ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ପିଲାଙ୍କ ମାନସିକ ସ୍ଵାସ୍ଥ୍ୟ ସଙ୍କଟ : ତ୍ଵରିତ ମୁକାବିଲା ଜରୁରି

Published By : Prameya | May 3, 2025 1:32 PM

ଏକ ହିସାବ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରେ ୭୨ଜଣ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି । ଗତ ଦୁଇଦିନ ମଧ୍ୟରେ ଏହି ହିସାବ ଫର୍ଦ୍ଦରେ ଯୋଡ଼ି ହୋଇଯାଇଛି ଆହୁରି ୨/୩ଟି ଅଘଟଣ । ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା, କିଟ୍‌ର ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ, ଉଦଳାରେ ଜଣେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ ଇତ୍ୟାଦି । ଏପରି ଭାବେ ଛାତ୍ରଛାତ୍ରୀଙ୍କ ଅମୂଲ୍ୟ ଜୀବନର ଦୟନୀୟ ଅନ୍ତ ଚିନ୍ତା ବଢ଼ାଇଛି ସମସ୍ତଙ୍କର । ଆତ୍ମହତ୍ୟାପ୍ରବଣ କାହିଁକି ହୋଇଉଠୁଛନ୍ତି ଯୁବପିଢ଼ି? ଏହି ବିପଦଜନକ ଭାବପ୍ରବଣତାକୁ କିପରି ରୋକାଯାଇପାରିବ?

ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରେ ୭୨ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ହିସାବ ଅତ୍ୟନ୍ତ ଚିନ୍ତା ଉଦ୍ରେକକାରୀ । ଏମାନଙ୍କ ଅମୂଲ୍ୟ ଜୀବନର ଏପରି ଅନ୍ତ ଆମ ପାଇଁ ଚେତାବନୀ । ଚେତାବନୀ ହେଲା- ବିଦ୍ୟାର୍ଥୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ବଢ଼ୁଛି । ଆଜିକାଲି ପିଲା, ଅଳ୍ପବୟସ୍କ ପ୍ରଚଣ୍ଡ ପାଠପଢ଼ା ଚାପର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ନେଇ ବାପା, ମା’ଙ୍କ ମହତ୍ତ୍ୱାକାଂକ୍ଷା ମାନସିକ ଚାପର ଆଉ ଏକ କାରଣ । ସେମାନଙ୍କ ବ୍ୟକ୍ତିଗତ ଜୀବନର ସମସ୍ୟା ବି ରହିଛି । ଏସବୁକୁ ନେଇ ସେମାନେ ନିଜ ଭିତରେ ନିଜେ ସଂଘର୍ଷର ସମ୍ମୁଖୀନ ହେଉଛନ୍ତି । ଅଥଚ ଏ ସମ୍ପର୍କରେ କାହାକୁ କିଛି କହିପାରୁନାହାନ୍ତି, କହିପାରନ୍ତି ବି ନାହିଁ । କାରଣ ସେମାନଙ୍କ ମନରେ ଥାଏ ଅଜଣା ଭୟ । ଏଥିସହିତ ସାମାଜିକ ତାଡ଼ନା ତଥା ସହାଯ୍ୟ ସହାନୁଭୂତିର ଅଭାବ । ଏସବୁ ସେମାନଙ୍କୁ ଚୁପ୍‌ ରହିବାକୁ ବାଧ୍ୟ କରୁଛି । ଜଣେ ମାନସିକ ରୋଗ ବିଶେଷଜ୍ଞ ଭାବେ ମୁଁ ଜୋର ଦେଇ କହିବାକୁ ଚାହେଁ ଯେ, ଆମ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ତଥା ତ୍ୱରିତ ପଦକ୍ଷେପ ନେବାର ସମୟ ଏବେ ପହଞ୍ଚିଛି । ସେମାନେ ଯେଉଁ ସମୟରେ ଯାହା ସହାୟତା ଆବଶ୍ୟକ କରୁଛନ୍ତି, ସେସବୁକୁ ସୁନିଶ୍ଚିତ କରିବା ଜରୁରି । ତେବେ ପିଲାମାନେ ଆତ୍ମହତ୍ୟାପ୍ରବଣ କାହିଁକି ହୋଇଉଠୁଛନ୍ତି ଏବଂ ହଠାତ୍‌ ଏହାର ସଂଖ୍ୟା ବଢ଼ିଯାଇଛି କାହିଁକି? ପିଲାମାନେ ନିରାଶାର ଅନ୍ଧକାର ମଧ୍ୟକୁ ଖସିପଡ଼ିବା ପଛରେ ରହିଛି ଅନେକ କାରଣ । ସବୁଠୁ ବଡ଼ କାରଣଟି ହେଲା ପାଠପଢ଼ା ଚାପ । ବିଦ୍ୟାଳୟ, ପିତାମାତା ସର୍ବୋପରି ସମାଜ ସମସ୍ତେ ପିଲାର ପରୀକ୍ଷା ଏବଂ ପରୀକ୍ଷାଫଳ ବା ମାର୍କ ଉପରେ ଅତିରିକ୍ତ ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ପିଲାମାନେ ଭାବୁଛନ୍ତି ସେମାନଙ୍କର ସମଗ୍ର ଭବିଷ୍ୟତ ପରୀକ୍ଷା ଫଳ ଉପରେ ହିଁ ନିର୍ଭରଶୀଳ । 

