ନୂଆଦିଲ୍ଲୀ,୧୯/୦୬: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ)ର ୭ କୋଟିରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ପାଇଁ ଖୁସି ଖବର । ପିଏଫ୍ ଖାତାରେ ଜମା ହୋଇଥିବା ଟଙ୍କା ଏବେ ସିଧାସଳଖ ଏଟିଏମ୍ ଏବଂ ୟୁପିଆଇ ଜରିଆରେ ଉଠାଣ ହୋଇପାରିବ । ନୂଆ ବ୍ୟବସ୍ଥା ଅନ୍ତିମ ପର୍ଯ୍ୟାୟରେ ଅଛି ଏବଂ ଜୁନ୍ ଶେଷ ହେବା ପୂର୍ବରୁ ହିଁ ଏହା କାର୍ଯ୍ୟକାରୀ ହୋଇପାରେ ବୋଲି ଜଣାଇଛି ଶ୍ରମ ମନ୍ତ୍ରାଳୟ । ଫଳରେ ପିଏଫ୍ ଉଠାଣ ଅଧିକ ଦ୍ରୁତ, ସହଜ ଏବଂ ବାଧାମୁକ୍ତ ହେବ ।
ନୂଆ ବ୍ୟବସ୍ଥା ଅଧୀନରେ ଇପିଏଫ୍ଓ ସଦସ୍ୟମାନେ ୟୁପିଆଇ ମାଧ୍ୟମରେ ଉଠାଣଯୋଗ୍ୟ ପିଏଫ୍ ପାଣ୍ଠିକୁ ସିଧାସଳଖ ସେମାନଙ୍କ ଆଧାର-ଲିଙ୍କ୍ଡ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିପାରିବେ । ନ୍ୟାସ୍ନାଲ ପେମେଣ୍ଟ୍ସ କର୍ପୋରେଶନ୍ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ସହଯୋଗିତାରେ ଏହି ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି ।
ଆହୁରି ମଧ୍ୟ ଇପିଏଫ୍-ଲିଙ୍କ୍ ଏଟିଏମ୍ କାର୍ଡ ପ୍ରଚଳନ କରିପାରେ ଇପିଏଫ୍ଓ । ଏହି କାର୍ଡ ଡେବିଟ୍ କାର୍ଡ ଭଳି କାର୍ଯ୍ୟ କରିବ ଏବଂ ଏହା ମାଧ୍ୟମରେ ସଦସ୍ୟମାନେ ସିଧାସଳଖ ଏଟିଏମ୍ରୁ ପିଏଫ୍ ପାଣ୍ଠିକୁ ଉଠାଇପାରିବେ। ଇପିଏଫ୍ ବ୍ୟବସ୍ଥାରେ ଏହା ହେବ ବୈପ୍ଳବିକ ପରିବର୍ତ୍ତନ । ପ୍ରସ୍ତାବିତ ଢାଞ୍ଚା ଅନ୍ତର୍ଗତ ସଦସ୍ୟ ସେମାନଙ୍କ ପିଏଫ୍ ଜମାର ୫୦ରୁ ୭୫% ଟଙ୍କା ଉଠାଣ କରିପାରନ୍ତି । ଚୂଡ଼ାନ୍ତ ଉଠାଣ ସୀମା ଯୋଜନା କାର୍ଯ୍ୟକାରୀ ହେବା ସମୟରେ ଘୋଷଣା କରାଯିବ ।
ଅଧିକ ପଢ଼ନ୍ତୁ :- ITR Filing Deadline: ଟ୍ୟାକ୍ସପେୟର୍ସଙ୍କ ପାଇଁ ବଡ଼ ଖବର ! ସମସ୍ତଙ୍କ ପାଇଁ ଅଲଗା ଆଇଟିଆର୍ ଡେଡଲାଇନ୍; ମିସ୍ କଲେ ଗଣିବେ ମୋଟା ଅଙ୍କର ତଣ୍ଡ
