ଢାକା,୧୩।୧୧: ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦେବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ବାଂଲା​ଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟିସି-ବିଡି) ମାନବିକତା ବିରୋଧରେ ହୋଇଥିବା ଅପରାଧରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ନଭେମ୍ବର ୧୭ ରେ ରାୟ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଘୋଷଣା କରିଛି। ଏହି ମାମଲାରେ ସରକାର ହସିନାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି। ରାଜଧାନୀ ଢାକାରେ କଡା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର କୋର୍ଟରେ ଉପସ୍ଥିତ ଜଣେ ସାମ୍ବାଦିକ କହିଛନ୍ତି,  ତିନିଜଣିଆ ଖଣ୍ଡପୀଠ ଏହି ରାୟ ପାଇଁ ନଭେମ୍ବର ୧୭ ତାରିଖ ସ୍ଥିର କରିଛନ୍ତି। ଏହି ଘୋଷଣା ମଧ୍ୟରେ ହସିନାଙ୍କ ପୂର୍ବତନ ଆୱାମୀ ଲିଗ୍ ସରକାର ଢାକା ବନ୍ଦର ଆହ୍ବାନ କରିଛି। ଯାହାଫଳରେ ସହରରେ ସୁରକ୍ଷା ବ୍ୟବସ୍ଥା ଚରମ ସ୍ଥିତିରେ ପହଁଞ୍ଚିଛି।

ଏହି ମାମଲାରେ ଶେଖ୍ ହସିନା, ପଦଚ୍ୟୁତ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଥିଲା। ହସିନା ଏବଂ କମଲଙ୍କ ଉପରେ ତାଙ୍କ ଅନୁପସ୍ଥିତିରେ ବିଚାର କରାଯାଇଥିଲା ଏବଂ କୋର୍ଟ ସେମାନଙ୍କୁ ପଳାତକ ଘୋଷଣା କରିଥିଲେ। ଆଇସିଟି-ବିଡି ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଆବେଦନ କରିଥିଲେ। ପୂର୍ବତନ ପୋଲିସ ମୁଖ୍ୟ ମାମୁନ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ କିନ୍ତୁ ପରେ ସରକାରୀ ସାକ୍ଷୀ ହୋଇଥିଲେ। ରାୟ ତାରିଖ ସ୍ଥିର ହେବା ସମୟରେ ମାମୁନଙ୍କୁ କାଠଗଡ଼ାରେ ଠିଆ ହୋଇଥିବା ଦେଖାଯାଇଥିଲା।

୨୮ କାର୍ଯ୍ୟ ଦିବସର ଶୁଣାଣି ପରେ ଟ୍ରିବ୍ୟୁନାଲ୍ ଅକ୍ଟୋବର ୨୩ ତାରିଖରେ ମାମଲାକୁ ଚୂଡ଼ାନ୍ତ କରିଥିଲେ। ଏହି ସମୟ ମଧ୍ୟରେ, ୫୪ ଜଣ ସାକ୍ଷୀ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଗତ ବର୍ଷ ଜୁଲାଇରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ କିପରି ପ୍ରୟାସ କରାଯାଇଥିଲା ତାହା ବର୍ଣ୍ଣନା କରିଥିଲେ। ବାଂଲାଦେଶର ଛାତ୍ର ଆନ୍ଦୋଳନ ୫ ଅଗଷ୍ଟ, ୨୦୨୪ରେ ହସିନାଙ୍କ ଆୱାମୀ ଲିଗ୍ ସରକାରକୁ କ୍ଷମତାରୁ ବହିଷ୍କାର କରିଥିଲା। ହସିନାଙ୍କ ସରକାରଙ୍କ ବିରୋଧରେ ପ୍ରତିବାଦକାରୀଙ୍କୁ ଦମନ କରିବାର ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା, ହତ୍ୟା ଉଦ୍ୟମ, ନିର୍ଯାତନା ଏବଂ ଅନ୍ୟାନ୍ୟ ଅମାନବୀୟ କାର୍ଯ୍ୟ ସମେତ ପାଞ୍ଚଟି ଧାରା ଅନୁଯାୟୀ ଅଭିଯୋଗ କରାଯାଇଛି।