ଦ୍ୱିତୀୟରେ ବାପାମା’ ତଥା ସମାଜର ମହତ୍ତ୍ୱାକାଂକ୍ଷା ନିକଟରେ ବଳିପଡୁଛନ୍ତି ପିଲାମାନେ । ଅଧିକାଂଶ ପିଲା ଭାବନ୍ତି ସେମାନଙ୍କୁ ନେଇ ସେମାନଙ୍କ ପରିବାର ଦେଖୁଥିବା ସୁନେଲି ସ୍ପପ୍ନକୁ ସାକାର କରିବା ନିହାତି ଜରୁରି । ପରିବାରର ସ୍ୱପ୍ନ ତା’ ନିଜପାଇଁ ହୁଏତ ସୁଖଦ ଅନୁଭୂତି ନଦେଇପାରେ ତଥାପି ପିଲା ଯେନତେନ ଏହାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରେ । ଆଜିକାଲି ଆଉ ଏକ ବଡ଼ ସମସ୍ୟା ଅନ୍‌ଲାଇନ୍‌ । ବିଦ୍ୟାଳୟରେ କିମ୍ବା ଅନ୍‌ଲାଇନ୍‌ ଜରିଆରେ ଅନେକେ ଶାରୀରିକ ତଥା ମାନସିକ ଉତ୍ପୀଡ଼ନର ଶିକାର ହେଉଛନ୍ତି । ବାରମ୍ବାର ଡରାଇବା, ଧମକାଇବା, ମାଡ଼ ମାରିବା ଅବା ଅପମାନଜନକ କଥା କହିବା ଇତ୍ୟାଦି ଭଳି ‘ବୁଲିଂ’ ଜରିଆରେ ସେମାନଙ୍କର ଆତ୍ମସମ୍ମାନ ତଥା ଆତ୍ମପ୍ରତ୍ୟୟ ପ୍ରତି ଆଘାତ ପହଞ୍ଚାଯାଉଛି । ଆଜିକାଲି ସାମାଜିକ ଗଣମାଧ୍ୟମ ଆମ ପାଇଁ ନିଜକୁ ଅନ୍ୟ ସହ ତୁଳନା କରିବାର ବାଟକୁ ଅତି ସୁଗମ କରିଦେଇଛି କହିଲେ ଭୁଲ୍‌ ହେବନାହିଁ । ସୋସିଆଲ ମିଡିଆରେ ଆମେ ଯେବେ ଅନ୍ୟକୁ ଦେଖୁଛୁ ସେମାନଙ୍କର ଅତୀବ ଆକର୍ଷଣୀୟ ଜୀବନଶୈଳୀ ଆଗରେ ନିଜର ଜୀବନ ସାଦାସିଧା ଚମକବିହୀନ ମନେହେଉଛି । ଅପରପକ୍ଷରେ, ବ୍ୟକ୍ତିଗତ ଜୀବନ ସଂଘର୍ଷ ମଧ୍ୟରେ ସମ୍ପର୍କଜନିତ ସମସ୍ୟା, ଆର୍ଥିକ ଅଭାବ ଅନଟନ ଅଥବା ପାରିବାରିକ ବିବାଦ ଇତ୍ୟାଦି ବିଦ୍ୟାର୍ଥୀ ଜୀବନକୁ ଅତିରିକ୍ତ ତିକ୍ତ କରିଦେଉଛି । 

