ଭୁବନେଶ୍ୱର,୦୭/୧୦: ଆସନ୍ତା ଡିସେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ  ପୁରୀ ବେଳାଭୂମିରେ ପ୍ରଥମ ଥର  ପାଇଁ ଆୟୋଜିତ ହେବ ଅନ୍ତର୍ଜାତୀୟ  ମହୋଦଧି ଦିବସ-୨୦୨୪ । ୩ ଦିନିଆ  ଏହି ଦିବସ ପାଳନ ଅବସରରେ  ସାମୁଦ୍ରିକ ଜଳକ୍ରୀଡ଼ା ଓ ବେଳାଭୂମି  କ୍ରୀଡ଼ା ମୁଖ୍ୟ ଆକର୍ଷଣ ରହିବ । ଏଥିରେ  ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ  ଦେଶ ବିଦେଶର ପ୍ରାୟ ୬୦୦ରୁ ଅଧିକ  ପ୍ରତିଯୋଗୀଙ୍କ ସହ ୧୦ଟି ଦେଶରୁ  ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି  ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ  ନେଇ ସାମାଜିକ ସଙ୍ଗଠନ ‘ଦି ବେଲ୍‌’  ପକ୍ଷରୁ ବୁଧବାର ଉତ୍କଳ ସାମ୍ବାଦିକ ସଂଘ  କାର୍ଯ୍ୟାଳୟଠାରେ ସୂଚନା ଦିଆଯାଇଛି ।  

ପୁରୀ ବେଳାଭୂମିରେ କ୍ରମାଗତ  ଚତୁର୍ଥ ବର୍ଷ ଲାଗି ଏହି ଉତ୍ସବ  ଆୟୋଜିତ ହେଉଛି । ଚଳିତ ବର୍ଷ  ସାଂସ୍କୃତିକ ପ୍ରଦର୍ଶନୀ ଏବଂ ସାମୁଦ୍ରିକ  ସଂରକ୍ଷଣ ପ୍ରଦର୍ଶନୀ ଉପରେ ସ୍ୱତନ୍ତ୍ର  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ଥାନୀୟ  ସ୍ୱାଦିଷ୍ଟ ବିବିଧ ଖାଦ୍ୟ ଓ ପାନୀୟ ସାଙ୍ଗକୁ  ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କ୍ରୀଡ଼ା  ପ୍ରତିଯୋଗିତା ଚାଲିବ । ବିଶେଷକରି  ସମୁଦ୍ରକୁ ଲାଇଫ୍‌ଲାଇନ୍‌ ମାନୁଥିବା  ମତ୍ସ୍ୟଜୀବୀଙ୍କ ଲୁକ୍କାୟିତ୍‌ ପ୍ରତିଭାକୁ ବାହାରକୁ ଆଣିବାରେ ଏହି ଉତ୍ସବ  ସହାୟକ ହେବ । ସେମାନଙ୍କ ମଧ୍ୟରୁ  କିଛି ଦକ୍ଷତାଧାରୀ ଜଳ କ୍ରୀଡ଼ାବିତ୍‌ଙ୍କୁ  ଖୋଜି କମନ୍‌ୱେଲ୍‌ଥ ଚାମ୍ପିଅନ୍‌ସିପ୍‌,  ୨୦୩୨ ବ୍ରିସ୍‌ବେନ୍‌ ଅଲିମ୍ପିକ୍ସ ପାଇଁ  ପ୍ରସ୍ତୁତ କରିବା ଏବଂ ଖେଳରେ  ଖେଳରେ ଜୀବନ ରକ୍ଷା ଓ ସାମୁଦ୍ରିକ  ଏବଂ ବେଳାଭୂମି ସଂରକ୍ଷଣ ସମ୍ପର୍କରେ  ସଚେତନତା କରିବା ଏହାର ମୂଳ  ଲକ୍ଷ୍ୟ । ଆକର୍ଷଣୀୟ କାର୍ଯ୍ୟକ୍ରମ  ମଧ୍ୟରେ ପ୍ରଥମ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍‌ସେଭିଂ ସ୍ପୋର୍ଟସ୍‌ ଚାମ୍ପିଅନ୍‌ସିପ୍‌  ରହିଛି, ଯାହା ଜୀବନ ରକ୍ଷାକାରୀ  କୌଶଳ ଏବଂ ଜଳ ନିରାପତ୍ତା ଉପରେ  ଗୁରୁତ୍ୱାରୋପ କରିବ । ସେହିପରି  ମହୋଦଧି ନାସନାଲ୍‌ ଚାମ୍ପିଅନ୍‌ସିପ୍‌ରେ  ବିଭିନ୍ନ ଜଳକ୍ରୀଡ଼ା ଓ ବେଳାଭୂମି କ୍ରୀଡ଼ା  ପ୍ରତିଯୋଗିତା କରାଯିବ । ମହୋଦଧି  ଦିବସ ଭାରତର ଉପକୂଳ ପର୍ଯ୍ୟଟନ  ଏବଂ ପରିବେଶ ସଚେତନତା ପଦକ୍ଷେପ  ପାଇଁ ଏକ ଅଗ୍ରଗାମୀ ପଦକ୍ଷେପ ହେବ ।  ଭାରତୀୟ କାୟାକିଂ ଆଣ୍ଡ୍‌ କାନୋଇଂ  ଆସୋସିଏସନ୍‌, ଭାରତର ରାଷ୍ଟ୍ରୀୟ  ଲାଇଫ୍‌ ଗାର୍ଡ ସଂଗଠନ, ପୁରୀ ବିଚ୍‌  ଲାଇଫ୍‌ ଗାର୍ଡ ମହାସଂଘ, ଅନ୍ତର୍ଜାତୀୟ  ସର୍ଫ ଲାଇଫ୍‌ ସେଭିଂ ଆସୋସିଏସନ୍‌  (ଆମେରିକା) ଏବଂ ଶ୍ରୀଲଙ୍କା ଲାଇଫ୍‌  ସେଭିଂ ସହଯୋଗରେ ଏହି ଉତ୍ସବ  ଅନୁଷ୍ଠିତ ହେବ ।

ସାମ୍ବାଦିକ ସମ୍ମିଳନୀରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ.  ତପନ କୁମାର ଚାନ୍ଦ, ସର୍ବଭାରତୀୟ  ଲାଇଫ୍‌ ସେଭିଂ ସ୍ପୋର୍ଟସ୍‌ର ସଭାପତି ପ୍ରଦୀପ ନାଇଡ଼ୁ, ବିଚ୍‌ କାୟାକିଂର  ଚେୟାରମ୍ୟାନ୍‌ ଏମ୍‌. ରାମାନୁଜମ୍‌,  ଏନ୍‌ଟିପିସିର ପୂର୍ବତନ ଆର୍ଥିକ  ଚେୟାରମ୍ୟାନ୍‌ ତଥା ଆଇନଜୀବୀ କୁଳମଣି ବିଶ୍ୱାଳ, ଅଭ୍ୟର୍ଥନା କମିଟିର  ଚେୟାରମ୍ୟାନ୍‌ ଜିତେନ୍ଦ୍ର ମହାପାତ୍ର,  ପୃଷ୍ଠପୋଷକ ତାରିଣୀ ପ୍ରସାଦ ମହାନ୍ତି,  ‘ଦି ବେଲ୍‌’ର ସଭାପତି ଓ କାର୍ଯ୍ୟକ୍ରମ  ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ସଙ୍ଗଠନ ସମ୍ପାଦକ  ପି. ହରି ପ୍ରମୁଖ ଉପସ୍ଥିତ ଥିଲେ।