ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ସମୟରେ ପଶ୍ଚିମ ଏସିଆରେ ଜାରି ବିବାଦକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ସୁତ୍ର ଅନୁସାରେ, କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ଓ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ଏକାଠି ମିଶି କାମ କରନ୍ତୁ,ଯାହାଫଳରେ ପଶ୍ଚିମ ଏସିଆରେ ଜାରି ସଂଘର୍ଷର ପ୍ରଭାବ ଦେଶର ନାଗରିକଙ୍କ ଉପରେ କମ୍ ପଡିବ। ସେ ସବୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟକୁ କୌଣସି ପ୍ରକାର ସମ୍ଭାବିତ ଚ୍ୟାଲେଞ୍ଜ ପାଇଁ ସମ୍ପୂର୍ଣ୍ଣ ଭାବରେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ଜଳ ଜୀବନ ମିଶନକୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବଢାଇବାର ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ୟାବିନେଟ୍ ବୈଠକ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି,ସରକାର ଜଳଜୀବନ ମିଶନ୍ର ମୋଟ ବଜେଟ୍କୁ ବଢାଇ ୮.୭ ଲକ୍ଷ କୋଟି ଟଙ୍କା କରିବାର ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାର ପୂର୍ବରୁ ୨୦୧୯ ରୁ ୨୦୨୪ ର ସମୟ ସୀମା ପାଇଁ ମଞ୍ଜୁରୀ ଦିଆଯାଇଛି। ଏପର୍ଯ୍ୟନ୍ତ ଏହି ଯୋଜନା ଅନୁସାରେ, ଦେଶର ପ୍ରାୟ ୧୨.୬ କୋଟି ଗ୍ରାମବାସୀଙ୍କ ଘରକୁ ନଳ ଜରିଆରେ ପାଣିର କନେକ୍ସନ ଉପଲବ୍ଧ କରାଯାଇ ସାରିଛି।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଜଳ ଜୀବନ ମିଶନ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି, ଯାହା କେବଳ ଭିତ୍ତିଭୂମି ନିର୍ମାଣ ପରିବର୍ତ୍ତେ ଉନ୍ନତ ସେବା ଯୋଗାଣ ଉପରେ ଧ୍ୟାନ ଦେଇଛି। ଏହି ପଦକ୍ଷେପ ଅଧୀନରେ, ସଂରଞ୍ଚନାତ୍ମକ ସୁଧାର ସୁନିଶ୍ଚିତ କରିବା ପାଇଁ ତିନି ମାସ ମଧ୍ୟରେ ରାଜ୍ୟଗୁଡ଼ିକ ସହିତ ପୃଥକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ।
ଏହା ସହିତ, କେନ୍ଦ୍ର କ୍ୟାବିନେଟ୍ ମାଦୁରାଇ ବିମାନବନ୍ଦରକୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ମାଦୁରାଇ ପୂର୍ବରୁ ଦୁବାଇ, ଆବୁଧାବି ଏବଂ କଲମ୍ବୋକୁ ଅନ୍ତର୍ଜାତୀୟ ବିମାନ ସେବା ପରିଚାଳନା କରୁଛି ଏବଂ ଅନେକ ଏୟାରଲାଇନ୍ସ ଅନ୍ତର୍ଜାତୀୟ ସେବା ବିସ୍ତାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସରକାରଙ୍କ ଅନୁଯାୟୀ, ମାଦୁରାଇ ବିମାନବନ୍ଦରରେ କଷ୍ଟମ୍ସ ନୋଟିଫିକେସନ୍, ଇମିଗ୍ରେସନ ଚେକ୍ ଫାସିଲିଟି ଏବଂ ହେଲଥ୍ ଆଣ୍ଡ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ସମେତ ଅନ୍ତର୍ଜାତୀୟ ବିମାନ ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଅଛି। ଏହା ସହିତ, କେନ୍ଦ୍ର କ୍ୟାବିନେଟ୍ ଇନସଲଭେନ୍ସି ଏବଂ କମ୍ପାନୀ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦେଇଛି। ସୂତ୍ର ଅନୁଯାୟୀ କ୍ୟାବିନେଟ୍ ଇନସଲଭେନ୍ସି ଏବଂ ଦେବାଳିଆ କୋଡ୍ (IBC) ୨୦୧୬ ଏବଂ କମ୍ପାନୀ ଆଇନ ୨୦୧୩ ରେ ଅନେକ ପରିବର୍ତ୍ତନକୁ ଅନୁମୋଦନ କରିଛି। ତେବେ ଏହି ସଂଶୋଧନର ବିସ୍ତୃତ ବିବରଣୀ ସାମନାକୁ ଆସିନାହିଁ।
ଆହୁରି ପଢନ୍ତୁ : ଓମ୍ ବିର୍ଲାଙ୍କୁ ପଦରୁ ହଟାଇବା ନେଇ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ, ସପକ୍ଷରେ ୫୦ ସାଂସଦ ଦେଲେ ଭୋଟ୍