ସରକାର କ’ଣ କରିପାରିବେ 

-ପ୍ରତ୍ୟେକ ସ୍କୁଲ ଏବଂ କଲେଜରେ ତାଲିମପ୍ରାପ୍ତ କାଉନସେଲର (ବୁଝାଇସୁଝାଇ ପାରୁଥିବା ବ୍ୟକ୍ତି) ନିଯୁକ୍ତ କରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର ଭାବପ୍ରବଣତା ତଥା ଚିନ୍ତାଜନିତ ସମସ୍ୟାଗୁଡ଼ିକର କିପରି ମୁକାବିଲା କରିବେ ତାହାର ଦିଗ୍‌ଦର୍ଶନ ଦେବେ ଏହି କାଉନସେଲରମାନେ ।

-ସରକାର ମାନସିକ ସ୍ୱାସ୍ଥ୍ୟ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶବିଶେଷ ଭାବେ ସାମିଲ କରିବେ ଯଦ୍ୱାରା ଛାତ୍ରଛାତ୍ରୀ ଜାଣିପାରିବେ ମାନସିକ ଚାପ ସହିତ ତାଳମେଳ ରଖି କିପରି ଆଗକୁ ବଢ଼ିହେବ । କେଉଁ ପରିସ୍ଥିତିରେ ସେମାନେ ନିଶ୍ଚୟ ଅନ୍ୟର ସହାୟତା ଲୋଡ଼ିବା ଜରୁରି ତାହା ମଧ୍ୟ ଏହି ଶିକ୍ଷାଦ୍ୱାରା ଜାଣିବେ ।

-ଆମ ପିଲାମାନେ ନିଜର ବ୍ୟକ୍ତିଗତ ସମସ୍ୟା ଜଣେ ବିଶ୍ୱସ୍ତ ବ୍ୟକ୍ତିବିଶେଷଙ୍କ ନିକଟରେ ପ୍ରକାଶ କରିବାକୁ ଯେପରି ସକ୍ଷମ ହୋଇପାରିବେ ତାହାର ପ୍ରାବଧାନ କରିବା ମଧ୍ୟ ଆବଶ୍ୟକ ।

-ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବା ସହିତ ସେମାନଙ୍କ ଉପରୁ ପାଠ୍ୟପୁସ୍ତକ ବୋଝ ସହିତ ପରୀକ୍ଷା ଚାପ କମାଇବା ପାଇଁ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ ।

-ପିତାମାତା, ଅଭିଭାବକ ସେମାନଙ୍କ ପିଲାଙ୍କୁ ଭାବନାତ୍ମକ ସହାୟତା କିପରି କରିପାରିବେ ସେ ଦିଗରେ ଶିକ୍ଷିତ କରିବା ବ୍ୟବସ୍ଥା ସରକାରଙ୍କ ଜରିଆରେ ହେଲେ ଭଲ ।

