ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଭାରତୀୟ ସଂସ୍କୃତିରେ ଅକ୍ଷୟ ତୃତୀୟା

Published By : Prameya | April 30, 2025 1:59 PM

ଏହି ଦିନ ସତ୍ୟଯୁଗର ଆରମ୍ଭ ହୋଇଥିଲା । ଏଦିନ ଅନାଧ୍ୟୟନ ଦିବସ । ଅର୍ଥାତ୍‌ କେବଳ ବିଦ୍ୟାଦାନ କରାଯାଏ, ମାତ୍ର ଅଧ୍ୟୟନ କରାଯାଏନାହିଁ । ପ୍ରଥମ ଜୈନଗୁରୁ ବୃଷଭ ଦେବ ଆଖୁରସ ପାନ କରି ଚାରିଶତ ଦିନର ଅନଶନ ଭଙ୍ଗ କରିଥିଲେ । ଏବେ ଶ୍ୱେତାମ୍ବର ଜୈନମାନେ ଦିନେ ଛାଡ଼ି ଦିନେ ନିୟମରେ ଚାରିଶତ ଦିନ ଏବଂ ଦିଗମ୍ବର ଜୈନମାନେ ଛଅ ମାସ ଅନଶନ କରି ଶରୀର ଶୋଧନ ପର ତପସ୍ୟା କରିଥାନ୍ତି ।

ରବିଙ୍କର ବିଷୁବବିନ୍ଦୁ ସଂକ୍ରମଣର ଠିକ୍‌ ପରେ ପରେ ଦେବଗୁରୁ ବୃହସ୍ପତିଙ୍କର ବିଶାଖା ନକ୍ଷତ୍ରରେ ହେଉଥିବା ଶୁକ୍ଳପକ୍ଷ ପୂର୍ଣ୍ଣମୀକୁ ବୈଶାଖ ପୂର୍ଣ୍ଣମୀ ଏବଂ ଶେଷ ହେଉଥିବା ପୂର୍ଣ୍ଣମାନ୍ତ ମାସକୁ ବୈଶାଖ ମାସ କୁହାଯାଏ । ଠିକ୍‌ ସେହି ନିୟମରେ ରବିଙ୍କର ବିଷୁବବିନ୍ଦୁ ସଂକ୍ରମଣର ଠିକ୍‌ ପରେ ଆସୁଥିବା ଶୁକ୍ଳ ତୃତୀୟାକୁ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟତୃତୀୟା କୁହାଯାଏ । ଅନ୍ୟତ୍ର ଅକ୍ଷ ତେଜ ମଧ୍ୟ କୁହାଯାଏ । ନ-କ୍ଷୟ- ଅକ୍ଷୟ । ଏହି ଅକ୍ଷୟତୃତୀୟା ଦିନ ପ୍ରାରମ୍ଭ ହେଉଥିବା ସମସ୍ତ କର୍ମର ସତ୍ତ୍ୱ, ରଜ, ତମ ଭେଦରେ ଅକ୍ଷୟ ପୁଣ୍ୟ, ଅକ୍ଷୟ ସିଦ୍ଧି-ସାଫଲ୍ୟ ଏବଂ ଅକ୍ଷୟ ଭୋଗ ସୁଖ ଶୁଭଫଳ ମିଳିଥାଏ । ଅକ୍ଷୟତୃତୀୟାକୁ ସ୍ୱୟଂସିଦ୍ଧ ମୁହୂର୍ତ୍ତ ରୂପରେ ବିଚାର କରାଯାଏ । ଯେକୌଣସି ଅପରିହାର୍ଯ୍ୟ ଓ ଅତ୍ୟାବଶ୍ୟକ କର୍ମରେ କର୍ତ୍ତାପାଇଁ ଶୁଭ ବାର, ତିଥି, ଲଗ୍ନ, ମୁହୂର୍ତ୍ତ ଆଦିର ନିର୍ଣ୍ଣୟ ସମ୍ଭବ ନହେଲେ ବା ସୁଯୋଗ ସୁବିଧା ନଥିଲେ ବି ଅକ୍ଷୟତୃତୀୟା ଦିନ ପ୍ରାରମ୍ଭ କରାଯାଇପାରେ । 

