ଭୁବନେଶ୍ୱର,୨୩/୧୨: ‘ପ୍ରମେୟ’ ପକ୍ଷରୁ ‘ଗୃହଲକ୍ଷ୍ମୀ-୨୦୨୪’ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଆଇଟିଇଆର୍‌ କ୍ୟାମ୍ପସ୍‌ସ୍ଥିତ  ବାଂଶୁରୀ ଗୁରୁ ପ୍ରେକ୍ଷାଳୟରେ ଅନୁଷ୍ଠିତ  ହୋଇଥିଲା । ଭୁବନେଶ୍ୱର ଖବରକାଗଜ ବିତରକଙ୍କ ସହଧର୍ମିଣୀମାନଙ୍କ ପାଇଁ ଏହି  କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା ଶଙ୍ଖ ଫୁଙ୍କା ଓ ମୁରୁଜ ପ୍ରତିଯୋଗିତା । ସେଥିମଧ୍ୟରୁ ଦୁଇଟି ବିଭାଗରେ ୬ ଜଣଙ୍କୁ ପ୍ରଥମ, ଦ୍ୱିତୀୟ  ଓ ତୃତୀୟ ଭାବେ ଚୟନ କରାଯାଇଥିଲା । ପରେ  ସମସ୍ତ କୃତୀ ପ୍ରତିଯୋଗୀଙ୍କ ମଧ୍ୟରେ ଏକ  ଲିଖିତ କୁଇଜ୍‌ ପ୍ରତିଯୋଗିତା କରାଯାଇଥିଲା ।  

ସେଥିରେ ଶ୍ରେଷ୍ଠ ବିବେଚିତ ପ୍ରଥମ ପ୍ରତିଯୋଗୀଙ୍କୁ  ‘ଗୃହଲକ୍ଷ୍ମୀ-୨୦୨୪’ ଘୋଷଣା କରାଯାଇଥିଲା ।  ନବମ ବର୍ଷରେ ବିଜୟିନୀ ହୋଇଛନ୍ତି ବିତରକ ଧରଣୀ ଜେନାଙ୍କ ପତ୍ନୀ ଅନୁସୂୟା ଜେନା ।  ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌  (ଏସ୍‌ଆର୍‌ଏମ୍‌ପିଏଲ୍‌)ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଅନୁସୂୟାଙ୍କୁ ‘ଗୃହଲକ୍ଷ୍ମୀ-୨୦୨୪’ର ମୁକୁଟ  ପିନ୍ଧାଇଥିଲେ । ତାଙ୍କୁ ଟ୍ରଫି, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । 

ଏହି ଉପଲକ୍ଷେ ଆୟୋଜିତ ସଭାରେ  ନିର୍ଦ୍ଦେଶିକା ଶ୍ରୀମତୀ ଦାସ କହିଥିଲେ, ଆଜି  ମୁଁ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି  ବହୁତ ଆନନ୍ଦ ଅନୁଭବ କରୁଛି । ‘ପ୍ରମେୟ’କୁ  ରାଜ୍ୟର ଏକ ନମ୍ବର ଖବରକାଗଜର ମାନ୍ୟତା  ଲାଭ କରାଇବାରେ ବିତରକ ବନ୍ଧୁମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । 

‘ପ୍ରମେୟ’ ସମ୍ପାଦକ ଗୋପାଳକୃଷ୍ଣ  ମହାପାତ୍ର ଅତିଥି ଭାବେ ଯୋଗଦେଇ  କହିଥିଲେ, ଆଜି ପ୍ରମେୟ ଏହି ସ୍ଥାନରେ  ପହଞ୍ଚିବା ପଛରେ ବିତରକଙ୍କ ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ ହାତ ରହିଛି । ଆପଣମାନେ  ଅଛନ୍ତି ତ ଆମେ ଅଛୁ । ଗ୍ରୁପ୍‌ ସିଇଓ ସୁନିଲ  ଦାସ ନିଜ ଉଦ୍‌ବୋଧନରେ ଆମ ପାରମ୍ପରିକ  ଝୋଟିଚିତା ଓ ଶଙ୍ଖନାଦ କେମିତି ବିଜ୍ଞାନ ସମ୍ମତ  ତଥା ଶରୀର ସୁସ୍ଥ ରଖିବା ପାଇଁ ଗୋଟିଏ  ଗୋଟିଏ ମୁଦ୍ରା, ତାହା ଖୁବ ସୁନ୍ଦର ଭାବେ  ବୁଝାଇଥିଲେ । ସଭା ଆରମ୍ଭରେ ପ୍ରସାର ବିଭାଗ  ଡିଜିଏମ୍‌ ଗଜେନ୍ଦ୍ର ଦାସ କାର୍ଯ୍ୟକ୍ରମ ସମ୍ପର୍କିତ  ସୂଚନା ପ୍ରଦାନ କରିବା ସହିତ ଖବରକାଗଜରେ  ବିତରକର ଭୂମିକା ଶରୀରର ମେରୁଦଣ୍ଡ ସହିତ  ସମାନ ବୋଲି ମତ ଦେଇଥିଲେ । 

