ନୂଆଦିଲ୍ଲୀ: ଭୂକମ୍ପର ତୀବ୍ର ଝଟକାରେ ବେହାଲ ହୋଇପଡ଼ିଛି ମ୍ୟାଁମାର । ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଭଗ୍ନାବଶେଷ ତଳୁ ଜୀବନ ଖୋଜା ଜାରି ରହିଛି । ବହୁ କ୍ଷୟକ୍ଷତି ସହିଛି ମ୍ୟାଁମାର । ଏଭଳି ସ୍ଥିତିରେ ଭାରତ ସହାୟତାର ହାତ ବଢ଼ାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମ୍ୟାଁମାର ସେନା ମୁଖ୍ୟଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋଦୀ ସୂଚନା ଦେଇଛନ୍ତି । ମ୍ୟାଁମାରର ଜେନେରାଲ୍‌ ମିନ ଅଙ୍ଗ ହଲିଙ୍ଗଙ୍କୁ ଆଶ୍ବାସନା ଦେଇଛନ୍ତି ମୋଦୀ । ମ୍ୟାଁମାର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇ ମୋଦୀ କହିଛନ୍ତି, ଭାରତ ଏକ ପଡ଼ୋଶୀ ଏବଂ ବନ୍ଧୁ ରାଷ୍ଟ୍ର ଭାବରେ ମ୍ୟାଁମାରକୁ ସବୁ ପ୍ରକାର ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କରିଛନ୍ତି, ‘ମୁଁ ମ୍ୟାଁମାରର ଜେନେରାଲଙ୍କ ସହ ଆଲୋଚନା କରିଛି । ଭୂକମ୍ପ ପୀଡ଼ିତଙ୍କ ଲୋକଙ୍କ ପାଇଁ ସମବେଦନା ବ୍ୟକ୍ତ କରିଛି । ମ୍ୟାଁମାରର ଏଭଳି କଠିନ ସମୟରେ ଭାରତ ଏକ ବନ୍ଧୁ ଏବଂ ପଡ଼ୋଶୀ ରାଷ୍ଟ୍ର ଭାବରେ ସବୁ ପ୍ରକାର ସହାୟତା କରିବ । ଅପରେସନ ବ୍ରହ୍ମା ଜରିଆରେ ସେଠାକୁ ମାନବୀୟ ସହାୟତା, ରିଲିଫ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ପଠାଯାଉଛି ।’ 




ସେପଟେ ମ୍ୟାଁମାରରେ ଶକ୍ତିଶାଳୀ ଭୂକମ୍ପ ପରେ ଭାରତ ରିଲିଫ୍ ସାମଗ୍ରୀର ପ୍ରଥମ କିସ୍ତି ପଠାଇଛି। ଭାରତ ସହାୟତା ପାଇଁ ମ୍ୟାଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି | ଭାରତୀୟ ବାୟୁସେନାର ହିଣ୍ଡନ ଷ୍ଟେସନରୁ ଏକ ଭାରତୀୟ ବାୟୁସେନା (IAF) C-130J ବିମାନରେ ମ୍ୟାଁମାରକୁ ରିଲିଫ ସାମଗ୍ରୀ ପଠାଯାଇଛି । ରିଲିଫ ପ୍ୟାକେଜରେ ତମ୍ବୁ, ଶୋଇବା ବ୍ୟାଗ, କମ୍ବଳ, ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧନକାରୀ, ସ୍ବଚ୍ଛତା କିଟ୍, ସୋଲାର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ପାରାସିଟାମଲ, ଆଣ୍ଟିବାୟୋଟିକ୍, ସିରିଞ୍ଜ, ଗ୍ଲୋଭସ୍ ଏବଂ ବ୍ୟାଣ୍ଡେଜ୍ ରହିଛି | 

ସୂଚନାଯୋଗ୍ୟ, ଶୁକ୍ରବାର ମ୍ୟାଁମାର ଏବଂ ଏହାର ପଡୋଶୀ ଦେଶ ଥାଇଲାଣ୍ଡରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ଉଚ୍ଚ ଅଟ୍ଟାଳିକା, ବ୍ରିଜ୍ ଏବଂ ଡ୍ୟାମ୍ ଧ୍ବଂସ ହୋଇଯାଇଛି । ଏହି ଭୂକମ୍ପ ଯୋଗୁଁ ମ୍ୟାଁମାରରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ନିର୍ମାଣାଧୀନ ବହୁ ମହଲା କୋଠା ଭୁଶୁଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭  ରେକର୍ଡ କରାଯାଇଥିଲା ଏବଂ ଏହାର କେନ୍ଦ୍ର ମ୍ୟାଁମାରର ଦ୍ବିତୀୟ ବୃହତ୍ତମ ସହର ମାଣ୍ଡେଲା ନିକଟରେ ଥିଲା । ଏହା ପରେ ମଧ୍ୟ ଅନେକ ଭୂକମ୍ପରେ ଥରି ଉଠିଥିଲା ମ୍ୟାଁମାର ।