ଜ୍ୟୋତିଷ ଶାସ୍ତ୍ରର ବିଚାର ବର୍ଣ୍ଣନାରେ ତୃତୀୟା ତିଥିକୁ ବିଜୟର ସୂଚକ ବା ବିଜୟା-ଜୟା ତିଥି କୁହାଯାଏ । ଶରଦୀୟ ଓ ବାସନ୍ତୀକ ନବରାତ୍ରର ତୃତୀୟ ଦିନ ବା ଶୁକ୍ଳ ତୃତୀୟା ତିଥିରେ ଦେବୀଦୁର୍ଗା ମସ୍ତକରେ ଚନ୍ଦ୍ରଙ୍କୁ ଧାରଣ କରି ଚନ୍ଦ୍ରଘଣ୍ଟା ରୂପେ, ଶକ୍ତି, ସାହସ ଓ ସାମର୍ଥ୍ୟର ପ୍ରତୀକ ସିଂହ ବାହନରେ, ଯୁଦ୍ଧମୁଦ୍ରାରେ ଦଶଭୁଜା ରୂପରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ପାପ ଓ ପାପୀ ଉପରେ ବିଜୟ ଲାଭ କରିଥାନ୍ତି ଏବଂ ତାଙ୍କର ଅସୁମାରୀ- ଅଗଣିତ ଭକ୍ତଙ୍କୁ ବିଜୟଶ୍ରୀମଣ୍ଡିତ ହେବାପାଇଁ ବରଦାନ କରିଥାନ୍ତି । ଜୟା ତିଥିରେ ବିଜୟଶ୍ରୀ ହେବାପାଇଁ ପ୍ରତିମାସ ତୃତୀୟା ତିଥିରେ ବିଶେଷକରି ଶୁକ୍ଳପକ୍ଷ ତୃତୀୟା ତିଥିରେ ଆଦ୍ୟାଶକ୍ତି ଦୁର୍ଗାଙ୍କର ରୂପ ବା କୌଣସି ମାତୃଶକ୍ତିଙ୍କୁ ପୂଜା କରାଯାଇଥାଏ । ଭଗବତ ଗୀତା ୮/୨୬ରେ କୃଷ୍ଣପକ୍ଷ ଅପେକ୍ଷା ଶୁକ୍ଳପକ୍ଷର ମହତ୍ତ୍ୱ ବର୍ଣ୍ଣିତ ହୋଇଛି । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟତୃତୀୟା ଦିନ ଆଦ୍ୟାଶକ୍ତି ମହାଲକ୍ଷ୍ମୀ ବା ଦୁର୍ଗା ବା ପାର୍ବତୀଙ୍କର ସାତ୍ତ୍ୱିକ ରୂପା ଭୂଦେବୀ, ରାଜସିକ ରୂପା ଶ୍ରୀଦେବୀ(ଲକ୍ଷ୍ମୀ) ଓ ତାମସିକ ରୂପା ନୀଳଦେବୀଙ୍କର ପୂଜା ହୋଇଥାଏ । ଏହିଦିନ କୃଷିପ୍ରଧାନ ଭାରତର ଅନ୍ନଦାତା କୃଷକମାନେ ଭୂଦେବୀ ମା’ ବସୁଧାଙ୍କର ପୂଜା କରି ନୂତନ କୃଷିବର୍ଷର ଖରିଫ ଫସଲର ବିହନ ବପନ ବା ବିହନ ଅନୁକୂଳ କରିଥାନ୍ତି । 

ପ୍ରଥମରେ ଗୃହରେ ସର୍ବଦେବମୟ ଗୋମାତା ଓ ବଳଦ ପୂଜା, କୃଷି ଯନ୍ତ୍ରପାତି ପୂଜା, ମାଣ ବା ଗଉଣୀରେ ବିହନ ରଖି ତାର ପୂଜା ଆଦି ସଂପନ୍ନ କରି କୃଷକ ନିର୍ଦ୍ଦିଷ୍ଟ ଜମିକୁ ଯାଏ । ଜମିର ଦେବକୋଣ ବା ଐଶାନ୍ୟକୋଣରେ କୃଷିକ୍ଷମ ଭୂମି ପ୍ରସ୍ତୁତ କରି ମା’ ବସୁଧା ବା ଭୂଦେବୀଙ୍କର ପୂଜାକରି ବିହନ ଅନୁକୂଳ ବପନ କରିଥାଏ । ଭାରତୀୟ କୃଷକ ଅଶିକ୍ଷିତ ବା ଅଳ୍ପଶିକ୍ଷିତ ହୋଇପାରେ, ମାତ୍ର ମହାନ ସନାତନ ସଂସ୍କୃତିର ଦାୟାଦ ରୂପେ ସେ ସଂସ୍କୃତସମୃଦ୍ଧ ଅଟେ । ଭୂଦେବୀଙ୍କର ପୂଜା ବା ନୂତନ ବିହନ ବପନ ବା ଅନୁକୂଳ ପ୍ରାତଃସନ୍ଧ୍ୟାରେ କରିଥାଏ । ପ୍ରାତଃସନ୍ଧ୍ୟାର ବର୍ଣ୍ଣନା କରି ମହର୍ଷି ବିଶ୍ୱାମିତ୍ର କୁହନ୍ତି, ସକାଳେ ତାରାମାନଙ୍କ ଲୁପ୍ତହେବା ସମୟର ପୂର୍ବ ସମୟ ଉତ୍କୃଷ୍ଟ । ତାରାମାନଙ୍କର ଲୁପ୍ତ ହେବା ସମୟ ଓ ସୂର୍ଯ୍ୟଙ୍କର ଉଦୟ ପୂର୍ବ ସମୟ ମଧ୍ୟମ ଏବଂ ସୂର୍ଯ୍ୟ ଉଦୟ ପର ସମୟ ପ୍ରାତଃସନ୍ଧ୍ୟା ଅଧମ ଅଟେ । ବିଶ୍ୱାମିତ୍ର ସ୍ମୃତି ୧/୨୨ ମତରେ- ଉତ୍ତମା ତାରକ୍ୟେପେତା ମଧ୍ୟମା ଲୁପ୍ତ ତାରକା/ ଅଧମା ସୂର୍ଯ୍ୟ ସହିତା ପ୍ରାତଃ ସନ୍ଧ୍ୟା ତ୍ରିଧାଗଣ । ଅକ୍ଷୟତୃତୀୟାର ଉତ୍ତମ ବା ଉତ୍କୃଷ୍ଟ ପ୍ରାତଃସନ୍ଧ୍ୟାରେ ଗୋବରଜଳ ଶୋଧିତ ଭୂମିରେ, ଚିତା-ମୁରୁଜ ଅଳଙ୍କୃତ ପୂଜାମଣ୍ଡପରେ କଳସରୂପକ ଦେବାଶ୍ରୟରେ ଶଙ୍ଖ ହୁଳହୁଳି ନିନାଦରେ ଜୀବନଦାତା ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ମୂର୍ଚ୍ଛନାରେ ପବିତ୍ର ପରିବେଶରେ ତଥା ବ୍ରାହ୍ମମୁହୂର୍ତ୍ତର ଅମ୍ଳଜାନଭରା ବାୟୁମଣ୍ଡଳରେ କୃଷକ ତାର ଘର ସମ୍ମୁଖ ଅଗଣାରେ ପୂଜା କରି ପ୍ରିୟ ଚାଷଜମିର ଐଶାନ୍ୟ କୋଣରେ ପ୍ରସ୍ତୁତ ଭୂମିରେ ଭୂଦେବୀ ତଥା ଭୂମାତାଙ୍କର ପୂଜାନ୍ତେ ବିହନ ଅନୁକୂଳ କରି ଭୂମାତାଙ୍କୁ ଶ୍ରଦ୍ଧାଭକ୍ତିରେ ନୈବେଦ୍ୟ ଦେଇ ଓ ଆରତି କରି ଗୃହକୁ ସଂତୃପ୍ତ ଚିତ୍ତରେ ଫେରିଥାଏ । 

ସରଳ ଜୀବନ, ଉଚ୍ଚ ଚିନ୍ତା ଓ ବୈଶ୍ୱିକ ଭାବନାର ଅଧିକାରୀ କୃଷକ, ଭୂଦେବୀ ବା ମା’ ବସୁଧାଙ୍କୁ ପ୍ରଚଳିତ କୃଷିବର୍ଷରେ ଉତ୍ତମ ବୃଷ୍ଟି ସହ ପୃଥିବୀ ଶସ୍ୟଶ୍ୟାମଳା ହେବା, ଦେଶବାସୀ ସୁଖରେ ରହିବା ଏବଂ ବିଦ୍ୱାନ ଓ ବୁଦ୍ଧିଜୀବୀମାନେ ନିର୍ଭୀକ ଏବଂ ନିରପେକ୍ଷ ହେବାପାଇଁ ପ୍ରାର୍ଥନା କରିଥାଏ । ସମସ୍ତଙ୍କର