ଉତ୍ସବରେ ନ୍ୟୁଜ୍‌-୭ର କାର୍ଯ୍ୟକାରୀ ସମ୍ପାଦକ  ଦେବନାରାୟଣ ସେଠୀ,  ‘ପ୍ରମେୟ’ର ବ୍ୟୁରୋ  ମୁଖ୍ୟ ଦେବେନ୍ଦ୍ର ସୁଆର  ଏବଂ ଆଇଟିଇଆର୍‌ ନିର୍ଦ୍ଦେଶକ ମାନସ ରଞ୍ଜନ  ମଲ୍ଲିକ ପ୍ରମୁଖ ଯୋଗ  ଦେଇଥିଲେ । ମୁରୁଜ ପ୍ରତିଯୋଗିତାରେ  ପ୍ରଥମ ହୋଇଥିଲେ ବିତରକ ଅଶୋକ କୁମାର ପାଣ୍ଡବଙ୍କ ପତ୍ନୀ ଅର୍ପିତା ପାଣ୍ଡବ, ଦ୍ୱିତୀୟ ସ୍ଥାନରେ  ବାବୁଲି ପୃଷ୍ଟିଙ୍କ ପତ୍ନୀ ଉର୍ମିଳା ସାହୁ ଓ ତୃତୀୟ  ସ୍ଥାନ ଅଧିକାର କରିଥିଲେ ଦିଲୁ ପୃଷ୍ଟିଙ୍କ ପତ୍ନୀ  ସରସ୍ୱତୀ ପୃଷ୍ଟି । 

ଶଙ୍ଖନାଦ ପ୍ରତିଯୋଗିତାରେ ପ୍ରଥମ  ହୋଇଥିଲେ ବିତରକ ଶଙ୍କର ମୁଦୁଲିଙ୍କ ପତ୍ନୀ  ଝରଣା ମୁଦୁଲି, ଦ୍ୱିତୀୟ ହୋଇଥିଲେ ପିତାମ୍ବର ରାଉତଙ୍କ ପତ୍ନୀ ବନ୍ଦିତା ରାଉତ ଏବଂ ତୃତୀୟ  ସ୍ଥାନ ଲାଭ କରିଥିଲେ ଧରଣୀ ଜେନାଙ୍କ ପତ୍ନୀ  ଅନୁସୂୟା ଜେନା । ୬ଜଣ କୃତୀ ପ୍ରତିଯୋଗୀଙ୍କୁ  ପୁରସ୍କାର ସ୍ୱରୂପ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ  ଅର୍ଥରାଶି ପ୍ରଦାନ କରାଯାଇଥିଲା । 

ଏହି ପ୍ରତିଯୋଗିତାରେ କାର୍ଟୁନିଷ୍ଟ୍‌ ଟି  ନନ୍ଦେଶୁ ରାଓ, ଚିତ୍ରଶିଳ୍ପୀ ତଥା ସମାଜସେବୀ  କଲ୍ୟାଣୀ କଳ୍ପଲତା ଆଚାର୍ଯ୍ୟ, କଣ୍ଠଶିଳ୍ପୀ ତଥା  ସ୍ତମ୍ଭକାର ଛନ୍ଦା ମିଶ୍ର ଏବଂ ରାଜଶ୍ରୀ ଶତପଥୀ  ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ବିତରକଙ୍କ ସହଧର୍ମିଣୀମାନେ ଉତ୍ସାହର ସହିତ ବହୁସଂଖ୍ୟାରେ ପ୍ରତିଯୋଗିତାରେ ଭାଗ  ନେଇଥିଲେ । ଅଂଶ ଗ୍ରହଣ କରିଥିବା ସବୁ ଗୃହିଣୀଙ୍କୁ  ଉପହାର ସ୍ୱରୂପ ଶାଢ଼ି ପ୍ରଦାନ କରାଯାଇଥିଲା । ଉତ୍ସବରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ସଙ୍ଗୀତ  ପରିବେଷଣ କରିଥିଲେ । ଏହି ଅବସରରେ  କୁନି ପିଲାଟିଏ ମା’ଙ୍କ ଉପରେ ଚମତ୍କାର  ଗୀତ ଗାଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ  ଦାସ ତାଙ୍କୁ ୧ ହଜାର ଟଙ୍କା ପୁରସ୍କାର  ପ୍ରଦାନ କରିଥିଲେ । 

ଆଇଟିଇଆର୍‌ ଶିକ୍ଷାର୍ଥୀ ଆକାଂକ୍ଷା  ଆଚାର୍ଯ୍ୟ ଓ କୀର୍ତ୍ତିକା ମହାନ୍ତି ଓଡ଼ିଶୀ  ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ  ମନ୍ତ୍ରମୁଗ୍ଧ କରିଥିଲେ । ପ୍ରସାର ବିଭାଗର ଅଧିକାରୀ ଚନ୍ଦ୍ରକାନ୍ତ  ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା  କରିଥିଲାବେଳେ ଅନ୍ୟ କର୍ମକର୍ତ୍ତା  ଓ କର୍ମଚାରୀମାନେ ସହଯୋଗ କରିଥିଲେ। ପ୍ରସାର ବିଭାଗ ଏଜିଏମ୍‌ ରମାକାନ୍ତ ମଲ୍ଲିକ  ଧନ୍ୟବାଦ ପ୍ରଦାନ କରିଥିଲେ ।