ନୂଆଦିଲ୍ଲୀ ୧୬/୧୧: ୨୦୫୦ ମସିହା ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଦୁଇଗୁଣ ହେବ । କିନ୍ତୁ ପୁନଃନବୀକୃତ ପ୍ଲାଷ୍ଟିକ୍‌ ବ୍ୟବହାର ଓ ବର୍ଜ୍ୟ ପରିଚାଳନାରେ ନିବେଶ ଭଳି ନୀତି ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ୯୦ ପ୍ରତିଶତରୁ ଅଧିକ ହ୍ରାସ  କରିପାରିବ । ସେତିକି ନୁହେଁ, ଏଥିଯୋଗୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ମଧ୍ୟ ଏକ-ତୃତୀୟାଂଶ ହ୍ରାସ କରିପାରିବ । ଏକ ସଦ୍ୟ  ଅଧ୍ୟୟନ ଏହା ସ୍ପଷ୍ଟ କରିଛି । ସାଇନ୍ସ ପତ୍ରିକାରେ ଅଧ୍ୟୟନର ତଥ୍ୟ  ପ୍ରକାଶ ପାଇଛି । ପ୍ଲାଷ୍ଟିକ୍‌ ପ୍ରଦୂଷଣ ଉପରେ ବିଶ୍ୱର ପ୍ରଥମ ବୈଧ  ସନ୍ଧି ‘ଜାତିସଂଘ ପ୍ଲାଷ୍ଟିକ୍‌ ସନ୍ଧି’ର ଚୁକ୍ତି ପୂର୍ବରୁ ଅଧ୍ୟୟନଟି ସାମ୍ନାକୁ ଆସିଛି । 

ଚଳିତ ମାସ ୨୫ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କୋରିଆର  ବୁସାନରେ ହେବାକୁ ଯାଉଥିବା ଚୂଡ଼ାନ୍ତ ବୁଝାମଣାରେ ୧୯୦ରୁ  ଅଧିକ ଦେଶର ସଦସ୍ୟ ଯୋଗ ଦେବେ । ଏହା ପୂର୍ବର ବୈଠକ  ଗତ ଏପ୍ରିଲରେ କାନାଡାର ଓଟାୱାଠାରେ ଅନୁଷ୍ଠିତ ହୋଇଥିଲା ।  ଅଧ୍ୟୟନରେ ସାମିଲ ଆମେରିକାର କାଲିଫର୍ଣ୍ଣିଆ ସାଣ୍ଟା ବାରବାରା  ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ, ଅଧ୍ୟୟନର ତଥ୍ୟ  ପ୍ଲାଷ୍ଟିକ୍‌ ସଙ୍କଟର ମୁକାବିଲା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲୁପ୍ରିଣ୍ଟ୍‌ ପ୍ରଦାନ  କରିବ । ଅଧ୍ୟୟନକର୍ତ୍ତା ଜାଣିବାକୁ ପାଇଛନ୍ତି, କୁପରିଚାଳିତ ପ୍ଲାଷ୍ଟିକ୍‌  ବର୍ଜ୍ୟ ହ୍ରାସ ପାଇଁ ୪ଟି ନୀତି ପର୍ଯ୍ୟାପ୍ତ । ବ୍ୟବହାର ପରେ ୪୦  ପ୍ରତିଶତ ପୁନଃନବୀକୃତ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ନୂଆ ଉତ୍ପାଦଗୁଡ଼ିକର  ନିର୍ମାଣକୁ ବାଧ୍ୟତାମୂଳକ କରିବା, ନୂଆ ପ୍ଲାଷ୍ଟିକ୍‌ ଉତ୍ପାଦକୁ ୨୦୨୦  ମସିହା ସ୍ତରରେ ସୀମିତ ରଖିବା, ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ  ନିବେଶକୁ ଗୁରୁତ୍ୱ ଦେବା ଏବଂ ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଉପରେ ଏକ  ଶୁଳ୍କ ଲାଗୁ କରିବା । 

