ନୂଆଦିଲ୍ଲୀ, ୧୭।୭: ବର୍ଷ ୨୦୨୦ରେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀର ଭୟ । ଏବେ ପୂର୍ବଭଳି ନାହିଁ ସତ, କିନ୍ତୁ ଏହି ମାରାତ୍ମକ ଭୂତାଣୁର ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ଭୂତାଣୁର କ୍ରମାଗତ ମ୍ୟୁଟେସନ୍ କାରଣରୁ ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଗତ କିଛି ଦିନ ହେବ ଚୀନରେ ସଂକ୍ରମଣ ବଢ଼ିବା ସହ ଭାରତର ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍ ରୋଗୀ ଚିହ୍ନଟ ହେବା ପରେ "କରୋନା କ’ଣ ପୁଣି ଫେରୁଛି ?" ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତରେ ସଂକ୍ରମଣ ବହୁତ କମ୍ ଏବଂ ଲକ୍ଷଣ ମଧ୍ୟ ଅତି ସାଧାରଣ ରହିଛି । ତଥାପି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ଚୀନରେ କିଛି ଦିନ ହେବ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି । 'ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍' ଅନୁଯାୟୀ, ଗତ ଜୁନ୍ ମାସରେ ଦେଶରେ ୭୯,୦୦୦ କରୋନା ମାମଲା ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୩୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ଚୀନ୍ ସ୍ୱାସ୍ଥ୍ୟ ବିଭାଗର କହିବା କଥା ଯେ, ଦେଶରେ କୋଭିଡ୍ ପ୍ରକୋପ ବର୍ତ୍ତମାନ ନିମ୍ନ ସ୍ତରରେ ରହିଛି ଏବଂ ଏପର୍ଯ୍ୟନ୍ତ କୌଣସି ନୂଆ ସାଂଘାତିକ ଭାରିଆଣ୍ଟ ମିଳିନାହିଁ ।

ଏହା ବି ପଢ଼ନ୍ତୁ... 

ଭାରତରେ କୋଭିଡ୍ ସ୍ଥିତି: କେଉଁ ରାଜ୍ୟରେ କେତେ ପ୍ରଭାବ ?

ଚୀନ୍ ତୁଳନାରେ ଭାରତରେ ସଂକ୍ରମଣର ଗତି ଅତି ଧୀମା ଥିଲେ ମଧ୍ୟ କରୋନା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ । ଗତ କିଛି ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୨ଟି ସକ୍ରିୟ ମାମଲା ସାମ୍ନାକୁ ଆସିଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇ ଏବଂ ଉତ୍ତରପ୍ରଦେଶରୁ ମଧ୍ୟ କୋଭିଡ୍‌ର ନୂଆ ମାମଲା ଚିହ୍ନଟ ହେବା ପରେ ପ୍ରଶାସନ ସଜାଗ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଭିଡ୍-୧୯ କୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କେବଳ ସାଧାରଣ ସତର୍କତା ଅବଲମ୍ବନ କରି ଆମେ ଏଥିରୁ ରକ୍ଷା ପାଇପାରିବା ।

  • ନିୟମିତ ସାବୁନରେ ହାତ ଧୁଅନ୍ତୁ ।
  • କାଶିବା କିମ୍ବା ଛିଙ୍କିବା ସମୟରେ ପାଟି ଓ ନାକକୁ ରୁମାଲ୍ ବା ଟିସୁରେ ଘୋଡ଼ାଇ ରଖନ୍ତୁ ।
  • ଥଣ୍ଡା, ଜ୍ୱର, କାଶ, ଗଳା ବଥା କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେଲେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।