ପୁରୀ, ୧୨/୧୧ : ଜଗନ୍ନାଥ ମନ୍ଦିରର କର୍ମଚାରୀ ନିୟୋଜନ ଆଉଟ୍ ସୋର୍ଶିଂ ସଂସ୍ଥା ହାତରେ । ଠିକାରେ କରୁଛନ୍ତି ନିଯୁକ୍ତି । ମନ ଇଚ୍ଛା ଶୋଷଣ କରୁଛି ଠିକା ସଂସ୍ଥା । ପ୍ରତିବାଦ କଲେ ଛଟେଇର ଧମକ । ୨୦୧୯ମସିହାରୁ ଅଦ୍ୟାବଧି ବର୍ଦ୍ଧିତ ଦରମାର ବକେୟା ପ୍ରାପ୍ୟ ପାଉନାହାନ୍ତି କର୍ମଚାରୀ ।

ଜୟକମଲ୍ କ୍ୟାଟରିଂ ସର୍ଭିସ୍ ବକେୟା ଦରମା, EPF, ESI ନ ଭରି ଛାଡ଼ି ଚାଲିଗଲା । ଶହ ଶହ କର୍ମଚାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ନେଇ ଗାୟବ। ମନ୍ଦିର ପ୍ରଶାସନ ବି ନିରବ। ଶ୍ରମ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ମନ୍ଦିର ପ୍ରଶାସନ। ଏବେ ନୂଆ ଠିକା ସଂସ୍ଥା ଅଭିରାମ କେୟାର ଟେକିଂ ଆସି ୩୦ଦିନ ଦରମା ପାଉଥିବା କର୍ମଚାରୀଙ୍କୁ ୨୬ଦିନ ଦରମା ଦେବାରୁ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଙ୍ଘ (ସିଆଇଟିୟୁ)ର ସମସ୍ତ ସଭ୍ୟସଭ୍ୟା କର୍ମଚାରୀ ସଂଘ ସଭାପତି ତଥା ସିଆଇଟିୟୁ ଜିଲ୍ଲା ସଂପାଦକ ଶରତ କୁମାର ରାୟଗୁରୁଙ୍କ ନେତୃତ୍ବରେ ଟାଉନ ଥାନା ନିକଟରୁ ଶୋଭାଯାତ୍ରାରେ ବାହାରି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥଲେ।

୯ ଦଫା ଦାବିପତ୍ର ନୀତି ପ୍ରଶାସକଙ୍କୁ ପ୍ରଦାନ କରିଥିଲେ । ଆଉଟ୍ ଶୋର୍ଶିଂ ଠିକା ପ୍ରଥା ଉଚ୍ଛେଦ କରି ସମସ୍ତ କର୍ମଚାରୀଙ୍କୁ ମନ୍ଦିର ଅଧୀନରେ ସ୍ଥାୟୀ କରିବା, ପ୍ରତି ମାସର ଦରମାର ରସିଦ ଦେବା, ଆନୂପାତିକ ଭାବେ ପ୍ରତି ମାସର EPF,ESI କର୍ମଚାରୀଙ୍କ ଆକାଉଣ୍ଟରେ ଭରିବା, ୧୦ବର୍ଷରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ଉଚ୍ଚ କୁଶଳୀର ଦରମା ଦେବା, ୨୦୧୯ରୁ ୨୦୨୫ପର୍ଯ୍ୟନ୍ତ ବର୍ଦ୍ଧିତ ଦରମାର ବକେୟା ପ୍ରଦାନ କରିବା, ରଥଯାତ୍ରା ଓ ଦଶହରାରେ କର୍ମଚାରୀଙ୍କୁ ବୋନସ ଦେବା, ଜୟକମାଲ କ୍ୟାଟେରିଂ ସଂସ୍ଥା ଠକି ନେଇଥିବା EPF, ESI ଆଦାୟ କରିବା, ଦୁଇ ହଳ ପୋଷାକ ସହ ରାଷ୍ଟ୍ରୀୟ ଛୁଟି ଗୁଡ଼ିକରେ ସବୈତନିକ ଛୁଟି ଦେବା ପାଇଁ ସଭାପତି ରାୟଗୁରୁ ଦାବି କରିଥଲେ ।

ଉକ୍ତ ବିକ୍ଷୋଭରେ ଶ୍ରମିକ ନେତା ଜଗନ୍ନାଥ ଦେଓ, ସଙ୍ଘ ସମ୍ପାଦିକା ରଶ୍ମିତା ଗୋଛିକାର, ଅମରେନ୍ଦ୍ର ନନ୍ଦ, ମନୋଜ ବାରିକ, ସୋମନାଥ ନାୟକ, ଜ୍ଞାନ ରଂଜନ ଜେନା,ରାଜେଶ୍ ମହାପାତ୍ର, ବିଜ୍ଞାନ ବେହେରା, ସୂର୍ଯ୍ୟକାନ୍ତ ନାୟକ, ଚିନ୍ମୟ ଜେନା, ଲୋକନାଥ ନାୟକ, ଜଗଦୀଶ ପରିଡ଼ା ବକ୍ତବ୍ୟ ରଖିଥିଲେ। ଆସନ୍ତା ଦିନରେ ଦୁଇଟା ଠିକା ସଂସ୍ଥା ସହ ଆଲୋଚନା କରି ଦାବି ଉପରେ ସଠିକ ନିର୍ଣ୍ଣୟ ନିଆଯିବ ବୋଲି ପ୍ରଶାସକ କହିଛନ୍ତି ।