-ବିଦ୍ୟାଳୟ ପରିସରରେ ଶାରୀରିକ ତଥା ମାନସିକ ଉତ୍ପୀଡ଼ନ ନିଷେଧ ନିୟମକୁ କଡ଼ାକଡ଼ି ଲାଗୁ ଉପରେ ଜୋର ଦିଆଯିବା ଜରୁରି । ଏଥିସହିତ ବିଦ୍ୟାଳୟରେ ସହାୟକ ଗୋଷ୍ଠୀ ରହିବେ, ଯେଉଁମାନେ ପିଲାଙ୍କୁ ନିରାପଦ ପରିବେଶ ଯୋଗାଇଦେବାରେ ସାହାଯ୍ୟ କରିବେ ।

-ଯେଉଁ ଛାତ୍ରଛାତ୍ରୀଙ୍କର ଆର୍ଥିକ ସମସ୍ୟା ରହିଛି ସେମାନଙ୍କୁ ଆର୍ଥିକ ସହାୟତା, ମେଧାବୃତ୍ତି ପ୍ରଦାନ କରି ଏହି ସମସ୍ୟା ସରକାର ଦୂର କରିପାରିବେ ।

-ସାମାଜିକ ଗଣମାଧ୍ୟମର ପ୍ରଦୂଷିତ କଣ୍ଟେଣ୍ଟ (ବିଷୟବସ୍ତୁ) ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ଅଧିକ ଖରାପ କରୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଅଧିକ ଉପଯୁକ୍ତ ନୀତି ନିର୍ଦ୍ଧାରଣ ହେବା ମଧ୍ୟ ଜରୁରି । 

ଗେଟ୍‌କିପର୍‌ ଥିଓରୀ– ପ୍ରତ୍ୟେକ ଦିନ ବହୁସଂଖ୍ୟାରେ ମାନସିକ ରୋଗୀଙ୍କୁ ଚିକିତ୍ସା କରୁଥିବାରୁ ସମସ୍ତଙ୍କ ପାଇଁ ମୁଁ ‘ଗେଟ୍‌କିପର୍‌ ଥିଓରି’ ରଖିବାକୁ ଚାହିଁବି । ଏହି ଗୋଷ୍ଠୀଭିତ୍ତିକ ସିଦ୍ଧାନ୍ତ ମାନସିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଏକ ଆଲୋକବର୍ତ୍ତିକ ସଦୃଶ । ଏହି ଥିଓରୀ କହୁଛି ଯେ ଆମ ସମାଜ ମଧ୍ୟରେ ଯେଉଁମାନେ ଆମକୁ ପ୍ରଭାବିତ କରିପାରନ୍ତି ଯଥା- ଶିକ୍ଷକ, ପିତାମାତା, ବନ୍ଧୁ, ସ୍ୱାସ୍ଥ୍ୟରକ୍ଷା କର୍ମୀ ଏପରିକି ଧାର୍ମିକ ଗୁରୁ ମଧ୍ୟ ଜଣେ ଜଣେ ‘ଫାଟକ ଜଗୁଆଳି’ । ସେମାନେ ପିଲାଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତାକୁ ରୋକିବାରେ ସହାୟକ ହୋଇପାରିବେ । ଜଣେ ‘ଗେଟ୍‌କିପର’ ନିଶ୍ଚୟ ତାଲିମପ୍ରାପ୍ତ ହୋଇଥିବେ । ଆତ୍ମହତ୍ୟାପ୍ରବଣ ମାନସିକ ଅବସ୍ଥା କ’ଣ ଏବଂ ଏଥିରେ ପୀଡ଼ିତ ବ୍ୟକ୍ତିବିଶେଷ ବା ଛାତ୍ରର ବାହ୍ୟ ଆଚରଣ କିପରି ହୋଇଥାଏ, ସେସବୁ ଅନୁଧ୍ୟାନ କରିବା ଲାଗି ସେମାନଙ୍କୁ ତାଲିମ ଦିଆଯାଇଥାଏ । ଆତ୍ମହତ୍ୟା ପୂର୍ବର ବ୍ୟକ୍ତି ଆଚରଣରେ ଦେଖିବାକୁ ମିଳୁଥିବା ସତର୍କ ସୂଚନାଗୁଡ଼ିକ ମଧ୍ୟରୁ କେତୋଟି ହେଲା- ସେ ସର୍ବଦା ସାଙ୍ଗସାଥୀଙ୍କ ସହ ମିଳାମିଶାରୁ ଦୂରେଇ ରହିବ, ନିରାଶାପୂର୍ଣ୍ଣ କଥା କହିବା କିମ୍ବା ମୃତ୍ୟୁ ସମ୍ପର୍କରେ ଆଲୋଚନା କରିବାକୁ ଆଗ୍ରହ ଦେଖାଉଥିବ । ଏପରି ଆଚରଣକାରୀଙ୍କୁ ଜଣେ ‘ଗେଟ୍‌କିପର’ ନିଜ ତରଫରୁ ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ଦେଖାଇବେ । ସେମାନଙ୍କ ସମସ୍ୟା ପ୍ରତି ସେ ସମ୍ବେଦନଶୀଳ ବୋଲି ବିଶ୍ୱାସ ଜନ୍ମାଇବେ । 