ଅନ୍ନଦାତା, ମାତ୍ର ସବୁ ଦିଗରୁ ଅବହେଳିତ କୃଷକର ଅକ୍ଷୟତୃତୀୟା ଦିନର ଭୂଦେବୀ ପୂଜା ସହ ନୂତନ ବିହନ ବପନ ପର୍ବ ଅତ୍ୟନ୍ତ ସରଳ ନିରାଡମ୍ବରରେ ପାଳିତ ହେଲେ ବି ତନ୍ମଧ୍ୟରେ ନିହିତ ମହାନ ବୈଶ୍ୱିକ ଭାବନା ଓ ବିଶ୍ୱପ୍ରେମ ଅନ୍ୟତ୍ର ବିରଳ । ଅକ୍ଷୟତୃତୀୟା ଦିନ ଗୃହରେ ସାମ୍ୟ ଓ ସମୃଦ୍ଧି ପାଇଁ ଲୁଣ କିଣାଯାଏ (ଶନିବାର ବ୍ୟତୀତ) । ଏଦିନ ଝାଡ଼ୁ କ୍ରୟ କରିବା, ନିରାମିଷ ଓ ସାତ୍ତ୍ୱିକ ଜୀବନଯାପନ ଶୁଭଙ୍କର । ଶ୍ରୀଦେବୀ ବା ଲକ୍ଷ୍ମୀପୂଜା- ଅକ୍ଷୟତୃତୀୟା ଦିନ ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ବିବାହ, ବ୍ରତ, ଯଜ୍ଞ, ହୋମ, ଦେବତା ଗଠନ, ନୂତନ ସଂକଳ୍ପ, କର୍ମ ଆଦିର ପ୍ରାରମ୍ଭ ଲକ୍ଷ୍ମୀପ୍ରଦ, ସଫଳ ଓ ସିଦ୍ଧିଦାୟକ ଅଟେ । ଲକ୍ଷ୍ମୀଙ୍କର ଦୃଶ୍ୟରୂପ ଧନରତ୍ନ, ଅଳଙ୍କାର, ସ୍ୱର୍ଣ୍ଣ, ରୁପା, ହୀରା ଆଦିର କାରବାର ଓ ସଂଗ୍ରହ ଲାଭପ୍ରଦ ଅଟେ । ଏଣୁ ଗୃହସ୍ଥ ଜୀବନରେ ଓ ବୈପାରିକ ଜୀବନରେ ସମସ୍ତେ ଏଦିନ ସ୍ୱର୍ଣ୍ଣାଦି ରତ୍ନ କାରବାର ଓ ସଂଗ୍ରହ ଶୁଭପ୍ରଦ ଅଟେ । ଏଦିନ ସନ୍ଧ୍ୟାରେ ସ୍ଥିରଲଗ୍ନରେ (ସନ୍ଧ୍ୟା ୭/୭ରୁ ସନ୍ଧ୍ୟାରାତ୍ର ୯/୨୮ ମିନିଟରେ ସାମସ୍ତ ଚନ୍ଦ୍ରଶେଖର ପଞ୍ଜିକା ୩୦/୪୨୦୨୫ ଦିନ) ଧନରତ୍ନ ସଂପଦ ଆଗମନ ପାଇଁ ଶ୍ରୀଦେବୀ ବା ଲକ୍ଷ୍ମୀପୂଜା, ତାଙ୍କ ସହ ଧନରକ୍ଷକ କୁବେର, ସଦବୁଦ୍ଧି ଦ୍ୱାରା ଧନର ସୁପ୍ରୟୋଗ ପାଇଁ ସରସ୍ୱତୀ, ବିଘ୍ନନାଶ ପାଇଁ ଶ୍ରୀଗଣେଶ ଏବଂ ଷଡ଼ ଐଶ୍ୱର୍ଯ୍ୟଧାରୀ ବିଷ୍ଣୁଙ୍କର ପୂଜା ହୋଇଥାଏ । ଶ୍ରୀସୂକ୍ତ, ମହାଲକ୍ଷ୍ମୀ ଅଷ୍ଟକ, ପୁରୁଷସୂକ୍ତ ଆଦି ପାଠ କରି ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ । 

