁଖ୍ୟ ସାଦ ରିଜଭିର ଦେହରେ ଗୁଳି ବାଜିଛି । ଏନଡିଟିଭି ଅନୁଯାୟୀ, ହିଂସାତ୍ମକ ସଂଘର୍ଷରେ ଟିଏଲପି ମୁଖ୍ୟ ସାଦ ରିଜଭି ଗୁରୁତର ଆହତ ହୋଇଛି । ପୁଲିସ ଭିଡ଼ ଉପରେ ଗୁଳି ଚଳାଇବା ସମୟରେ ରିଜଭି ଦେହରେ ଅନେକ ଗୁଳି ବାଜିଛି ଏବଂ ତାର ଅବସ୍ଥା ଗୁରୁତର ରହିଛି। ଏହାର କିଛି ସମୟ ପୂର୍ବରୁ, ଟିଏଲପି ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ରିଜଭି ପୁଲିସକୁ ଗୁଳିମାନ ନକରିବାକୁ ନିବେଦନ କରୁଥିବାର ଦେଖାଯାଇଛି। ଭିଡିଓରେ ସେ କହିଛି, ‘ମୁଁ ଆଲୋଚନା ପାଇଁ ପ୍ରସ୍ତୁତ।’ ଏହି ସମୟରେ ତା ପଛରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣାଯାଉଛି।
ପୁଲିସର ସୂଚନା ଅନୁଯାୟୀ, ସୋମବାର ହିଂସା ଆରମ୍ଭ ହୋଇଥିଲା । ପ୍ରଦର୍ଶନକାରୀମାନେ ରାସ୍ତା ଅବରୋଧ କରିବା ପାଇଁ ସୁରକ୍ଷା ବାହିନୀ ରଖିଥିବା କଣ୍ଟେନରଗୁଡ଼ିକୁ ହଟାଇବାକୁ ଚେଷ୍ଟା କରିଥିଲେ। ଲାହୋର ଏବଂ ମୁରିଦକେ ମଧ୍ୟରେ ଅନେକ ସ୍ଥାନରେ ପୁଲିସ ଏବଂ ଟିଏଲପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଦର୍ଶନକାରୀମାନେ ଇସଲାମାବାଦରେ ଆମେରିକୀୟ ଦୂତାବାସ ବାହାରେ ପାଲେଷ୍ଟାଇନ ସମର୍ଥକ ରାଲି କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ଆଗକୁ ବଢ଼ିବାରୁ ବାରଣ କରିବାକୁ ଚେଷ୍ଟା କରିଥିଲା । ହିଂସା ଘଟିବା ପରେ ଶହ ଶହ ଲୋକଙ୍କୁ ଗିରଫ କରାଯାଇଛି।