ଏହା ବ୍ୟତୀତ ପୀଡ଼ିତ ନିକଟରେ ମାନସିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ମଧ୍ୟ ଆବଶ୍ୟକ ସାହାଯ୍ୟ କରିପାରିବେ ଜଣେ ‘ଗେଟ୍‌କିପର’ ।  ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନିଶ୍ଚୟ ରୋକିହେବ । ଏହି ସଙ୍କଟର ମୁକାବିଲା ଆମକୁ ମିଳିମିଶି କରିବାକୁ ହେବ । ସରକାର, ବିଦ୍ୟାଳୟ, ପିତାମାତା ଏବଂ ସମାଜ ସମସ୍ତେ ଗୋଟିଏ ‘ଟିମ୍‌’ ପରି କାମ କରି ପିଲାମାନଙ୍କ ପାଇଁ ଏକ ଉପଯୁକ୍ତ ସହାୟକ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡ଼ିବ । ଏଥିପାଇଁ ପ୍ରଥମେ ଜରୁରି ସକାରାତ୍ମକ ପରିବେଶ । ଯେଉଁ ପରିବେଶରେ ଅଳ୍ପବୟସ୍କମାନେ ନିଜକୁ ନିରାପଦ ଅନୁଭବ କରିପାରୁଥିବେ । ନିଜ ଭିତରର ସଂଘର୍ଷ ସମ୍ପର୍କରେ ଖୋଲାଖୋଲି ନିର୍ଭୀକ ଭାବେ ବାହାରେ କହିଲେ ସେମାନଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିବନାହିଁ ବୋଲି ସେମାନେ ନିଶ୍ଚିତ ରହିପାରିବେ । ଅର୍ଥାତ୍‌ ସେମାନଙ୍କୁ ନିନ୍ଦିତ, ଅପମାନିତ ହେବାକୁ ପଡ଼ିବନାହିଁ ବୋଲି ଭରସା ଦିଆଯିବ । ସମସ୍ୟାରୁ ମୁକୁଳିବାର ଏକମାତ୍ର ବାଟ ଆତ୍ମହତ୍ୟା ବୋଲି ଛାତ୍ରଛାତ୍ରୀମାନଙ୍କ ମନରେ ଭାବନା ନଆସୁ । ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି, ଏହାର ବ୍ୟାପକ ପ୍ରଚାରପ୍ରସାର, ଉପଯୁକ୍ତ କାଉନସେଲିଂ, ପାଠପଢ଼ା ଚାପ ହ୍ରାସ ସହ ସମାଜର ‘ଫାଟକ ଜଗୁଆଳି’ମାନଙ୍କୁ ଉଚିତ ତାଲିମ ପ୍ରଦାନ ଇତ୍ୟାଦି ଇତ୍ୟାଦି ଦ୍ୱାରା ଆମେ ଏହି ଅମୂଲ୍ୟ ଜୀବନଗୁଡ଼ିକୁ ରକ୍ଷା କରିପାରିବା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.