ଏହିଦିନ କୁବେର ବ୍ରହ୍ମାଣ୍ଡର ଧନରକ୍ଷକ ହୋଇଥିଲେ । ତାମସିକା ଲକ୍ଷ୍ୟରେ ମଧ୍ୟରାତିରେ ନୀଳଦେବୀଙ୍କର ପୂଜା ମୁଖ୍ୟତଃ ତାନ୍ତ୍ରିକମାନେ କରିଥାନ୍ତି । ପୂର୍ବଜମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ଏଦିନ ଶ୍ରାଦ୍ଧ ଓ ତର୍ପଣ କଲେ, ଦାନ ପୁଣ୍ୟ କଲେ ଏଜନ୍ମର, ପୂର୍ବଜନ୍ମର, ଜଣା-ଅଜଣା ମୃତକମାନେ ଶ୍ରାଦ୍ଧର ଅକ୍ଷୟ ଗୁଣବତ୍ତା ଫଳରେ ମୁକ୍ତି ଓ ମୋକ୍ଷ ପାଇଥାନ୍ତି । ଅଜଣା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ସେମାନଙ୍କର ମୁକ୍ତି କାମନା କରିବା ସନାତନ ସଂସ୍କୃତିର ବସୁଧୈବ କୁଟୁମ୍ବକମ୍‌ ଆଦର୍ଶର ନିଦର୍ଶନ । ଏଦିନ ସତ୍ୟଯୁଗର ଆରମ୍ଭ ହୋଇଥିଲା । ଏଦିନ ଅନାଧ୍ୟୟନ ଦିବସ । ଅର୍ଥାତ୍‌ କେବଳ ବିଦ୍ୟାଦାନ କରାଯାଏ, ମାତ୍ର ଅଧ୍ୟୟନ କରାଯାଏନାହିଁ । 

ପ୍ରଥମ ଜୈନଗୁରୁ ବୃଷଭ ଦେବ ଆଖୁରସ ପାନ କରି ଚାରିଶତ ଦିନର ଅନଶନ ଭଙ୍ଗ କରିଥିଲେ । ଏବେ ଶ୍ୱେତାମ୍ବର ଜୈନମାନେ ଦିନେ ଛାଡ଼ି ଦିନେ ନିୟମରେ ଚାରିଶତ ଦିନ ଏବଂ ଦିଗମ୍ବର ଜୈନମାନେ ଛଅ ମାସ ଅନଶନ କରି ଶରୀର ଶୋଧନ ପର ତପସ୍ୟା କରିଥାନ୍ତି । ଏହି ଅକ୍ଷୟତୃତୀୟା ଦିନ ପାଣ୍ଡବ ପତ୍ନୀ ସତୀ ଦ୍ରୌପଦୀ ଅକ୍ଷୟପାତ୍ର ଲାଭ କରି ସମସ୍ତ ଅତିଥିଦେବଙ୍କୁ ଖାଦ୍ୟରେ ତୃପ୍ତ କରିପାରିଥିଲେ । ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପରଶୁରାମଙ୍କର ଜୟନ୍ତୀ ପାଳନ କରାଯାଏ । ଭଗବାନ ବ୍ୟାସଦେବ ଶ୍ରୀଗଣେଶଙ୍କ ସହାୟତାରେ ମହାଭାରତ ରଚନା କରିଥିଲେ । ଏଦିନ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ ବଦ୍ରୀନାଥ ଆଦି ମନ୍ଦିର ଜନତାଙ୍କ ଦର୍ଶନ ପାଇଁ ଖୋଲାଯାଏ । ଭକ୍ତ ସୁଦାମା ଶ୍ରୀକୃଷ୍ଣଙ୍କ ଦର୍ଶନ କରି ପ୍ରବଳ ଐଶ୍ୱର୍ଯ୍ୟ ଲାଭ କରିଥିଲେ । ‘ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ’କୁ ଚରିତାର୍ଥ କରୁଥିବା ରଥଯାତ୍ରାର ରଥକାମ ଆରମ୍ଭ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.