ପ୍ରସ୍ତାବ ଅନୁସାରେ, ଖାତାରେ ଅନ୍ୟୁନ ୨୫% ଜମା ରହିବ ଏବଂ ଏହାକୁ ଉଠାଯାଇପାରିବ ନାହିଁ । ଏହା ଅବସର ସମୟ ପାଇଁ ସୁରକ୍ଷିତ ରହିବ । ଇପିଏଫ୍ଓ ଇତିମଧ୍ୟରେ ଅଟୋ ସେଟେଲ୍ମେଣ୍ଟ ଲିମିଟ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଛି । ଏଣୁ ନୂଆ ବ୍ୟବସ୍ଥା ଦ୍ୱାରା ସଦସ୍ୟମାନେ ସହଜରେ ବଡ଼ ଜମାରାଶିର ଡିଜିଟାଲ ଆକ୍ସେସ୍ ପାଇପାରିବେ । ଏହି ସୁବିଧାର ଲାଭ ଉଠାଇବା ପାଇଁ ସଦସ୍ୟଙ୍କୁ ଆଧାର, ପାନ୍ କାର୍ଡ, ବ୍ୟାଙ୍କ ଖାତା ବିବରଣୀ ଏବଂ ଆଇଏଫ୍ଏସ୍ସି କୋର୍ଡ ସହ ଜଡ଼ିତ ଏକ ଆକ୍ଟିଭ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(ୟୁଏଏନ୍)ର ଆବଶ୍ୟକ ପଡ଼ିବ ।
ପିଏଫ୍ ଖାତାକୁ ୟୁପିଆଇ ସହ ଯୋଡ଼ିବା ପାଇଁ ୟୁଏଏନ୍ ସକ୍ରିୟ ହୋଇଥିବା ଜରୁରୀ । ଏହାସହିତ ସଦସ୍ୟଙ୍କ ଆଧାର, ବ୍ୟାଙ୍କ ଖାତା ଏବଂ ପାନ୍କୁ ୟୁଏଏନ୍ ସହ ଲିଙ୍କ୍ କରିବାକୁ ପଡ଼ିବ । ମୋବାଇଲ ନମ୍ବର ବି ଆଧାର ଏବଂ ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇଥିବା ଦରକାର । କାରଣ ସମ୍ପୂର୍ଣ୍ଣ ପ୍ରକ୍ରିୟା ଓଟିପି ଆଧାରିତ ଭେରିଫିକେସନ୍ ଉପରେ ପର୍ଯ୍ୟବଶିତ ହେବ ।
ଅନୁମାନ କରାଯାଉଛି ଯେ, ଇପିଏଫ୍ଓ ପୋର୍ଟାଲ କିମ୍ବା ଉମଙ୍ଗ୍ ଆପ୍ରେ ଲଗ୍ ଇନ୍ କଲେ ଏକ ନୂଆ ବିକଳ୍ପ ଦେଖିବାକୁ ମିଳିବ । ଉଦାହରଣସ୍ୱରୂପ ‘ଲିଙ୍କ୍ ପିଏଫ୍ ଉଇଥ୍ ୟୁପିଆଇ’ କିମ୍ବା ‘ପିଏଫ୍ ଉଇଡ୍ରୟାଲ ଭାୟା ୟୁପିଆଇ’ । ଏହି ବିକଳ୍ପ ଉପରେ କ୍ଲ ିକ୍ କରିବା ପରେ ସଦସ୍ୟଙ୍କୁ ନିଜ ୟୁପିଆଇ ଆଇଡି ଦାଖଲ କରିବାକୁ ହେବ । ଏହାପରେ ସଂପୃକ୍ତ ୟୁପିଆଇ ଆପ୍ ଯେପରି ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍ କିମ୍ବା ଭୀମ୍ରେ ଏକ ନୋଟିଫିକେଶନ୍ ଆସିବ, ଯେଉଁଠୁ ପିଏଫ୍ ଖାତାକୁ ଯୋଡ଼ିବାର ଅନୁମତି ଦେବାକୁ ହେବ ।