ନୂଆଦିଲ୍ଲୀ, ୧୧।୯: କତାରର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ୍ ଅଲ୍ ଥାନି ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, "ଇସ୍ରାଏଲର ଆକ୍ରମଣର ଜବାବ ଦେବା ପାଇଁ ଆଞ୍ଚଳିକ ସ୍ତରରେ ଆକ୍ରମଣ ଜରୁରୀ । ସମ୍ପୂର୍ଣ୍ଣ ଉପସାଗରୀୟ ଅଞ୍ଚଳ ବିପଦରେ ଅଛିଏବଂ ଇସ୍ରାଏଲର ଏଭଳି କାର୍ଯ୍ୟ ଶାନ୍ତିର ସମ୍ଭାବନାକୁ ଶେଷ କରୁଛି ।" ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମଗ୍ର ଅଞ୍ଚଳକୁ ଅରାଜକତା ଆଡ଼କୁ ଠେଲିବାର ଅଭିଯୋଗ କରିଛନ୍ତି । କତାର ସ୍ପଷ୍ଟ ଭାବରେ ଆରବ ଦେଶଗୁଡ଼ିକୁ ଇସ୍ରାଏଲ ବିରୁଦ୍ଧରେ ଏକତ୍ର ହେବାକୁ ନିବେଦନ କରିଛି ।
କହିରଖୁ କି, ମଙ୍ଗଳବାର ଇସ୍ରାଏଲ ଦୋହାରେ ହମାସ ନେତାମାନଙ୍କର ଏକ ବୈଠକକୁ ଟାର୍ଗେଟ୍ କରିଥିଲା, ଯେଉଁଠାରେ ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଗାଜା ଯୁଦ୍ଧବିରତି ଯୋଜନା ଉପରେ ଆଲୋଚନା କରୁଥିଲେ । ଇସ୍ରାଏଲ ଦାବି କରିଛି ଯେ ଆକ୍ରମଣ ୧୦ରୁ ଅଧିକ ଲଢ଼ୁଆ ବିମାନ ଏବଂ ଯୁଦ୍ଧାସ୍ତ୍ର ବ୍ୟବହାର କରି କରାଯାଇଥିଲା । କତାର କହିଛି ଯେ, ତାର ଦୁଇ ଜଣ ସୁରକ୍ଷା ଅଧିକାରୀ ନିହତ ହୋଇଛନ୍ତି । ହମାସର ପାଞ୍ଚ ଜଣ ସଦସ୍ୟ ନିହତ ହୋଇଥିବା ସେ କହିଛି, ଯେଉଁଥିରେ ଖଲିଲ ଅଲ-ହାୟାଙ୍କ ପୁଅ, ୩ ଜଣ ଅଙ୍ଗରକ୍ଷୀ ଏବଂ ଜଣେ କାର୍ଯ୍ୟାଳୟ ମୁଖ୍ୟ ସାମିଲ ଅଛନ୍ତି । ମୁଖ୍ୟ ଆଲୋଚନାକାରୀ ଖଲିଲ ଅଲ-ହାୟାଙ୍କ ଭଳି ପ୍ରମୁଖ ହମାସ ନେତାମାନେ ବଞ୍ଚି ଯାଇଛନ୍ତି । କତାର ଦୀର୍ଘ ଦିନ ଧରି ଇସ୍ରାଏଲ-ହମାସ ସଂଘର୍ଷରେ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିଆସୁଛନ୍ତି ଏବଂ ଆମେରିକାର ସର୍ବବୃହତ୍ ସାମରିକ ଘାଟି ଅଲ ଉଦେଦ ଅବସ୍ଥିତ ।
ଇସ୍ରାଏଲର ଏହି ଆକ୍ରମଣ ଉପରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ନେତାମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କାତାରର ଆମିର ଶେଖ ତାମିମ ବିନ୍ ହମାଦ ଅଲ ଥାନିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ କହିଥିଲେ ଯେ "ଏହି ଆକ୍ରମଣଗୁଡ଼ିକ ଗ୍ରହଣୀୟ ନୁହେଁ ଏବଂ ଆମେ କତାରର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ପ୍ରତିବଦ୍ଧ ଅଛୁ ।" ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କତାର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଏବଂ ପ୍ରଥମ ଥର ପାଇଁ ଇସ୍ରାଏଲର ଏଭଳି କାର୍ଯ୍ୟକୁ ଖୋଲାଖୋଲି ନିନ୍ଦା କରିଥିଲେ ।