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ପ୍ଲାଷ୍ଟିକ୍‌ ବର୍ଜ୍ୟ  ପରିଚାଳନାରେ ବର୍ଜ୍ୟ ଜମା ହେଉଥିବା ସ୍ଥଳୀ ଓ ବର୍ଜ୍ୟ ସଂଗ୍ରହ ସେବା  ଅନ୍ତର୍ନିହିତ । ଅଧ୍ୟୟନରୁ ଆହୁରି ଜଣାପଡ଼ିଛି, ଯଦି ବର୍ତ୍ତମାନର ଧାରା  ଜାରି ରହେ³ ପ୍ଲାଷ୍ଟିକ୍‌ ଜନିତ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ୨୦୨୦  ମସିହା ସ୍ତରଠୁ ୩୭ ପ୍ରତିଶତ ବୃଦ୍ଧି ହେବ । ୨୦୫୦ ମସିହାରେ  ଅଙ୍ଗାରକାମ୍ଳ ୩.୩୫ ଗିଗାଟନ୍‌ ହୋଇଯିବ । ଗବେଷକମାନେ  କହିଛନ୍ତି, ହସ୍ତକ୍ଷେପ ବିନା ୨୦୫୦ ମସିହା ସୁଦ୍ଧା ବାର୍ଷିକ କୁପରିଚାଳିତ  ପ୍ଲାଷ୍ଟିକ୍‌ ବର୍ଜ୍ୟ ପ୍ରାୟ ଦୁଇଗୁଣ ଅର୍ଥାତ୍‌ ୧୨୧ ମେଟ୍ରିକ୍‌ ଟନ୍‌ ହେବ ।  ଏହାର ପୂର୍ବାନୁମାନ ଲାଗି ସେମାନେ ମେସିନ୍‌ ଲର୍ନିଂ ପଦ୍ଧତି ଉପଯୋଗ  କରିଛନ୍ତି । ପ୍ଳାଷ୍ଟିକ୍‌ ଜନିତ ବାର୍ଷିକ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ସମାନ  ଅବଧିରେ ୩୭ ପ୍ରତିଶତ ବୃଦ୍ଧି ହୋଇ ଅଙ୍ଗାରକାମ୍ଳ ମାତ୍ରା ୩.୩୫  ଗିଗାଟନ୍‌ ହେବ ବୋଲି ଅନୁମାନ କରାଯାଇଛି । 

ଜାତିସଂଘ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସନ୍ଧି ଏହି ପରିଣାମକୁ ପୁନଃ ଆକାର  ଦେବାର ଏକ ନିଆରା ସୁଯୋଗ ଆଣିଛି ବୋଲି ଗବେଷକମାନେ  କହିଛନ୍ତି । ଗତ କିଛି ଦଶନ୍ଧି ମଧ୍ୟରେ ପ୍ଲାଷ୍ଟିକ୍‌ ଉତ୍ପାଦନରେ ବ୍ୟାପକ  ବୃଦ୍ଧି ହୋଇଛି । ଏହାର ବର୍ଜ୍ୟ ସୂକ୍ଷ୍ମ ଓ ଅତି ସୂକ୍ଷ୍ମ କଣିକାରେ  ବିଭାଜିତ ହୋଇ ପରିବେଶକୁ କ୍ଷତି ପହଞ୍ଚାଉଛି । ସ୍ୱାସ୍ଥ୍ୟ ଉପରେ ମଧ୍ୟ  ଏହାର ଭୟଙ୍କର ପ୍ରଭାବ ପଡୁଛି । ଏହା ଯୋଗୁ କର୍କଟ, ହୃଦ୍‌ରୋଗ  ଓ ପ୍ରଜନନ ସମ୍ପର୍କିତ ଗମ୍ଭୀର ସମସ୍ୟା ସାମ୍ନାକୁ ଆସୁଛି ।

 କଞ୍ଚାମାଲରେ ପ୍ରସ୍ତୁତିଠୁ ଆରମ୍ଭ କରି ବ୍ୟବହାର ପରେ ଫିଙ୍ଗିବା  ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ର ଜୀବନ ଚକ୍ର ଜଳବାୟୁ ପରିବର୍ତ୍ତନକୁ ତୀବ୍ର  କରୁଛି । କାରଣ ଏହାର ପ୍ରତ୍ୟେକ ପ୍ରକ୍ରିୟାରେ ତେଲ, ଗ୍ୟାସ୍‌ ଓ  କୋଇଲା ନିର୍ଗମନ ହେଉଛି, ଯାହା ପରିବେଶ ପାଇଁ ହାନିକାରକ ।  ୨୦୨୨, ମାର୍ଚ୍ଚରେ ଜାତିସଂଘରେ ଏକ ନିୟମ ପାରିତ ହୋଇଥିଲା,  ଯାହା ପ୍ଲାଷ୍ଟିକ୍‌ ପ୍ରଦୂଷଣ ହ୍ରାସ ଓ ଏ ସମ୍ପର୍କିତ ବିଷୟଗୁଡ଼ିକର  ସମାଧାନ ଲାଗି ବୈଧ ସନ୍ଧିକୁ ବାଧ୍ୟତାମୂଳକ କରିଥିଲା ।