ଭୁବନେଶ୍ୱର,୧୯/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡିଶାରେ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଦାଣ୍ଡବୋଷରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏଥିସହ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଶନିବାର ଦିନିକିିଆ ଓଡ଼ିଶା  ଗସ୍ତରେ ଆସିବେ । ପଶ୍ଚିମବଙ୍ଗ କଲାଇକୁଣ୍ଡା ଏୟାରବେସ୍‌ରୁ ରାଷ୍ଟ୍ରପତି  ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ଯୋଗେ ଶୁକ୍ରବାର ଅପରାହ୍ଣ  ୨ଟା ୪୫ରେ ମୟୂରଭଞ୍ଜ ଅଭିମୁଖେ ବାହାରିବେ । ମୟୂରଭଞ୍ଜ ଜିଲ୍ଲା  ଦାଣ୍ଡବୋଷ ଏୟାରପୋର୍ଟରେ ଅପରାହ୍ଣ ୩ଟା ୧୫ରେ ପହଞ୍ଚିବେ ।  ସନ୍ଧ୍ୟାରେ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଚିକିତ୍ସାୟଳୟ ପରିସରରେ  ଅନୁଷ୍ଠିତ ଏମ୍‌ସ ଦ୍ୱାରା ପରିଚାଳିତ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପକୁ ଉଦଘାଟନ  କରିବେ । ପରେ ସେଠାରୁ ସଡ଼କ ପଥରେ ରାଇରଙ୍ଗପୁରସ୍ଥିତ ନିଜ  ଘରକୁ ଯିବେ । ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।  

ପରଦିନ ଅର୍ଥାତ୍‌ ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି  ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର (ଏମ୍‌ଆଇ-୧୭)  ଯୋଗେ ଦିଘିବେଡ଼ା ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ସଡ଼କ  ପଥରେ ଯାଇ ପୂର୍ବାହ୍ଣ ୧୧ଟା ସୁଦ୍ଧା ପାହାଡ଼ପୁରସ୍ଥିତ ଘରକୁ ଯିବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ମୟୂରଭଞ୍ଜରେ ପହଞ୍ଚିବେ । ପୂର୍ବାହ୍ନ ୧୧ଟା ୧୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ଉଭୟ ଏକ  ଆବାସିକ ସ୍କୁଲ ଓ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିବେ । ଶିକ୍ଷା ଓ  କୌଶଳ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର  ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟା ୨୦ରେ ରାଷ୍ଟ୍ରପତି ଦିଘିବେଡ଼ାରୁ  ହେଲିକପ୍ଟର ଯୋଗେ ଦାଣ୍ଡବୋଷ ବିମାନବନ୍ଦର ଯିବେ । 

ଅଧିକ ପଢ଼ନ୍ତୁ :-  Naveen Patnaik: ଲୋକଙ୍କୁ ହତାଶା ଭିତରକୁ ଠେଲି ନଦେଇ ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କର: ନବୀନ ପଟ୍ଟନାୟକ

ମଧ୍ୟାହ୍ନ ୧ଟାରେ ଦାଣ୍ଡବୋଷରେ ଆୟୋଜିତ ଓଡି଼ଶା ସରକାରଙ୍କ  ୨ ବର୍ଷ ପୂର୍ତ୍ତି ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଉପସ୍ଥିତ ରହିବେ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦି  ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସଭାରେ  ଉପସ୍ଥିତ ରହିବେ । ‘ବିକାଶର ଧାରା, ଓଡି଼ଶା ସାରା’ ନେଇ  କ୍ଷୁଦ୍ର ସିନେମା ପ୍ରଦର୍ଶିତ ହେବ । ଏହି ସାଧାରଣ ସଭାରେ  ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ କରିବେ ।  ରେଲୱେ ପ୍ରକଳ୍ପ ସହ ଭାରତ କୋଲ୍‌ ଗ୍ୟାସିଫିକେସନ ଆଣ୍ଡ୍‌  କେମିକାଲ ଲିମିଟେଡ୍‌ (ବିସିଜିସିଏଲ୍‌)ର ନୂଆ ପ୍ରକଳ୍ପର  ଶିଳାନ୍ୟାସ କରିବେ । ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି  ଓଡି଼ଶାବାସୀଙ୍କୁ ସମ୍ବୋଧନ କରିବେ । ପରେ ରାଷ୍ଟ୍ରପତି ଓ  ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ।