ଭୁବନେଶ୍ବର: ରାଜ୍ୟରେ ତିନି ମାସ ହେବ ଭତ୍ତା ମିଳିନଥିବା ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ଶୀଘ୍ର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି ନବୀନ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ।

ନବୀନ ନିଜର ପୋଷ୍ଟରେ ଲେଖିଛନ୍ତି କି, ଭତ୍ତା ପାଇଁ ଲୋକେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ବିଜେପି ସରକାରର ଏଇଆ କ'ଣ ଫାଇଦା? ତିନି ମାସରୁ ଅଧିକ ସମୟ ଧରି ରାଜ୍ୟର ଲକ୍ଷ ଲକ୍ଷ ଲୋକ ସାମାଜିକ ସୁରକ୍ଷା ଅଧୀନରେ ଭତ୍ତା ନ ପାଇ ବ୍ୟାପକ ସମସ୍ୟାର ସାମ୍ନା କରୁଛନ୍ତି। ଭତ୍ତା ପାଇଁ ଲୋକ ଜୀବନ ହାରିବା ପରି ଖବର ମଧ୍ୟ ଗଣମାଧ୍ୟମର ଶିରୋନାମା ପାଲଟିଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ନିର୍ବାଚନ ସମୟରେ ଭତ୍ତା ବଢ଼ାଇବାର ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶା ବିଜେପି କ୍ଷମତାକୁ ଆସିଲା। ହେଲେ ବର୍ତ୍ତମାନ ଯାଏଁ ଭତ୍ତା ବଢ଼ାଇବା ଦୂରେ ଥାଉ ହିତାଧିକାରୀଙ୍କୁ ପୂର୍ବରୁ ମିଳୁଥିବା ଭତ୍ତାକୁ ବି ସରକାର ପ୍ରଦାନ କରିବାରେ ଅସମର୍ଥ। ଏହା ଅନେକ ବୟସ୍କ ଲୋକ, ମା'ମାଉସୀଙ୍କୁ ହତାଶା ଓ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି। ଭତ୍ତା ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ଜୀବନ ରକ୍ଷାକାରୀ ଔଷଧ କିଣି ପାରୁ ନାହାନ୍ତି ତ କିଏ ଭୋକ, ଉପାସରେ ରହୁଛନ୍ତି। ଲୋକଙ୍କ ଦୁର୍ଦ୍ଦଶା ଜନମାନସକୁ ଆନ୍ଦୋଳିତ କରୁଥିବା ବେଳେ ସରକାର କ'ଣ ପାଇଁ ଚୁପ୍ ବସିଛନ୍ତି? ଲୋକଙ୍କୁ ହତାଶା ଭିତରକୁ ଠେଲି ନଦେଇ ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯାଉ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି ନବୀନ ।

ଏହାସହ ପଢ଼ନ୍ତୁ : ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