ଆରବ ନେତାମାନେ ଦୋହାରେ ଏକାଠି ହେଉଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସ (UAE) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ ଏହି ଆକ୍ରମଣକୁ "ଅପରାଧୀ" ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ବିପଦ ବୋଲି କହିଛନ୍ତି । କୁୱେତ ଏବଂ ଜୋର୍ଡାନର ଯୁବରାଜ ବୁଧବାର ଦୋହାରେ ପହଞ୍ଚିଛନ୍ତି । ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନ (MBS) ଗୁରୁବାର କତାରରେ ପହଞ୍ଚିବେ । ଲେବାନନର ହିଜବୁଲ୍ଲା ନେତା କହିଛନ୍ତି ଯେ, କତାର ଉପରେ ଆକ୍ରମଣ ଉପସାଗରୀୟ ଦେଶଗୁଡ଼ିକ ପାଇଁ ଏକ ଚେତାବନୀ ଯେ ସେମାନେ ମଧ୍ୟ ଭବିଷ୍ୟତରେ ଇସ୍ରାଏଲର ଟାର୍ଗେ ହୋଇପାରନ୍ତି । ହିଜବୁଲ୍ଲା ନେତା ନଇମ କାସେମ କହିଛନ୍ତି, ଏହି ଆକ୍ରମଣ ତୈଳ ସମୃଦ୍ଧ ଉପସାଗରୀୟ ଦେଶଗୁଡ଼ିକ ପାଇଁ ଏକ ଚେତାବନୀ ଯେ ଯଦି ଆଞ୍ଚଳିକ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ପରାଜିତ ହୁଅନ୍ତି, ତେବେ ସେମାନେ ଆଉ ରକ୍ଷା ପାଇବେ ନାହିଁ । ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ପଷ୍ଟ ଭାବରେ କତାର ସମେତ ଅନ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇ କହିଛନ୍ତି ଯେ "ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶଗୁଡ଼ିକ ସେମାନଙ୍କୁ ବାହାର କରିଦେବା ଉଚିତ୍ କିମ୍ବା ନ୍ୟାୟ ହାତରେ ହସ୍ତାନ୍ତର କରିବା ଉଚିତ୍ । ଯଦି ସେମାନେ ଏହା ନ କରନ୍ତି, ତେବେ ଆମେ ଏହା କରିବୁ ।" କାତାର ଏହାକୁ "ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ" ବୋଲି କହିଛି ଏବଂ ମଧ୍ୟସ୍ଥତା ପ୍ରକ୍ରିୟାର ଏକ ଅଂଶ ଭାବରେ ଆମେରିକା ଏବଂ ଇସ୍ରାଏଲର ଅନୁରୋଧରେ ଦୋହାରେ ହମାସର କାର୍ଯ୍ୟାଳୟ ଖୋଲାଯାଇଥିଲା ବୋଲି କହିଛି । କତାରର ବୈଦେଶିକ ମନ୍ତ୍ରଣାଳୟ ନେତାନ୍ୟାହୁଙ୍କ ଧମକକୁ "ଲଜ୍ଜାଜନକ ଏବଂ ବେପରୁଆ" ବୋଲି ବର୍ଣ୍ଣନା କରିଛି ଏବଂ ଏହା କତାରର ସାର୍ବଭୌମତ୍ୱର ଏକ ସ୍ପଷ୍ଟ ଉଲ୍ଲଂଘନ ବୋଲି କହିଛି ।
ଏହି ସମୟରେ, ଗାଜା ଉପରେ ମଧ୍ୟ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ବୁଧବାର ଗାଜାରେ ଅତି କମ୍ରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ ଗାଜା ସହରକୁ କବଜା କରିବା ପାଇଁ ଆକ୍ରମଣକୁ ତୀବ୍ର କରିଛି, ଯେଉଁଠାରେ ୧୦ ଲକ୍ଷରୁ ଅଧିକ ପାଲେଷ୍ଟାଇନୀ ବାସ କରନ୍ତି । ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଏହି କାର୍ଯ୍ୟରେ "ଖୁସି ନୁହଁନ୍ତି" । ସେ ସ୍ପଷ୍ଟ କରିଥିଲେ ଯେ ଏହା ନେତାନ୍ୟାହୁଙ୍କ ନିଷ୍ପତ୍ତି ଥିଲା, ତାଙ୍କର ନୁହେଁ ।